ଗାଡ଼ି ସାଇଡ୍ ଦେବାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ଯରେ ବଚସା, ଭୁଜାଲି ମାଡ଼ରେ ଜଣେ ଗୁରୁତର ଆହତ

ସମ୍ବଲପୁର: ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ଦେଉଳବନ୍ଧ ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ । ସାମାନ୍ୟ କଥାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ମୋଡ଼ିପଡ଼ା ଅଞ୍ଚଳର ବିହାରୀପଡା ଓ ଭଙ୍ଗାମୁଣ୍ଡା ଅଞ୍ଚଳର ଯୁବକ ମାନଙ୍କ ମଧ୍ଯରେ ଗଣ୍ଡଗୋଳ ହୋଇଛି । ଫଳରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି ।
ସୂଚନା ମୁତାବକ, ବିହାରିପଡାର କିଛି ଯୁବକ ଦେଉଳବନ୍ଧ ଅଞ୍ଚଳ ଦେଇ ବାଇକରେ ଯାଉଥିବା ବେଳେ ସମ୍ମୁଖରୁ କିଛି ଯୁବକ ଆସୁଥିଲେ । ସାଇଡ୍ ଦେବାକୁ କେନ୍ଦ୍ରକରି ପ୍ରଥମେ ଉଭୟ ପକ୍ଷରୁ ଗାଳି ଗୁଲଜ ହୋଇଥିଲା । ପରେ ଏହା ଆକ୍ରମଣର ରୂପ ନେଇଥିଲା । ଦୁଇ ଜଣ ଯୁବକଙ୍କୁ ଭୁଜାଲିରେ ଆକ୍ରମଣ କରାଯାଇଥିବା ବେଳେ ଜଣଙ୍କୁ ଠେଙ୍ଗାରେ ଆକ୍ରମଣ କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଜଣେ ଯୁବକ ଗୁରୁତର ଆହତ ଥିବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି ।