ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଆରମ୍ଭ ହେଲା ଲେନ ଡ୍ରାଇଭ, ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ରାଜଧାନୀରେ ଟ୍ରାଫିକ୍ ଜାମ୍ ନିୟନ୍ତ୍ରଣ କରିବା ସହ ଦୁର୍ଘଟଣା କମାଇବା ପାଇଁ କମିସନରେଟ ପୋଲିସର ବଡ଼ ପଦକ୍ଷେପ ନେଇଛି । ପ୍ରଥମଥର ପାଇଁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଲେନ୍ ଡ୍ରାଇଭ୍ । ଏବେ ପ୍ରାଥମିକ ପର୍ଯ୍ୟାୟରେ ଏହା କେବଳ ପ୍ରତି ପ୍ରମୁଖ ଛକ ଓ ବସ୍ ଷ୍ଟପେଜ୍ ଭଳି ସ୍ଥାନରେ ଲାଗୁ ହେବ । ଏହି ସବୁ ସ୍ଥାନରେ କିଛିଦିନ ପାଇଁ ୧୫୦ ମିଟର ପର୍ଯ୍ୟନ୍ତ ପ୍ଲାଷ୍ଟିକ୍ କୋନ୍ ରଖାଯିବ । ଗାଡ଼ିଗୁଡ଼ିକ କୋନ୍ରେ ଦର୍ଶାଯାଇଥିବା ଲେନ୍ରେ ହିଁ ଯିବେ । ବାଇକ୍, କାର୍ କିମ୍ବା ଟ୍ରକ୍ ପାଇଁ ନିର୍ଦ୍ଧିଷ୍ଟ ଭାବେ ଲେନ୍ କରାଯାଇ ନାହିଁ । ତିନୋଟି ଥାକରେ ଲେନ୍ ପ୍ରସ୍ତୁତ କରାଯାଇଛି । ଏହା ଦ୍ୱାରା ଦୁର୍ଘଟଣାର ସଂଖ୍ୟା କମିବ ବୋଲି କମିସନରେଟ ପୋଲିସ କହିଛି ।
ଏହା ମଧ୍ୟ କୁହାଯାଇଛି ଯେ ଯିଏ ଯେଉଁ ଲେନ୍ରେ ଥିବେ, ଟ୍ରାଫିକ୍ ଛକ ପୂର୍ବରୁ ସେହି ଲେନ୍ରେ ହିଁ ରହିବେ । ଏହି ସ୍ଥାନରେ କୌଣସି ଗାଡ଼ି ଅନ୍ୟ ଗାଡ଼ିକୁ ଅତିକ୍ରମ କରିପାରିବ ନାହିଁ ବୋଲି ଟ୍ରାଫିକ୍ ଡିସିପି ତପନ ମହାନ୍ତି କହିଛନ୍ତି । ଏଥିରେ କେହି ନିୟମ ଉଲ୍ଲଂଘନ କଲେ, ସେଠାରେ ଥିବା ଟ୍ରାଫିକ୍ ପୋଲିସ କାର୍ଯ୍ୟାନୁଷ୍ଠାନ ନେବେ ।
ସୂଚନା ଅନୁସାରେ ମଙ୍ଗଳବାର ଅପରାହ୍ଣରେ ଜୟଦେବବିହାର ଓଭରବ୍ରିଜ୍ ନିକଟରେ ପରୀକ୍ଷାମୂଳକ ଭାବେ ଏହି ଅଭିଯାନ ଆରମ୍ଭ କରାଯାଇଛି । ପ୍ରଥମେ କିଛିଦିନ ଲୋକଙ୍କୁ ସଚେତନ କରାଯିବ । ପରବର୍ତ୍ତୀ ସମୟରେ ଏହାକୁ ପ୍ରତି ଛକରେ କଡ଼ାକଡ଼ି ଭାବେ ଲାଗୁ କରାଯିବ ବୋଲି ଡିସିପି ଶ୍ରୀ ମହାନ୍ତି କହିଛନ୍ତି ।
ଆହୁରି ପଢ଼ନ୍ତୁ : କମିଶନରେଟ ପୋଲିସର ମୋବାଇଲ ମେଳା, ଫେରାଉଛି ଚୋରି ମୋବାଇଲ