ଜୋର୍ରେ ନୁହେଁ ଆସ୍ତେ ବଜାଇବେ, ବାହାଘର ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଡିଜେ ଓ ମାଇକ୍ ଉପରେ ଅଙ୍କୁଶ, ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ
ଭୁବନେଶ୍ବର: ବାହାଘର ଓ ଅନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ କିମ୍ବା ଜନସଭାରେ ଡିଜେ ଓ ଡାକବାଜି ଯନ୍ତ୍ର ଉପରେ ଅଙ୍କୁଶ । ଶବ୍ଦ ପ୍ରଦୂଷଣ ଉପରେ ଅଙ୍କୁଶ ଲଗାଇବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଜଙ୍ଗଲ ଓ ପରିବେଶ ବିଭାଗ ସଦସ୍ୟ ସଚିବ କେ. ମୃଗସେନ ସମସ୍ତ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଚିଠି ଲେଖି ଶବ୍ଦ ପ୍ରଦୂଷଣ ଉପରେ ନଜର ରଖିବାକୁ କହିଛନ୍ତି ।
ଫେବ୍ରୁଆରୀ ୧୯ରେ ହୋଇଥିବା ପରିବେଶ ସମ୍ବନ୍ଧୀୟ ବୈଠକରେ ରାଜ୍ୟର ବିଭିନ୍ନ ସ୍ଥାନରେ ସୃଷ୍ଟି ହେଉଥିବା ଶବ୍ଦ ପ୍ରଦୂଷଣ ଉପରେ ମୁଖ୍ୟ ଶାସନ ସଚିବ ଅସନ୍ତୋଷ ପ୍ରକାଶ କରିଥିଲେ । ଡାକବାଜି ଯନ୍ତ୍ରର ଶବ୍ଦ ଯୋଗୁ ବୟସ୍କ, ରୋଗଗ୍ରସ୍ତ ତଥା ଶିଶୁମାନଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡୁଛି । ତେଣୁ ନିଜ ନିଜ ଅଞ୍ଚଳରେ ୬୫ ଡେସିବିଲ୍ରୁ ଅଧିକ ଶବ୍ଦରେ ଯେପରି ଡିଜେ କିମ୍ବା ଡାକବାଜି ଯନ୍ତ୍ର ବାଜିବନି ତାହା ଉପରେ ନଜର ରଖାଯିବ । ଡାକବାଜି ଯନ୍ତ୍ର କିମ୍ବା ଡିଜେ ବଜାଇବାକୁ ହେଲେ ଥାନାରୁ ଅନୁମତି ଆଣିବାକୁ ହେବ । ନିୟମର ଉଲଂଘନ ହେଲେ ଆଇନ ଅନୁଯାୟୀ ଦଣ୍ଡିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।