ଛାତିରେ ପଥର ରଖି ପାଞ୍ଚ ମାସର ଶିଶୁ କନ୍ୟାକୁ ଅନ୍ୟ ହାତକୁ ଟେକି ଦେଇଛନ୍ତି ଦମ୍ପତି

ଚାରୋଟି ପୁଅ ଓ ଚାରୋଟି ଝିଅଙ୍କୁ ଜନ୍ମ ଦେବା ପରେ ଭାଙ୍ଗିପଡ଼ିଛନ୍ତି ମହିଳା । ପିଲାଙ୍କ ମୁହଁକୁ ଆହାର ମୁଠେ ଯୋଗାଇବା ପାଇଁ ଅସମର୍ଥ ହେଲେ ଆଉ ଶେଷରେ ଛାତିରେ ପଥର ରଖି ପାଞ୍ଚ ମାସର ଶିଶୁ କନ୍ୟାକୁ ଅନ୍ୟ ହାତକୁ ଟେକି ଦେଇଛନ୍ତି ଦମ୍ପତି । ସ୍ବାମୀ ମଜୁରୀ କରି ଦୁଇ ପଇସା ଆଣିଲେ ଘରେ ଚୁଲ୍ଲୀ ଜଳେ । କିନ୍ତୁ ୮ଟି ଛୁଆଙ୍କୁ ପେଟ ପୁରିଲା ଭଳି ଖାଦ୍ୟ ଦେଇ ପାରିଲେନି ବାପା ମା’ । ବାଧ୍ୟ ହୋଇ ନବ ଜନ୍ମିତ ଶିଶୁ କନ୍ୟାକୁ ଜଣେ ସମ୍ପର୍କୀୟଙ୍କୁ ଦେଇଥିଲେ ।
ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଅନ୍ତର୍ଗତ କୋହି ଗାଁ ପଞ୍ଚାୟତ ଅଧିନ ସୋନପୁରିଆ ଗାଁର ଏକ ଦମ୍ପତି ତାଙ୍କର ପାଞ୍ଚ ମାସର ଶିଶୁକନ୍ୟାକୁ ସମ୍ପର୍କୀୟଙ୍କ ହାତରେ ଟେକି ଦେଇଥିବାର ଖବର ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ମୁତାବକ ସୋନପୁରିଆ ଗାଁର ଲାଖିୟା ହାଁସଦା ତାଙ୍କ ସ୍ୱାମୀ ମୋହନ ହାଁସଦାଙ୍କୁ ବିବାହ କରି ଦୀର୍ଘ ଦଶ ବର୍ଷରୁ ଉର୍ଦ୍ଧ୍ବ ଦିନ ହେବ ଏହି ଅଞ୍ଚଳରେ ରହିଆସୁଛନ୍ତି । ତାଙ୍କର ଚାରୋଟି ପୁଅ ଓ ଚାରୋଟି ଝିଅ ।
ଲାଖିୟା ହାଁସଦାଙ୍କ କହିବା ମୁତାବକ ତାଙ୍କର ସ୍ୱାମୀ ମୋହନ ଜଣେ ଦିନ ମଜୁରିଆ ଭାବେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରନ୍ତି । ତେବେ ଆଠଟି ସନ୍ତାନଙ୍କୁ ଲାଳନ ପାଳନ କରିବାକୁ ଅସମର୍ଥ ହେବାରୁ ଦମ୍ପତି ନବଜାତ ପାଞ୍ଚ ମାସର ଶିଶୁ କନ୍ୟାକୁ ଅନ୍ୟ ଜଣଙ୍କ ହାତରେ ଟେକି ଦେଇଛନ୍ତି । ପ୍ରତ୍ୟେକ ଦିନ ଘରକୁ ଆସୁଥିବା ଶୂଳିଆପଦା ଥାନା ଅନ୍ତର୍ଗତ ଧାତିକା ଗାଁର ଜଣେ ହାଣ୍ଡିବାଲାକୁ ଝିଅକୁ ଦେଇ ଦେଇଛନ୍ତି ଦମ୍ପତି ।
ସାମାଖୁଣ୍ଟା ବ୍ଲକ ଆମ୍ବସିକିଡା ଗାଁରେ ୨୦୦୯ ମସିହାରେ ବିବାହ କରିଥିଲେ ଲାଖିୟା । ବିବାହ ହେବାର କିଛିଦିନ ପରେ ବାପ ଘର ସୋନପୁରିଆକୁ ଚାଲି ଆସିଥିଲେ ଦମ୍ପତି । ତେବେ ସମସ୍ତ ଡକ୍ୟୁମେଣ୍ଟ ସାମାଖୁଣ୍ଟା ବ୍ଲକରେ ଥିବାରୁ ସେ ମୋରଡ଼ା ବ୍ଲକରେ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ଥିବା ପ୍ରକାଶ କରିଛନ୍ତି ।
ତେବେ ଲାଖିୟା ହାଁସଦା ନିଜ କଅଁଳା ଛୁଆକୁ ଅନ୍ୟ ହାତରେ ଟେକି ଦେଇଥିବା ଜାଣିବାକୁ ପାଇଥିଲେ ଅଙ୍ଗନୱାଡି ୱାର୍କର ଗାଉରା କିସ୍କୁ । ଏନେଇ ସେ ମୋରଡ଼ା ସିଡିପିଓ ବିଜୟଲକ୍ଷ୍ମୀ ଦଣ୍ଡପାଟଙ୍କୁ ଖବର ଦେଇଥିଲେ । ସିଡିପିଓ ସଙ୍ଗେ ସଙ୍ଗେ କୋହି ସୁପରଭାଇଜର ସୁଷମା ପାଣିଗ୍ରାହୀ ଏବଂ ଆଶା କର୍ମୀ ପ୍ରଜ୍ଞାପାରମିତା ନାୟକଙ୍କୁ ଲାଖିୟାଙ୍କ ଘରକୁ ପଠାଇଥିଲେ । ପରେ ବିଭାଗୀୟ ଅଧିକାରୀ ଏବଂ ଶୂଳିଆପଦା ପୋଲିସ ଘଟଣାସ୍ଥଳକୁ ଯାଇ ପିଲାକୁ ଉଦ୍ଧାର କରିଥିଲେ ।