ଭୁବନେଶ୍ୱର କୁଆଖାଇ ନଦୀ ପଠାରୁ ମୃତଦେହ ଉଦ୍ଧାର ଘଟଣା: ପରିଚୟ ପାଇଁ ପୋଷ୍ଟର ମାରିବ କମିଶନରେଟ ପୋଲିସ

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ୱର ଉପକଣ୍ଠ କୁଆଖାଇ ନଦୀ ପଠାରୁ ଉଦ୍ଧାର ମୃତଦେହର ପରିଚୟ ପାଇଁ ବିଭିନ୍ନ ସ୍ଥାନରେ ପୋଷ୍ଟର ମାରିବ କମିଶନରେଟ ପୋଲିସ । ଏଥସହ ଅନ୍ୟ କେଉଁ ଥାନାରେ ମିସିଂ ରିପୋର୍ଟ ରହିଛି ତା’ର ତଥ୍ୟ ସଂଗ୍ରହ କରାଯିବ । ମୃତ ବ୍ୟକ୍ତିଙ୍କ ବୟସ ୨୫ରୁ ୩୦ ବର୍ଷ ବୟସ ଭିତରେ ହେବ । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ମୃତ ବ୍ୟକ୍ତି ଜଣଙ୍କ ସ୍ଥାନୀୟ ଅଞ୍ଚଳର ନୁହନ୍ତି । ପାରିପାର୍ଶ୍ୱିକ ପରିସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡୁଛି । ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ଏହି ସୂଚନା ଦେଇଛନ୍ତି । ମଞ୍ଚେଶ୍ୱର ବାଲିଯାତ୍ରା ପଡ଼ିଆ ବାଲିରେ ଅଧାପୋତା ମୃତଦେହ ଦେଖିବା ପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ ।

ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲା । ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଉପସ୍ଥିତ ରହି 3D ସ୍କାନ କରିଛନ୍ତି । ମୃତ ଶରୀରରେ କୌଣସି କ୍ଷତ ଚିହ୍ନ ନାହିଁ। ଯୁବକ ଜଣଙ୍କୁ ବିଷ ଦେଇ କିମ୍ବା ତଣ୍ଟି ଚିପି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତଦେହର କାନର ଏକ କୁଣ୍ଡଳୀ ଲାଗିଛି। ପୋଷ୍ଟମୋର୍ଟମ ପାଇଁ AIIMSକୁ ପଠାଯାଇଛି। ନଦୀ ପଠାର ବାଲିଯାତ୍ରା ପଡ଼ିଆରେ ଯୁବକ ଜଣଙ୍କୁ ତିନି ଚାରି ଦିନ ତଳେ ହତ୍ୟା କରି ନଦୀପଠାରେ ପୋତି ଦିଆଯାଇଥିବା ଅନୁମାନ କରାଯାଉଛି। କିଛିଦିନ ତଳେ ନଦୀପଠାରେ ଦୁଇଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ଓ ଗଣ୍ଡଗୋଳ ହୋଇଥିବା ସ୍ଥାନୀୟ ଲୋକ କହିଛନ୍ତି। ତେବେ ଯୁବକଙ୍କ ମୃତ୍ୟୁ ପଛରେ କାରଣ କଣ ସେନେଇ ଅଧିକ ତଦନ୍ତ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.