ଅଜଣା ଗାଡ଼ି ଧକ୍କାରେ ଦମ୍ପତି ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ
କଣ୍ଟାବାଞ୍ଜି : ଅଜଣା ଗାଡ଼ି ଧକ୍କାରେ ଦମ୍ପତି ମୃତ । କ୍ଷତିପୂରଣ ଦାବିରେ ରାସ୍ତାରୋକ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପତ୍ରାପାଲି-(ଖ) ଗାଁ ନିକଟରେ ଘଟିଛି ଦୁର୍ଘଟଣା । ସକାଳୁ ସ୍ୱାମୀ-ସ୍ତ୍ରୀ ନିକଟରେ ଚାଷ ଜମିକୁ କାମ କରିବାକୁ ଯାଉଥିବା ବେଳେ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିଲା । ଏପରିକି ଚାଷ ପାଇଁ ନେଉଥିବା ବଳଦର ମଧ୍ୟ ମୃତ୍ୟୁ ହୋଇଛି ।
ସୂଚନା ଅନୁସାରେ ମୃତକଦ୍ୱୟ ହେଲେ ପତ୍ରାପାଲି(ଖ) ଗ୍ରାମର ଗମ୍ଭୀର ରଣା ଓ ତାଙ୍କ ସ୍ତ୍ରୀ ଗୀତା ରଣା । ଉଭୟ ଆଜି ବଡିଭୋରରୁ ନିଜର ଦୁଇ ବଳଦ ସହ ଜାତୀୟ ରାଜପଥ ଦେଇ ଗାଁ ପାଖ ଘଣ୍ଟବାହାଲି ଗ୍ରାମରେ ଥିବା ନିଜ କ୍ଷେତକୁ ଧାନ ବୁଣିବାକୁ ଯାଉଥିଲେ । ମାତ୍ର ପତ୍ରାପାଲି(ଖ) ଛକ ନିକଟରେ ଏକ ଅଜଣା ଗାଡ଼ି ଉଭୟଙ୍କୁ ଧକ୍କା ଦେଇ ଚାଲିଯାଇଥିଲା । ଫଳରେ ଘଟଣାସ୍ଥଳରେ ପତିପତ୍ନୀଙ୍କ ସମେତ ତାଙ୍କର ଏକ ବଳଦର ମୃତ୍ୟୁ ହୋଇଥିଲା । ଖବର ପାଇ ଉତ୍ତ୍ୟକ୍ତ ଗ୍ରାମବାସୀ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଜବତ ସହ ପରିବାର ଲୋକଙ୍କ କ୍ଷତିପୂରଣ ଦାବି ନେଇ ରାସ୍ତାରୋକ କରିଛନ୍ତି । ଘଟଣା ସ୍ଥଳରେ ମୁରିବାହାଲ ପୋଲିସ, କଣ୍ଟାବାଞ୍ଜି ଏସଡିପିଓ, ମୁରିବାହାଲ ତହସିଲଦାର ଉପସ୍ଥିତ ରହି ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି ।
ସେପଟେ ବଣାଇଁ ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥର ତାରିଣୀ ଢାବା ନିକଟରେ ଘଟିଛି ଦୁର୍ଘଟଣା । ଏକ ହାଇୱା ଗାଡି ଛିଡା ହୋଇଥିବା ବେଳେ ପଛପଟୁ ଏକ ଟ୍ରଲର ଗାଡି ଆସି ଧକ୍କା ଦେଇଥିଲା । ଫଳରେ ହାଇୱା ଗାଡିର ଡ୍ରାଇଭର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଟ୍ରଲର ଗାଡି ଚାଳକର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି ।