ଚିନ୍ତା ବଢ଼ାଉଛି କାଉ ମଡକ, ଆଶଙ୍କାରେ ରହିଛନ୍ତି ସ୍ଥାନୀୟ ଲୋକେ

ପ୍ରଥମେ ଘୁମାଉଛନ୍ତି । ତା’ପରେ ଟଳମଳ ହୋଇ ଏପଟ ସେପଟ ଚାଲୁଛନ୍ତି । ଶେଷରେ ଟଳି ପଡୁଛନ୍ତି । ରାତି ପାହିଲା ବେଳକୁ ଘର ପଛପଟେ, ଛାତ ଉପରେ, ଘର ଆଗରେ, ରାସ୍ତାକଡ଼ରେ ପଡ଼ି ରହୁଛି କୁଢ଼କୁଢ ମୃତ କାଉ । ଏ ହେଉଛି ଗଂଜାମ ଜିଲ୍ଲା ଭଂଜନଗର ବ୍ଳକ୍ ଅନ୍ତର୍ଗତ ଗାଲେରୀ ଗାଁର ଜନଗହଳିପୂର୍ଣ୍ଣ ସ୍ଥାନର ଦୃଶ୍ୟ । ଗତ ପ୍ରାୟ ୫ ଦିନ ହେବ ଏଠାରେ ଏଭଳି ଘଟଣା ଦେଖିବାକୁ ମିଳୁଛି । କିନ୍ତୁ ଏହା ପଛର କାରଣ ଜଣାପଡୁନି କାହିଁକି ଏମିତି ଗୋଟିଏ ପରେ ଗୋଟିଏ କାଉର ମୃତ୍ୟୁ ହେଉଛି । ଯାହା ଦେଖିବା ପରେ ସ୍ଥାନୀୟ ଲୋକେ ଏକ ପ୍ରକାର ଆଶଙ୍କା ଭିତରେ ରହିଛନ୍ତି ।
ଏହି ଘଟଣାକୁ ନେଇ ସ୍ଥାନୀୟ କିଛି ଯୁବକ ଏବଂ ସ୍ବେଛାସେବୀ ଭଂଜନଗର ପ୍ରାଣୀ ଚିକିତ୍ସାଳୟକୁ ଖବର ଦେଇଥିଲେ । ବିଭାଗୀୟ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଯାହାପରେ ସ୍ଥାନୀୟ ଲୋକେ ସବୁକିଛି ଅବଗତ କରାଇଲେ । ପରଦିନ ବ୍ରହ୍ମପୁରରୁ ପ୍ରାଣୀ ଚିକିତ୍ସା ବିଭାଗର ଦୁଇଜଣ ରିସର୍ଚ୍ଚ ପର୍ସନ୍ ଏବଂ ଭଂଜନଗର କାର୍ଯ୍ୟାଳୟର ଅଧିକାରୀ ପହଞ୍ଚିଥିଲେ । ଗାଲେରୀ ସମେତ ନିକଟସ୍ଥ ହରିଗଡ ଗାଁକୁ ଯାଇ ବିଭିନ୍ନ ଚିକେନ୍ ସେଣ୍ଟରର କୁକୁଡାମାନଙ୍କର ରକ୍ତ ନମୁନା ସଂଗ୍ରହ କରି ଫେରିଯାଇଥିଲେ ।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ପ୍ରକାରେ କାଉ ମୃତ୍ୟୁର କାରଣ କିମ୍ବା ନିରାକରଣ ସଂକ୍ରାନ୍ତରେ କୌଣସି ଅନୁଧ୍ୟାନ କଲେନି ରିସର୍ଚ୍ଚ ଟିମ୍ । ଯାହା ଫଳରେ କାଉ ମୃତ୍ୟୁ ଘଟଣାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା କିମ୍ବା ଅନ୍ୟ କୌଣସି ପ୍ରାଣୀ ଓ ମଣିଷଙ୍କୁ ସଂକ୍ରମଣର ଆଶଙ୍କା ସୃଷ୍ଟି ହୋଇଛି ସ୍ଥାନୀୟ ଲୋକଙ୍କ ଭିତରେ । ଏ ସଂକ୍ରାନ୍ତରେ ଲୋକଙ୍କୁ ସଚେତନ କରାଯାଇନଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । କାଉ ମଡକ ଚାଲିଛି, କୁକୁଡା ରକ୍ତ ନମୁନା ସଂଗ୍ରହ କରୁଛନ୍ତି ପ୍ରାଣୀ ଚିକିତ୍ସା କର୍ମଚାରୀ । ଅବଶ୍ୟ ଏଭଳି ସଂକ୍ରମଣ ସମୟରେ କୁକୁଡ଼ାଙ୍କ ସୁରକ୍ଷା ଜରୁରୀ ।
କିନ୍ତୁ କାଉ ମୃତ୍ୟୁର କାରଣ ନଖୋଜିଲେ କିମ୍ବା ପ୍ରତିକାର କରାନଗଲେ ଅନ୍ୟ ପ୍ରାଣୀଙ୍କ ସଂକ୍ରମଣ ଆଶଙ୍କାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ ବୋଲି ଏବେ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ, ଚିକେନ୍ ସେଣ୍ଟରର କୁକୁଡା ବ୍ୟତୀତ କିଛି କୁକୁଡା ପାଳକଙ୍କର ଦେଶୀ କୁକୁଡା ମାନେ ମଧ୍ୟ କାଉଙ୍କ ଭଳି ସଂକ୍ରମିତ ହୋଇ ମରୁଥିବା ଅଭିଯୋଗ ହୋଇଛି । ଯାହାଫଳରେ ଖୋଲା ସ୍ଥାନରେ ଚରାବୁଲା କରୁଥିବା ଉଭୟ କାଉ ଓ କୁକଡା କୌଣସି କାରଣ ଯୋଗୁଁ ସଂକ୍ରମିତ ହୋଇ ମାରୁଥିବା ସ୍ପଷ୍ଟ ହୋଇଛି ।
ସଂକ୍ରାମିତ ରୋଗ ରହିଲା ଜଣକ ପାଖରେ, ରକ୍ତ ନମୁନା ସଂଗ୍ରହ ହେଲା ଅନ୍ୟ ଜୀବଙ୍କର । ରୋଗର କାରଣ ଭିନ୍ନ କିଛି ବୟାନ କରୁଥିବା ବେଳେ, “ନଡିଆ ଗଛକୁ ବିଜୁଳି ମାରିଲେ, ଗୁଆ ଗଛ ପୋଡ଼ି ମରୁଛି” ଭଳି ପ୍ରାଣୀ ଚିକିତ୍ସା ବିଭାଗର ଏଭଳି କାର୍ଯ୍ୟକଳାପ । ଏହାସହ ଆଉକିଛି ଗୁରୁତ୍ବପୂର୍ଣ୍ଣ କାରଣ ଲୁଚାଇ ଦିଆଯାଉଛି ବୋଲି ଏବେ ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ଏସଂକ୍ରାନ୍ତରେ ଘଟଣା ସ୍ଥଳକୁ ଯାଇଥିବା ରିସର୍ଚ୍ଚ ଟିମ୍ କିମ୍ବା ବିଭାଗୀୟ ଅଧିକାରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାପାଇଁ ମନା କରିଥିଲେ ।