ରିମାଣ୍ଡରେ ଆସିବେ ହାଇପ୍ରୋଫାଇଲ ଠକ ବଣ୍ଟି-ବବଲି, ବହୁ ଭିଭିଆଇପିଙ୍କ ସଂପର୍କୀୟର ପରିଚୟ ଦେଇ ଲୁଟୁଥିଲେ
ଭୁବନେଶ୍ୱର : ରିମାଣ୍ଡରେ ଆସିବେ ବଣ୍ଟି-ବବଲି । ଦୁଇ ହାଇପ୍ରୋଫାଇଲ ଠକ ହଂସିତା ଅଭିଲିପସା ଓ ଅନୀଲ ମହାନ୍ତିଙ୍କୁ ରିମାଣ୍ଡରେ ଆଣି ଅଧିକ ତଥ୍ୟ ହାସଲ କରିବ ଇନଫୋସିଟି ଥାନା ପୋଲିସ । ଭୁବନେଶ୍ବରରେ ବହୁ ଭିଭିଆଇପିଙ୍କ ସଂପର୍କୀୟ କହି କରୁଥିଲେ ଠକେଇ । ହଂସିତା ନିଜକୁ ପିଏମଙ୍କ ପ୍ରମୁଖ ସଚିବ ପିକେ ମିଶ୍ରଙ୍କ ଝିଅ ଓ ଅନୀଲ ଜ୍ବାଇଁ ଭାବେ ପରିଚୟ ଦେଇ ଲୁଟୁଥିବା ପୋଲିସ କହିଛି । ଭୁବନେଶ୍ବରରେ ଦାମୀ ଆପାର୍ଟମେଣ୍ଟରେ ରହୁଥିଲେ, ବିଳାସପୂର୍ଣ୍ଣ ଗାଡ଼ି ଚଢୁଥିଲେ । ଏମାନଙ୍କ ଟାର୍ଗେଟରେ ଥିଲେ ବଡ଼ବଡ଼ିଆ, ଶିଳ୍ପପତି ଓ ବଡ଼ ବ୍ୟବସାୟୀ । ଭିଭିଆଇପିଙ୍କ ସହ ମର୍ଫ ଫଟୋ ଦେଖାଇ ଲୁଟୁଥିଲେ । ତଦନ୍ତ ବେଳେ ଅନିଲ ମହାନ୍ତିର ତିନିଟି କମ୍ପାନୀ ରହିଥିବା ଜଣାପଡ଼ିଛି ।
ତେବେ ଏହା କି ପ୍ରକାର ବ୍ୟବସାୟ, କାହା ସହ ରହିଛି ଆର୍ଥିକ କାରବାର, ସେନେଇ ଖୋଳତାଡ଼ କରୁଛି କମିସନରେଟ ପୋଲିସ । ହଂସିତାଙ୍କ ଘର କଳାହାଣ୍ଡିରେ ହୋଇଥିବା ବେଳେ ଦୀର୍ଘ ଦିନ ଧରି ଭୁବନେଶ୍ୱରରେ ରହୁଥିଲା । ପୋଲିସ ସେମାନଙ୍କ ମୋବାଇଲ ଓ ଅନ୍ୟ ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ୍ ପାଇଛି । ସେମାନଙ୍କ କଲ ଡିଟେଲ ରେକର୍ଡ ଯାଞ୍ଚ କରୁଛି ପୋଲିସ । କେବେଠାରୁ ରାଜଧାନୀରେ ବିଛାଇଥିଲେ ଠକାମୀର ଜାଲ? କ୍ରାଇମ ସିଣ୍ଡିକେଟ ପଛରେ ଆଉ କିଏ ରହିଛି ସେନେଇ ଚାଲିଛି ଯାଞ୍ଚ ।