ଆଉ ଏକ ନୂଆ ଉପାୟ ବାଛିଲେ କଂଗ୍ରେସ ବିଧାୟକ, ଚା’ ପିଇ କଲେ ପ୍ରତିବାଦ

ଭୁବନେଶ୍ବର: ଭୁବନେଶ୍ବରରେ ଏକ ଚା ଖଟିରେ ନିଆରା ଢଙ୍ଗରେ ପ୍ରତିବାଦ କରିଛି କଂଗ୍ରେସ । ବିଧାନସଭାରୁ ନିଲମ୍ବିତ ହୋଇଥିବା କିଛି କଂଗ୍ରେସ ବିଧାୟକ ଓ ବରିଷ୍ଠ ନେତା ଗତକାଲି ସଂଧ୍ୟାରେ ସ୍ବତନ୍ତ୍ର ଟି-ସାର୍ଟ ପିନ୍ଧି ଚା ପିଇ ପ୍ରତିବାଦ କରିଛନ୍ତି । ସମାନ ରଙ୍ଗର ଟି ସାର୍ଟ ପିନ୍ଧି ହୋଟେଲ ମେ ଫେୟାରରେ ଏକତ୍ର ଚା ପିଇଛନ୍ତି । ସାମ୍ନା ପଟେ ଲେଖାଯାଇଥିଲା କ୍ରାଇମ କୋଶ୍ଚିନ ଏବଂ କୋଶ୍ଚିନ ଅନ୍ ଓମେନ ସେପ୍ଟି । ପଛପଟେ କେତେ ମାସରେ କେତେ ଗଣଦୁଷ୍କର୍ମ ହୋଇଛି ଏବଂ ୫ ବର୍ଷରେ କେତେ ମହିଳା ଏବଂ ଶିଶୁ ନିଖୋଜ ହୋଇଛନ୍ତି ତାହା ଉଲ୍ଲେଖ ରହିଛି ।

ଅନ୍ୟପଟେ ମାଆ ଓ ଝିଅମାନଙ୍କର ସୁରକ୍ଷା ପାଇଁ ଆମେ ଦାବି କରୁଛୁ ବୋଲି କହିଛି କଂଗ୍ରେସ । ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ପାଉଛି । ସ୍କୁଲରେ ଝିଅମାନେ ପ୍ରସବ କଲେଣି, ଏହା ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି । ରାଜ୍ୟରେ ୫ ବର୍ଷରେ ୬୪ ହଜାର ଚାରିଶହ ଷାଠିଏ ଜଣ ମହିଳା ଓ ଶିଶୁ ନିଖୋଜ, ୮ ମାସରେ ୫୪ ଟି ଗଣଦୁଷ୍କର୍ମ ହୋଇଛି । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଭୁଶୁଡି ପଡିଛି ସରକାର କିନ୍ତୁ ନିଦାବିଷ୍ଣୁ ସାଜିଛି । ଗୃହ କମିଟି ଗଠନ ପାଇଁ ଦାବି କରିବାରୁ କଂଗ୍ରେସ ବିଧାୟକମାନଙ୍କୁ ନିଲମ୍ବିତ କରିଛନ୍ତି ସରକାର । ତେଣୁ ଆମେ ଏକଛତ୍ରବାଦ ସରକାରଙ୍କ ବିରୋଧରେ ଜନ ସଚେତନା ସୃଷ୍ଟି କରୁଛୁ ବୋଲି କହିଛନ୍ତି କଂଗ୍ରେସ ନେତା । ସରକାରଙ୍କ ଦୋମୁହଁ ନୀତିକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରତିବାଦ ଚାଲିଛି ଚାଲିବ ।  ବିଧାନସଭା ଘେରାଉରେ ଓଡ଼ିଶାର ହଜାର ହଜାର ମହିଳା ସାମିଲ ହେବାକୁ କଂଗ୍ରେସ ଆହ୍ବାନ ଦେଇଛି ।

 

ଆହୁରି ପଢ଼ନ୍ତୁ : କାଲି କଂଗ୍ରେସ ଘେରିବ ବିଧାନସଭା, ବିଧାୟକଙ୍କୁ ନିଲମ୍ବନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ