କଂଗ୍ରେସର ବିଧାନସଭା ଘେରାଉ: ଏହି ସବୁ ରାସ୍ତାରେ ନ ଯିବାକୁ କମିଶନରେଟ୍ ପୋଲିସର ଅପିଲ୍

ଭୁବନେଶ୍ୱର : ଭୁବନେଶ୍ବରରେ ପୋଲିସ ଛାଉଣୀ । କଂଗ୍ରେସ ବିକ୍ଷୋଭ ପାଇଁ ଜଗିଛନ୍ତି ୮୦ ପ୍ଲାଟୁନ୍ ପୋଲିସ ଫୋର୍ସ । କଂଗ୍ରେସର ବିଧାନସଭା ଘେରାଉକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି  । ନାରୀ ନିର୍ଯାତନା ବୃଦ୍ଧି ପ୍ରତିବାଦରେ ଆଜି ରାସ୍ତାକୁ ଓହ୍ଲାଇବ କଂଗ୍ରେସ । ବିଧାନସଭାକୁ ସଂଯୋଗ କରୁଥିବା ସବୁ ରାସ୍ତା ସିଲ୍ । ରାଜମହଲରୁ ରୂପାଲି ଛକ, ଏଜିରୁ କେଶରୀ ଟକିଜ୍ ରାସ୍ତାରେ ଟ୍ରାଫିକ କଟକଣା ଜାରି କରାଯାଇଛି । ରାଜମହଲ ଛକରୁ ରୁପାଲି ଛକ ଯାଏ ରାସ୍ତାରେ ଦିନ ୯ଟାରୁ ଅପରାହ୍ଣ ୩ଟା ଯାଏ ଟ୍ରାଫିକ ସମସ୍ୟାର ଆଶଙ୍କା ରହିଛି । ଟ୍ରାଫିକ ସମସ୍ୟାକୁ ଏଡ଼ାଇବା ଲାଗି ଏହି ରାସ୍ତା ଦେଇ ନଯାଇ ଅନ୍ୟ ରାସ୍ତାରେ ଯିବାକୁ କମିଶନରେଟ ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି । ନିରାପଦ ଓ ବାଧାମୁକ୍ତ ଯାତ୍ରା ପାଇଁ ପୋଲିସକୁ ସହଯୋଗ କରିବାକୁ କୁହାଯାଇଛି  । ବିଧାନସଭା ଆଗରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବ୍ୟାପକ ପୋଲିସ ମୁତୟନ କରାଯାଇଛି । ସାଢେ ୯ଟା ସୁଦ୍ଧା ଅଫିସ ଆସିବାକୁ ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଅନୁସାରେ ନାରୀ ନିର୍ଯାତନା ବୃଦ୍ଧି ପ୍ରତିବାଦରେ ଆଜି ରାସ୍ତାକୁ ଓହ୍ଲାଇବ କଂଗ୍ରେସ । ବିଧାନସଭା ଘେରାଉ କରିବ ଦଳ । ସକାଳ ଦିନ ୧୦ଟାରେ ଭୁବନେଶ୍ବର ରାମମନ୍ଦିର ଠାରୁ କଂଗ୍ରେସଭବନ ପର୍ଯ୍ୟନ୍ତ ରାଲି ବାହାରିବ । ଏଥିରେ ପିସିସି ସଭାପତି, ଦଳର ବରିଷ୍ଠ ନେତା, ବିଧାୟକ, ଛାମୁଆ ସଂଗଠନର କର୍ମକର୍ତ୍ତା ସାମିଲ ହୋଇ ବିକ୍ଷାେଭ ପ୍ରଦର୍ଶନ କରି ବିଧାନସଭା ପର୍ଯ୍ୟନ୍ତ ଯିବେ । ବିଧାନସଭା ଘେରାଉ କରାଯିବ ବୋଲି କହିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ । ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ପ୍ରସଙ୍ଗରେ ଗୃହ କମିଟି ଗଠନ ପାଇଁ ଦାବି କରିଆସୁଛି କଂଗ୍ରେସ । ଏନେଇ ବିଧାନସଭାରେ ଦଳର ବିଧାୟକମାନେ ପ୍ରତିବାଦ କରିଛନ୍ତି । ବିଶୃଙ୍ଖଳିତ ଆଚରଣ ପାଇଁ ଦଳର ସମସ୍ତ ୧୪ ବିଧାୟକ ସାତ ଦିନ ପାଇଁ ବିଧାନସଭାରୁ ନିଲମ୍ବିତ ହୋଇଛନ୍ତି । ତେଣୁ ଆଜି କଂଗ୍ରେସ ଜୋରଦାର ବିକ୍ଷୋଭ କରିବା ବୋଲି କୁହାଯାଉଛି ।

 

ଆହୁରି ପଢ଼ନ୍ତୁ : କଂଗ୍ରେସ ଉପରେ ବର୍ଷିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ