ଜିରୋ ନାଇଟ ମୁଡରେ ରାଜଧାନୀବାସୀ: ଆଜିଠୁ ବାର, ପବ୍ ଓ ହୋଟେଲରେ ହେବ କଡ଼ାକଡ଼ି ଚେକିଂ
ଭୁବନେଶ୍ୱର : ରାତି ପାହିଲେ ନୂଆବର୍ଷ । ୨୦୨୫କୁ ସ୍ୱାଗତ କରିବା ପାଇଁ ସବୁଆଡେ ଉତ୍ସାହ । ଆଉ ମାତ୍ର କେଇଘଣ୍ଟା ପରେ ବିଦାୟ ନେବ ୨୦୨୪, ପାଦ ଥାପିବ ୨୦୨୫ । ଜିରୋ ନାଇଟ ସେଲିବ୍ରେସନ ପାଇଁ ସମସ୍ତଙ୍କ ମନରେ ଉତ୍କଣ୍ଠା । ଏଥିପାଇଁ ବିଭିନ୍ନ ହୋଟେଲରୁ ଆରମ୍ଭ କରି କ୍ଲବ ଓ ପବ୍ ମାନଙ୍କରେ ଚାଲିଛି ଜୋରଦାର ପ୍ରସ୍ତୁତି । ହୋଟେଲ ଗୁଡିକୁ ସୁନ୍ଦର ଭାବେ ସଜାଯିବା ସହ ଡିଜେ ନାଇଟ୍ ଓ ଡିନରର ବ୍ୟବସ୍ଥା କରାଯାଇଛି । ଟୁଇନ୍ ସିଟିରେ ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ବ୍ୟାପକ ବ୍ୟବସ୍ଥା କରିଛି ।
ନୂଆବର୍ଷ ସମୟରେ ସବୁଠାରୁ ଆହ୍ବାନ ହେଉଛି ଡ୍ରଙ୍କ ଆଣ୍ଡ ଡ୍ରାଇଭ୍ । ପ୍ରତ୍ୟେକ ବର୍ଷ ମଦ୍ୟପାନ କରି ରାସ୍ତାକୁ ଓହ୍ଲାଇବା ଦ୍ବାରା ଦୁର୍ଘଟଣା ଘଟିଥାଏ । ଏପରିକି ଧନଜୀବନ ହାନୀ ସହ ଅନେକ ପ୍ରକାର ସମସ୍ୟା ଦେଖାଦେଇଥାଏ । ସେ ଦୃଷ୍ଟିରୁ ଡ୍ରଙ୍କ-ଡ୍ରାଇଭ୍ ନେଇ କମିଶନରେଟ ପୋଲିସ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି । ମଦ୍ୟପାନ ନ କରି ଗାଡ଼ି ଚଲାଇବାକୁ ଭୁବନେଶ୍ୱର ଡିସିପି ପିନାକ ମିଶ୍ର ନିବେଦନ କରିଛନ୍ତି । ଭୁବନେଶ୍ୱର ଡିସିପି କହିଛନ୍ତି, “ଯଦି କେଉଁଠି ସେଲିବ୍ରେସନ ପାଇଁ ଯାଉଛନ୍ତି, ତାହାଲେ ନିଜର ବ୍ୟକ୍ତିଗତ ଡ଼୍ରାଇଭର ନେଇକି ଯିବାର ବୁଦ୍ଧିମତାର କାମ । ଯଦି ଆପଣ ମଦ୍ୟପାନ କରିଛନ୍ତି ତାହାଲେ ଆମେ ନିବେଦନ କରିବୁ ଗାଡି ଚାଲାନ୍ତୁ ନାହିଁ । ଆମେ ଆମର ଏନଫୋର୍ସମେଣ୍ଟ ଓ ରେଗୁଲେସନ ଜାରି ରଖିବୁ । ଆମ ଦ୍ବାରା ଯାହା ଆରେଞ୍ଜମେଣ୍ଟ, ଏଭିକ୍ସେନ ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ ତାହା ଜାରି ରଖିବୁ । ” ସେହିପରି ରୋଡ୍ ରୋମିଓଙ୍କ ଉପରେ ତୀକ୍ଷଣ ନଜର ରହିବ । ସେମାନଙ୍କ ପାଇଁ ଜିରୋ ଟଲେରାନ୍ସ ନୀତି ଆପଣେଇଛି କମିଶନରେଟ ପୋଲିସ ।