ରାଜ୍ୟରେ ଖସୁଛି କଂଗ୍ରେସ, ହସୁଛି ବିଜେପି : ପ୍ରମୁଖ ବିରୋଧୀ ଦଳର ଆସନ ନେଇଛି ଛଡାଇ

ରାଜ୍ୟରେ ଖସୁଛି କଂଗ୍ରେସ । ହସୁଛି ବିଜେପି । କଂଗ୍ରେସଠାରୁ ପ୍ରମୁଖ ବିରୋଧୀ ଦଳ ଆସନ ଛଡାଇ ନେଇଛି ବିଜେପି । ବିଜେଡି ପରେ ରାଜ୍ୟରେ ନମ୍ବର ଟୁ ଦଳ ବିଜେପି । ୨୦୦୦ ମସିହାରୁ କଂଗ୍ରେସ ପ୍ରମୁଖ ବିରୋଧୀ ଦଳ ଥିଲା । ହେଲେ ଏବେ କଂଗ୍ରେସର ଭବିଷ୍ୟତ କଣ । ଆଗକୁ ମୂଳପୋଛ ହେବ ନା ଉନ୍ନତିର କୌଣସି ସମ୍ଭାବନା ଅଛି,ବର୍ତ୍ତମାନ ଦଳ ଆଗରେ ଏହି ବଡ଼ ପ୍ରଶ୍ନ ହୋଇ ଠିଆ ହୋଇଛି।

ରାଜ୍ୟରେ କଂଗ୍ରେସ ହରାଇଛି ପ୍ରମୁଖ ବିରୋଧୀ ଦଳର ମାନ୍ୟତା। ପ୍ରଥମ ଥର ବିଜେପି ନେଇଛି ପ୍ରମୁଖ ବିରୋଧୀ ଦଳ ମାନ୍ୟତା। ୨୦୦୦ରେ କଂଗ୍ରେସକୁ ହଟାଇ ସରକାର ଗଠନ କରିଥିଲା ବିଜେଡି। ଭାଗିଦାରୀ ଥିଲା ବିଜେପି। ସେ ସମୟରେ କଂଗ୍ରେସ ଜିତିଥିଲା ୨୬ଟି ଆସନ। ଭୋଟ ସେୟାର ଥିଲା ୩୩.୭୮ ପ୍ରତିଶତ। ୨୦୦୪ରେ ଏଥିରେ ଉନ୍ନତି ଆସିଥିଲା। ଆସନ ସଂଖ୍ୟା ଥିଲା ୩୮ ଓ ଭୋଟ ସେୟାର ଥିଲା ୩୪.୮୨। କିନ୍ତୁ ଏହାପରଠାରୁ କଂଗ୍ରେସ ନିରନ୍ତର ଭାବେ ନିମ୍ନଗାମୀ ହେବାରେ ଲାଗିଛି। ୨୦୦୯ରେ ୨୭ ଆସନ ଓ ଭୋଟ ସେୟାର ଥିଲା ୨୯.୧୦ ପ୍ରତିଶତ। ୨୦୧୪ରେ ୧୬ ଆସନ ଓ ଭୋଟ ସେୟାର ଥିଲା ୨୫.୭୧ ପ୍ରତିଶତ। ୨୦୧୯ରେ ଆସନ ସଂଖ୍ୟା ୨ ଅଙ୍କ ମଧ୍ୟ ଛୁଇଁ ନଥିଲା। ୯ ଆସନ ପାଇଛି କଂଗ୍ରେସ, ଭୋଟ ସେୟାର ରହିଛି ୧୬.୧୨ ପ୍ରତିଶତ। ଅର୍ଥାତ ଗତ ତିନିଟି ନିର୍ବାଚନ ହେଲା ନିମ୍ନଗାମୀ କଂଗ୍ରେସ। ଆଗକୁ କଣ? ଓଡ଼ିଶାରୁ କଂଗ୍ରେସ ଇତିହାସ ହୋଇଯିବ। ଚିହ୍ନବର୍ଣ୍ଣ ହଜିଯିବ। ନା ରିଭାଇଭାଲର କୌଣସି ସୁଯୋଗ ଅଛି।

bjp

ଓଡ଼ିଶାରେ କଂଗ୍ରେସ ଖସୁଛି। ବିଜେପି ହସୁଛି। ୨୦୦୦ ଓ ୨୦୦୪ରେ ବିଜେଡି ସହ ମେଣ୍ଟରେ ଥିଲା ବିଜେପି। ୨୦୦୦ ମସିହାରେ ୩୮ ଆସନ ପାଇଥିଲା, ଭୋଟ ସେୟାର ଥିଲା ୧୮.୨୦ ପ୍ରତିଶତ। ୨୦୦୪ରେ ୩୨ ଆସନ ସହ ୧୭.୧୧ ପ୍ରତିଶତ ଭୋଟ ପାଇଥିଲା ଦଳ। ୨୦୦୯ରେ ଭାଙ୍ଗିଥିଲା ମେଣ୍ଟ। ସେ ସମୟରେ ବିଜେପିକୁ ମିଳିଥିଲା ମାତ୍ର ୬ଟି ଆସନ, ଭୋଟ ସେୟାର ଥିଲା ୧୫.୦୫ ପ୍ରତିଶତ। ୨୦୧୪ରେ ୧୦ ଆସନ ସହ ଭୋଟ ସେୟାର ଥିଲା ୧୭.୯୯ ପ୍ରତିଶତ। ୨୦୧୯ରେ ବିଜେପିକୁ ମିଳିଛି ୨୩ ଆସନ ଓ ଭୋୟ ସେୟାର ବୃଦ୍ଧି ପାଇ ୩୨.୫୦ ପ୍ରତିଶତରେ ପହଞ୍ଚିଛି। ଅର୍ଥାତ ବିଜେପି ଭୋଟ ହାର ପ୍ରାୟ ୧୫ ପ୍ରତିଶତ ବଢିଛି। ୨୦୦୦ରୁ ୨୦୧୪ ଯାଏ, କଂଗ୍ରେସର ଭୋଟ ନିଜ ଆଡକୁ କରୁଥିଲା ବିଜେଡି। କିନ୍ତୁ ୨୦୧୯ରେ କଂଗ୍ରେସକୁ ଅଧିକ କ୍ଷତି ପହଞ୍ଚାଇଛି ବିଜେପି।

୨୦୦୦ ମସିହାରେ କଂଗ୍ରେସ ଭୋଟ ସେୟାର, ବିଜେପି ଓ ବିଜେଡିଠାରୁ ଅଧିକ ଥିଲା। ଏବେ କିନ୍ତୁ ପରିସ୍ଥିତି ପୁରା ଓଲଟା। କଂଗ୍ରେସ ପୁରା ତଳେ। ବର୍ତ୍ତମାନ କଂଗ୍ରେସ-ବିଜେପି ଲଢେଇ ଭିତରେ ବିଜେଡି ନିଜର ଭୋଟ ବଢାଇ ଚାଲିଛି। ବିଜେଡିର ସେୟାର ୨୦୦୦ ମସିହାରେ ୨୯.୪୦% ଥିଲା। ୨୦୦୪ରେ ୨୭.୩୬%, ୨୦୦୯ରେ ୩୮.୮୬% ଓ ୨୦୧୪ରେ ଥିଲା ୪୩.୩୬%। ୨୦୧୯ରେ ଏହା ବୃଦ୍ଧି ପାଇ ୪୪.୭୧ ପ୍ରତିଶତ ହୋଇଛି। ଅର୍ଥାତ ୨୦୦୦ ମସିହାରୁ ବିଜେଡି ଭୋଟ ସେୟାର ବଢୁଛି। କିନ୍ତୁ ୨୦୧୯ରେ ଭୋଟ ସେୟାର ବୃଦ୍ଧି ହାର ବିଜେପିର ଅଧିକ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.