ଡାକ୍ତରଙ୍କ ଅବହେଳାରୁ ଗର୍ଭବତୀ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ମୃତଦେହ ରଖି କ୍ଲିନିକ ସମ୍ମୁଖରେ ଧାରଣା ଦେଲେ ପରିବାର ଲୋକେ

ଜଳେଶ୍ଵର: ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ଅନ୍ତର୍ଗତ ବଡ଼ବଜାର ନିକଟରେ ଥିବା ଜୟ ମା ନାମକ ଏକ ଘରୋଇ କ୍ଲିନିକ୍ ରେ ଡାକ୍ତରଙ୍କ ଅବହେଳା କାରଣରୁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି। କ୍ଲିନିକ ସମ୍ମୁଖରେ ମୃତଦେହ ରଖି ପରିବାର ଲୋକେ ଧାରଣା ଦେବା ସହିତ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି।

ସୂଚନା ଅନୁଯାୟୀ ଗତକାଲି ଭୋଗରାଇ ଥାନା ଅନ୍ତର୍ଗତ ଜୟରାମପୁର ଗ୍ରାମର ବଳରାମ ମହୁରୀଙ୍କ ସ୍ତ୍ରୀଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ ।ତେବେ ଅଲଟ୍ରାସାଉଣ୍ତ କରିବା ପରେ ସେଠାରେ ଥିବା ଜଳେଶ୍ବର ସ୍ଥିତ ଜୟ ମା କ୍ଲିନିକର ଜନୈକ ଦଲାଲ ଗର୍ଭବତୀ ମହିଳାଙ୍କୁ ଜଳେଶ୍ବର ନେଇ ଆଣିବା ପାଇଁ ପରିବାର ଲୋକଙ୍କୁ କହିଥିଲେ। ଉକ୍ତ ଦଲାଲଙ୍କ କଥାରେ ବିଶ୍ବାସ କରି ପରିବାର ଲୋକେ ଜଳେଶ୍ଵର ସ୍ଥିତ ଜୟମା କ୍ଲିନିକ୍ କୁ ତାଙ୍କର ଚିକିତ୍ସା କରିବା ପାଇଁ ନେଇ ଆସିଥିଲେ।

hospitalଗତକାଲି ଅପରାହ୍ନରେ ସବିତା ଗୋଟିଏ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ।  ଜନ୍ମ ପରେ ପିଲାଟିର ଦେହ ଅସୁସ୍ଥ ହେବାରୁ ଡାକ୍ତରଖାନା କତ୍ତୃପକ୍ଷ ଶିଶୁଟିକୁ ବାଲେଶ୍ଵର ଶିଶୁ ଭବନକୁ ପଠାଇଥିଲେ ଏବଂ ସବିତାଙ୍କୁ କ୍ଲିନିକରେ ରଖି ଚିକିତ୍ସା କରିଥିଲେ । ମାତ୍ର ଡାକ୍ତରଙ୍କ ଅବହେଳା କାରଣରୁ ଆଜି ଅପରାହ୍ନରେ ସବିତାଙ୍କ ମୂତ୍ୟୁ ହୋଇଯାଇଥିଲା। ତେବେ ମୃତ୍ଯୁ ପରେ ଡାକ୍ତରଖାନା କତ୍ତୃପକ୍ଷ ତାଙ୍କର ଦୋଷ ଲୁଚାଇବା ପାଇଁ ସବିତାକୁ ବାଲେଶ୍ଵର ଡାକ୍ତରଖାନା ନେଇଯିବାକୁ କହିଥିଲେ। ମାତ୍ର ପରିବାର ଲୋକଙ୍କ ସନ୍ଦେହ ହେବାରୁ ସବିତାଙ୍କୁ ଜଳେଶ୍ଵର ସ୍ଥିତ ଜିକେ ଭଟ୍ଟର ହସ୍ପିଟାଲକୁ ନେଇଯାଇଥିଲେ। ତେବେ ସେଠାରେ ଡାକ୍ତର ସବିତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପରିବାର ଲୋକେ କ୍ଲିନିକ୍ ସମ୍ମୁଖରେ ମୃତଦେହ ରଖି ଧାରଣା ଦେବା ସହ ପାଟିତୁଣ୍ଡ କରିଛନ୍ତି।

ଘଟଣା ସ୍ଥଳରେ ଜଳେଶ୍ଵର ଥାନାଧିକାରୀ ମାନସ ଦେଓ ଏବଂ ତହସିଲଦାର କ୍ଷିରୋଦ ପଣ୍ଡା ପହଞ୍ଚି ଉତ୍ଯକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଅଧିକ ତଦନ୍ତ କରୁଛନ୍ତି। ତେବେ ଏହି କ୍ଲିନିକ୍ ରେ ଏହା ପ୍ରଥମ ଘଟଣା ନୁହେଁ ପୂର୍ବରୁ ବହୁଥର ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି। ମାତ୍ର ପ୍ରଶାସନ ଏଦିଗରେ କୈାଣସି ପଦକ୍ଷେପ ନେଉନଥିବାରୁ ବାରମ୍ବାର ଏଭଳି ଘଟଣା ଘଟୁଥିବା ନେଇ ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.