ପାରିବାରିକ କଳହ: କିରାସିନି ଢାଳି ଦେହରେ ନିଆଁ ଲଗାଇଲେ ସ୍ତ୍ରୀ, ବଞ୍ଚାଇବାକୁ ଯାଇ ସ୍ବାମୀ ଗୁରୁତର

ସୋର : ପାରିବାରିକ କଳହର କରୁଣ ପରିଣତି । କିରାସିନି ଢାଳି ଦେହରେ ନିଆଁ ଲଗାଇଲେ ସ୍ତ୍ରୀ । ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ନିଆଁରେ ପୋଡ଼ି ହୋଇ ସ୍ବାମୀ ବି ଗୁରୁତର। ବାଲେଶ୍ୱର ଜିଲ୍ଲା ସୋର ଥାନା ଆଡ଼ିଆ ଗାଁରେ ଏହି ଦୁଃଖଦ ଘଟଣା ଘଟିଛି । ଗୁରୁତର ଅବସ୍ଥାରେ ଦମ୍ପତିଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ ଆଜି ସକାଳେ ଶଶିକାନ୍ତ ମହାରଣା ଓ ତାଙ୍କ ସ୍ତ୍ରୀ ଭାନୁମତିଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସ୍ତ୍ରୀ ଭାନୁମତି ମହାରଣା ନିଜ ଦେହରେ କିରୋସିନ୍ ଢାଳି ନିଆଁ ଲଗାଇଦେଇଥିଲେ । ଭାନୁମତିଙ୍କୁ ବଞ୍ଚାଇବାକୁ ଯାଇ ଶଶିକାନ୍ତ ଗୁରୁତର ହୋଇଛନ୍ତି । ଗାଁ ଲୋକ ଉଭୟଙ୍କୁ ଉଦ୍ଧାର କରି ପ୍ରଥମେ ସୋର ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ପରେ ଭାନୁମତିଙ୍କ ସ୍ଵାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି ।