ବ୍ରହ୍ମପୁରରେ ନିର୍ମାଣ ହେବ “ଗଞ୍ଜାମ ହାଟ”

ବ୍ରହ୍ମପୁର(କେନ୍ୟୁଜ୍): ବ୍ରହ୍ମପୁରବାସୀଙ୍କ ପାଇଁ ଖୁସି ଖବର। ଖୁବ୍‌ଶୀଘ୍ର ବ୍ରହ୍ମପୁରରେ ପ୍ରତିଷ୍ଠା ହେବ ‘‘ଗଞ୍ଜାମ ହାଟ’’। କୋଣାର୍କ ମନ୍ଦିର ହ୍ୱିଲ ଷ୍ଟାଇଲରେ ନିର୍ମାଣ ହେବାକୁ ଥିବା ଏହି ହାଟରେ ଜିଲ୍ଲା ତଥା ଜିଲ୍ଲା ବାହାରର କଳା ଓ ସଂସ୍କୃତି ସହ ପିଲାଠାରୁ ବୁଢାଙ୍କ ଯାଏଁ ରହିବ ମନୋରଂଜନ ଭିତ୍ତିକ ସାମଗ୍ରୀ। ଏଥିସହ ରହିବ ମୁକ୍ତାକାଶ ରଙ୍ଗମଞ୍ଚ। ଏଥିରେ ପ୍ରାତଃଭ୍ରମଣ ପାଇଁ ମଧ୍ୟ ସ୍ୱତନ୍ତ୍ର ଚଲାପଥ ଓ ଭିନ୍ନକ୍ଷମଙ୍କ ପାଇଁ ଓପନ ଜିମର ବ୍ୟବସ୍ଥା ରହିବ। ସହରର କର୍ପୋରେସନ୍‌ ରୋଡରେ ତଥା ବିଜୁପଟ୍ଟନାୟକ ପାର୍କ ସାମ୍ନାରେ ଥିବା ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷଙ୍କ ବିସ୍ତୀର୍ଣ୍ଣ ପଡିଆକୁ ଏଥିପାଇଁ ଚିହ୍ନଟ କରାଯାଇଛି। ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହାର ପରିକଳ୍ପନା କରାଯାଇଥିବା ବେଳେ ୩୩ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ଏହି ଗଞ୍ଜାମ ହାଟର ଡିଜାଇନ ମଧ୍ୟ ଅନୁମୋଦନ ହୋଇଛି। ଆଗାମୀ ୪୫ ଦିନ ମଧ୍ୟରେ ଟେଣ୍ଡର କାର୍ଯ୍ୟ ସରିବା ପରେ ଏହାର ନିର୍ମାଣ କାମ ଆରମ୍ଭ ହେବ ବୋଲି ଆଜି ବିଡିଏର ଏକ ସ୍ୱତନ୍ତ୍ର ବୈଠକରେ ନିଷ୍ପତ୍ତି ହୋଇଛି।  ଏହା ସହ ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ବସଷ୍ଟାଣ୍ଡ ଆସନ୍ତା ମାସ ୨ ତାରିଖରୁ କାର୍ଯ୍ୟକ୍ଷମ ହେବ ବୋଲି ମଧ୍ୟ ନିଷ୍ପତ୍ତି ହୋଇଛି।

marketବ୍ରହ୍ମପୁରବାସୀଙ୍କ ମନୋରଂଜନ ପାଇଁ ହାତଗଣତି କେତେଟା ସିନେମା ହଲ ଓ ଗୋପାଳପୁର ବେଳାଭୂମିକୁ ଛାଡିଦେଲେ ଅନ୍ୟକିଛି ନାହିଁ। ତେବେ ବିଳମ୍ବରେ ହେଲେ ମଧ୍ୟ ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ଏହି ପଡିଆରେ ଗଞ୍ଜାମ ହାଟ ପ୍ରତିଷ୍ଠା ହେବ। ଏହା ଦ୍ୱାରା ଜିଲ୍ଲାର କଳା ଓ ସଂସ୍କୃତିର ପ୍ରଚାରପ୍ରସାର ହେବା ସହି କଳାକାରଙ୍କୁ ସେମାନଙ୍କ କଳା ପ୍ରଦର୍ଶନ କରିବାକୁ ସୁଯୋଗ ମିଳିବ। ଅପରପକ୍ଷେ ଏଠାରେ ଖାଦ୍ୟ ଓ ଜିଲ୍ଲାର ଗ୍ରାମାଞ୍ଚଳରୁ ଉତ୍ପାଦିକ ଅନ୍ୟାନ୍ୟ ସାମଗ୍ରୀର ବିପଣନ ବ୍ୟବସ୍ଥା ରହିଲେ ତାହା ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିପାରିବ। ଏହା ପ୍ରତିଷ୍ଠା ହେଲେ ସହରବାସୀଙ୍କ ପାଇଁ ମନୋରଂଜନର ଏକ ପ୍ରମୁଖ ସ୍ଥଳ ହୋଇପାରିବ ବୋଲି ବ୍ରହ୍ମପୁର ବିଧାୟକ ଓ ସାଂସଦ ମତ ରଖିଛନ୍ତି। ଆଜିର ବୈଠକରେ ବିଡିଏ ଅଧ୍ୟକ୍ଷଙ୍କ ସମେତ ଗୋପାଳପୁର ବିଧାୟକ, ବ୍ରହ୍ମପୁର ସାଂସଦ ଓ ବ୍ରହ୍ମପୁର ବିଧାୟକ ଉପସ୍ଥିତ ଥିଲେ।