ଜିଲ୍ଲାପାଳ ଓ ଏସପି ସମ୍ମିଳନୀ : ଥାନାରେ ମହିଳାଙ୍କ ଅଭିଯୋଗକୁ ଗୁରୁତର ସହ ନିଆଯାଉ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ସେବା ଓ ସୁରକ୍ଷାର ପାଠ ପଢ଼ାଇଲେ ମୁଖ୍ୟମନ୍ତ୍ରୀ । ଥାନାରେ ମହିଳାଙ୍କ ଅଭିଯୋଗକୁ ଗୁରୁତର ସହ ନିଆଯାଉ । ରାତିରେ ହେଉଥିବା ଅଭିଯୋଗକୁ ଗୁରୁତର ସହ ନେଉ ପୋଲିସ । ଜିଲ୍ଲାପାଳ ଓ ଏସପି ସମ୍ମିଳନୀରେ ଓଡ଼ିଶା ପୋଲିସକୁ ଏଭଳି ପରାମର୍ଶ ଓ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭରତପୁର ଥାନା ମାମଲାକୁ ଦୃଷ୍ଟିରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ସାଧାରଣ ଲୋକଙ୍କ ଭରସା ବଜାୟ ରଖୁ ପୋଲିସ । ଜନତାଙ୍କ ଭିତରେ ଭରସା ସୃଷ୍ଟି କରୁ ।
ଥାନାକୁ ଆସୁଥିବା ଲୋକଙ୍କ ଅଭିଯୋଗ ଧୈର୍ଯ୍ୟର ସହ ଶୁଣନ୍ତୁ । ଥାନାକୁ ରାତି ୨ଟାରେ ଆସିଲେ ବି ତାଙ୍କ କଥା ଶୁଣନ୍ତୁ । ମହିଳା ବିରୋଧୀ ଅପରାଧ ନେଇ ଡିଜିପିଙ୍କୁ ଜିଲ୍ଲାୱାରୀ ତଥ୍ୟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ । ଥାନାରେ ଥିବା ମହିଳା ଓ ଶିଶୁ ଡେସ୍କକୁ ଅଧିକ କାର୍ଯ୍ୟଶୀଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କାର୍ଯ୍ୟକୁ ସରଳ ଓ ସହଜ କରିବାକୁ ସରକାରଙ୍କ ପକ୍ଷରୁ ଦିଆଯିବ ବାଇକ । ଫିଲ୍ଡ ଡ୍ୟୁଟି ପାଇଁ ପ୍ରତି ଥାନାରେ ଗୋଟିଏ ଲେଖାଏଁ ବାଇକ ଅଛି ।
ଗୋଟିଏ କି ଦୁଇଟି ବାଇକ ଥିବାରୁ କାମ ଶୀଘ୍ର ହେଉନି । ଖୁବ ଶୀଘ୍ର ଥାନାରେ ଦୁଇ ଓ ଚାରି ଚକିଆ ଗାଡ଼ି ବଢ଼ାଯିବ । ୯ ହଜାର ବାଇକ ସବୁ ଥାନାକୁ ଦିଆଯିବ । ଖୁବଶୀଘ୍ର ୨୨୯୮ ହୋମଗାର୍ଡ ପୁନଃନିଯୁକ୍ତି ଦିଆଯିବ ବୋଲି କହିଛନ୍ତି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସମ୍ମିଳନୀରେ ଯୋଗ ଦେଇ ନକ୍ସଲ ଦମନ ଚିତ୍ର ରଖିଛନ୍ତି ଡିଜିପି । ରାଜ୍ୟରୁ ମାଓବାଦୀଙ୍କୁ ମୂଳପୋଛ କରାଯିବ ବୋଲି କହିଛନ୍ତି ।
ମାଓବାଦୀଙ୍କ ଅସ୍ତ୍ରତ୍ୟାଗ କରିବାକୁ ପରାମର୍ଶ ଦେଇଛନ୍ତି । ମହିଳା ହିଂସା ଉପରେ ଫୋକସ ରହିଛି । ଅପରାଧର ଶିକାର ହୋଇଥିବା ପୀଡ଼ିତଙ୍କୁ ତ୍ବରିତ ନ୍ୟାୟ ଦେବାକୁ ପୋଲିସ ଯତ୍ନବାନ ବୋଲି କହିଛନ୍ତି ଡିଜିପି । ଜିଲ୍ଲାପାଳ ଓ ଏସପି ହେଉଛନ୍ତି ସରକାରଙ୍କ ଦୁଇ ଆଖି । ଜିଲ୍ଲାସ୍ତରରେ ଜିଲ୍ଲାପାଳ ଓ ଏସପି ବିକାଶର ପ୍ରତ୍ୟକ୍ଷ ଅନୁଧ୍ୟାନ କରନ୍ତୁ ।
ଲୋକମାନଙ୍କୁ ଉତ୍ତମ ବ୍ୟବହାର ଆମର ଗୁରୁତ୍ବପୂର୍ଣ୍ଣ କର୍ତ୍ତବ୍ୟ ବୋଲି ସମ୍ମିଳନୀରେ ଗୃହ ସଚିବ ସତ୍ୟବ୍ରତ ସାହୁ ଉଦବୋଧନ ଦେଇଛନ୍ତି । ମହିଳା ଓ ଦୁର୍ବଳ ଶ୍ରେଣୀ ବିରୋଧରେ ଅଭିଯୋଗ ପ୍ରତି ଶୂନ୍ୟ ସହନଶୀଳତା । ଏଥିରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିରେ ଅଧିକାରୀଙ୍କ ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ।