ଟ୍ଵିନସିଟିରେ ବଢୁଥିବା ଅପରାଧ କମିଶନରେଟ ପୋଲିସ ପାଇଁ ପାଲଟିଛି ବଡ଼ ଚ୍ୟାଲେଞ୍ଜ

ଭୁବନେଶ୍ୱରରେ ଖୋଲିବ ୨ଟି ନୂଆ ପୋଲିସ ଷ୍ଟେସନ

ଟ୍ଵିନସିଟିରେ କମିଶନରେଟ ପୋଲିସ ପାଇଁ ବଢ଼ୁଛି ଚ୍ୟାଲେଞ୍ଜ । ଗତ କିଛି ଦିନ ଧରି ବ୍ୟବସାୟୀଙ୍କୁ ଅପହରଣ ଘଟଣା ହେଉ କିମ୍ବା ହଂସପାଳରେ ଭାଇ ଭାଇକୁ ହତ୍ୟା କରିବା ଘଟଣା । ସେହିଭଳି କଟକରେ ଗ୍ୟାଙ୍ଗଓ୍ଵାର । ଏସବୁ ଘଟଣା ଏବେ ପୋଲିସ ପାଇଁ ଚିନ୍ତାର କାରଣ ସାଜିଛି । ଏହିଭଳି ବଡ ବଡ ଚ୍ୟାଲେଞ୍ଚକୁ ମୁକାବିଲା କରିବା ପାଇଁ କମିଶନରେଟ ପୋଲିସ ଆରମ୍ଭ କରୁଛି କିଛି ନୂଆ ଯୋଜନା।

୨୦୧୯ ଜୁନ୍ ୭ ତାରିଖ । ପାରିବାରିକ ହିଂସାରୁ ହଂସପାଳ ନିକଟ ଅଟଳାଗଡ଼ାରେ ସାନ ଭାଇକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା ବଡଭାଇ । ଠିକ୍ ସେହି ଦିନ ଅର୍ଥାତ୍ ଜୁନ୍-୭, ସିଆରପି ଛକରୁ ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କୁ ଅପହରଣ ଓ କାର୍ ଲୁଟ୍ । ଏହାର ଦୁଇ ଦିନ ପରେ କଟକରେ ଗ୍ୟାଙ୍ଗଓ୍ଵାରରେ ଜଣଙ୍କ ମୃତ୍ୟୁ । ଗତ କିଛି ଦିନ ଭିତରେ ଟ୍ଵିନ୍ସିଟିର ଏସବୁ ଘଟଣା କମିଶନରେଟ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ବର୍ତ୍ତମାନ କଳିଙ୍ଗ ଷ୍ଟାଡିୟମରେ ଚାଲୁଛି ଆନ୍ତର୍ଜାତିକ ହକି ଟୁର୍ଣ୍ଣାମେଣ୍ଟ । ପ୍ରତିଦିନ ଭୁବନେଶ୍ୱରକୁ ଆସୁଛନ୍ତି ବହୁ ଭିଭିଆଇପି । ତେଣୁ ସେମାନଙ୍କୁ ସୁରକ୍ଷା ଦେବା ସହ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବା ମଧ୍ୟ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି । ଏହାକୁ ଆଖିରେ ରଖି ଭୁବନେଶ୍ୱରରେ ଦୁଇଟି ନୂଆ ପୋଲିସ ଷ୍ଟେସନ ଖୋଲାଯିବାର ଯୋଜନା କରିଛି ପୋଲିସ ।

ଆଗାମୀ ଦିନରେ କମିଶନରେଟ ପୋଲିସ ଆରମ୍ଭ କରବାକୁ ଯାଉଛି ଆଉ କିଛି ନୂଆ ଯୋଜନା । ଜୁଲାଇରୁ ଆରମ୍ଭ ହେବ ଆମ ପୋଲିସ ସମିତି ଯୋଜନା । ପ୍ରତି ଥାନାରେ ସ୍ଥାନୀୟ ଲୋକଙ୍କୁ ନେଇ ପ୍ରତି ମାସରେ ବୈଠକ ହେବ । ଏଥିରେ ବିଭିନ୍ନ ଅଞ୍ଚଳର ସମସ୍ୟା ଉପରେ ଆଲୋଚନା କରାଯିବ । ସେହିଭଳି ଭୁବନେଶ୍ୱରରେ ଗଡୁଥିବା ୩୫ଟି ପିସିଆର ଭ୍ୟାନକୁ ଅଧିକା ବଢ଼ାଇବାକୁ ଯୋଜନା ହୋଇଛି । ସଙ୍ଗଠିତ ଅପରାଧ ହେଉ ଅବା ସାଇବର କ୍ରାଇମ ଏସବୁ ରୋକିବା ପାଇଁ ପୋଲିସ ପାଇଁ ଚ୍ୟାଲେଞ୍ଚ ରହୁଛି । ସେଥିପାଇଁ ସ୍ପେସାଲ ସ୍କ୍ଵାର୍ଡ ଓ କ୍ୟୁଏଟିକୁ ଅଧିକ କ୍ରିୟାଶୀଳ କରିବାକୁ ଲକ୍ଷ୍ୟ ରଖିଛି ପୋଲିସ ।

ବଢୁଛି ଟ୍ଵିନସିଟିର ଜନସଂଖ୍ୟା । ସେହି ଅନୁପାତରେ ଛୋଟବଡ ଅପରାଧ ବି ବଢୁଛି । ଆଉ ଟ୍ରାଫିକ୍ ସମସ୍ୟା ବି ଉପୁଜୁଛି । ସହର ଭିତରେ ଦୃଘଟଣା ବି ବଢ଼ୁଛି । ତେବେ ଏସବୁକୁ ରୋକିବା ପାଇଁ କମିଶନରେଟ ପୋଲିସ କିଳଭି କାମ କରୁଛି, ତାହା ଉପରେ ସମସ୍ତଙ୍କ ନଜର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.