କନଷ୍ଟେବଳ ପଦରେ ନିଯୁକ୍ତି ପାଇଁ ପ୍ରକାଶିତ ବିଜ୍ଞପ୍ତିରେ ସର୍ବାଧିକ ବୟସ ସୀମା ସଂକ୍ରାନ୍ତରେ ରହିଥିବା ସର୍ତ୍ତକୁ ଚାଲେଞ୍ଜ କରି ଦାୟର ମାମଲାରେ ହାଇକୋର୍ଟ ଜବାବ ତଲବ କରିଛନ୍ତି । ରାଜ୍ୟ ଗୃହ ବିଭାଗ, ପୁଲିସ ଡିଜି, ଆଇଜି, ଷ୍ଟେଟ ସିଲେକ୍ସନ ବୋର୍ଡକୁ ହାଇକୋର୍ଟ ନୋଟିସ୍ ଜାରି କରି ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ଏହି ପଦବି ପାଇଁ ଆବେଦନକାରୀଙ୍କ ଦରଖାସ୍ତକୁ ଗ୍ରହଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନିଯୁକ୍ତି ବିଜ୍ଞପ୍ତିରେ ସଂଶୋଧନ କରି ସର୍ବାଧିକ ବୟସ ସୀମା ବୃଦ୍ଧି କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ରାଜୀବ ରଥ ମାମଲା ପରିଚାଳନା କରୁଛନ୍ତି ।
ପ୍ରତିବର୍ଷ ଖାଲି ପଡ଼ିଥିବା ପଦବୀ ଆଧାରରେ ନିଯୁକ୍ତି ପ୍ରକ୍ରିୟା କରାଯିବାର ନିୟମ ରହିଥିଲେ ବି ୨୦୧୮ ମସିହା ପରଠାରୁ ଆଉ ନିଯୁକ୍ତି କରାଯାଇନାହିଁ । ଦୀର୍ଘ ୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ନିଯୁକ୍ତି ପ୍ରକ୍ରିୟା ବନ୍ଦ ଥିବାରୁ ସର୍ବାଧିକ ବୟସସୀମା କୋହଳ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅନେକ ଆଶାୟୀ । କନଷ୍ଟେବଳ ପଦ ପାଇଁ ସରକାର ବୟସ ସୀମା କୋହଳ ନ କରିବା ଦ୍ବାରା ବହୁ ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ନିଯୁକ୍ତି ପ୍ରକ୍ରିୟାରୁ ବଞ୍ଚିତ ହେବେ ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଛି । କୋର୍ଟ ସେମାନଙ୍କ ଆବେଦନକୁ ଗ୍ରହଣ କରିବା ସହ ଆବେଦନ କରିବାକୁ ଅନୁମତି ଦେଇଛନ୍ତି ।