ମୁହଁ ଖୋଲିଲେ କଂଗ୍ରେସ ରାଜ୍ୟସଭା ସାଂସଦ ରଞ୍ଜୀବ ବିଶ୍ୱାଳ, କହିଲେ ମୁଁ ଏବେ ବି କଂଗ୍ରେସରେ ଅଛି ଆଗକୁ ମଧ୍ୟ ରହିବି
କେନ୍ୟୁଜ୍: ବର୍ତ୍ତମାନ କଂଗ୍ରେସର ବିପର୍ଯ୍ୟୟ ଆସିଛି। ଦଳର ପରାଜୟ ପାଇଁ ଆମେ ସମସ୍ତେ ଦାୟୀ। ବିଶ୍ୱସନୀୟ ନେତାଙ୍କୁ ନେଇ ଏକଜୁଟ ହେବାର ଆବଶ୍ୟକତା ରହିଛି। ଦୀର୍ଘ ଦିନର ବ୍ୟବଧାନ ପରେ ମୁହଁ ଖୋଲିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ରଞ୍ଜୀବ ବିଶ୍ୱାଳ। ଗଣମାଧ୍ୟମକୁ କଂଗ୍ରେସ ସଂଗଠନ ସମ୍ପର୍କରେ ପ୍ରତିକ୍ରିୟାରେ ଏକଥା କହିଛନ୍ତି ରଞ୍ଜୀବ। ସେହିପରି ସେ ଆହୁରି କହିଛନ୍ତି, ମୁଁ ଏବେ ବି କଂଗ୍ରେସରେ ଅଛି । ଆଗକୁ ମଧ୍ୟ ରହିବି, କଂଗ୍ରେସରେ ମୋର ଜନ୍ମ । ମୁଁ ମନର ରାଜା, କାହା ଆଗରେ ମୁଣ୍ଡ ନୁଆଁଇ ନାହିଁ। ଯେତେବେଳ ଯାଏ ଭଲ ଲାଗିବ ଥିବି, ଯେତେବେଳେ ଭଲ ନ ଲାଗିବ ନଥିବି। ଟଙ୍କା ଯଚା ଯାଇଥିବା ଅଭିଯୋଗ ଉପରେ ରଞ୍ଜୀବ କହିଛନ୍ତି, କୌଣସି ଦଳ ମୋତେ ଟଙ୍କା ଯାଚି ନାହାନ୍ତି । ପିସିସି ସଭାପତି ହେବା ନେଇ ପ୍ରଶ୍ନର ଉତ୍ତରରେ କହିଛନ୍ତି, ମୋର ପିସିସି ସଭାପତି ହେବାକୁ ଆଶା ନାହିଁ । ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ଭାବେ ରହିବା ଦରକାର । ତାଙ୍କୁ ଆହୁରି ଅଧିକ ଦାୟିତ୍ୱ ନେବାର ମଧ୍ୟ ଆବଶ୍ୟକତା ରହିଛି । ସଂସଦରେ ତ୍ରିପଲ ତଲାକ ଆଗତ ବେଳେ ଅନୁପସ୍ଥିତ ଥିଲେ ରଞ୍ଜୀବ ବିଶ୍ୱାଳ। ଏହା ଉପରେ ପ୍ରତିକ୍ରିୟା ରଖି କହିଛନ୍ତି, ଜଣେ ସଂପର୍କୀୟଙ୍କ ଅପରେସନ ଥିବାରୁ ସେ ଯାଇପାରିନଥିଲେ ।
ରଞ୍ଜୀବ ବିଶ୍ୱାଳଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । କହିଛନ୍ତି, ବିଶ୍ୱାଳ ଓ ପଟ୍ଟନାୟକ ପରିବାର ବାଦ କଂଗ୍ରେସରେ ଅନେକ ଲୋକ ଅଛନ୍ତି । କିଏ ଆସିବ, କିଏ ଯିବ ସେଥିରେ କିଛି ଅସୁବିଧା ନାହିଁ ।