ସମ୍ପର୍କୀୟଙ୍କୁ ଦେଖିବା ପାଇଁ ମେଡିକାଲ ଯାଉଥିବା ବେଳେ ଦୁର୍ଘଟଣାରେ ସ୍ୱାମୀ ସ୍ତ୍ରୀ ମୃତ

ବ୍ରହ୍ମପୁର: ଘରେ ୫ ବର୍ଷର ପୁଅକୁ ତା ମାମୁଁ ପାଖରେ ଛାଡ଼ି ଦେଲେ । ତାପରେ ସମ୍ପର୍କୀୟଙ୍କୁ ଦେଖିବା ପାଇଁ ମେଡ଼ିକାଲକୁ ଯାଉଥିଲେ ସ୍ୱାମୀ ସ୍ତ୍ରୀ । କିନ୍ତୁ ରାସ୍ତାରେ ତାଙ୍କ ସହ ଏମିତି କିଛି ଘଟିଗଲା ଯାହା କେହିବି କେବେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ । ବାଟ ଅଧାରେ ଯେମିତି ଛକି ବସିଥିଲା କାଳ । ସେମାନେ ସମ୍ପର୍କୀୟଙ୍କୁ ଦେଖିବା ପାଇଁ ମେଡଇକାଲ ଯିବେ କଣ ସେଇମାନଙ୍କୁ ଲୋକେ ରାସ୍ତାରୁ ଉଠାଇ ନେଇଥିଲେ ମେଡିକାଲ । ଏପଟେ କୁନି ପୁଅ ବାପା ମା’ଙ୍କ ଫେରିବା ବାଟକୁ ଚାହିଁ ବସିଥିଲା । ମା’ ବାପା ଆସିବେ ତାକୁ ଟିକିଏ ଗେଲ କରି କୋଳେଇ ନେବେ । କିନ୍ତୁ ସେମିତି ଆଉ ହେଲା ନାହିଁ । ତାକୁ ନେବା ପାଇଁ ମାମୁ ଘର ଫେରିଲେନି ବାପା ମା । ତା ବଦଳରେ ଖବର ଆସିଲା ବାପା ମାଙ୍କର ଦୁର୍ଘଟଣା କଥା । ସେହି ଦୁର୍ଘଟଣାରେ ବାପା ମା’ଙ୍କ ଜୀବନ ଚାଲି ଯାଇଛି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲୀ ଜାତୀୟ ରାଜପଥ-୧୬ ଛକରେ ।
ବ୍ରହ୍ମପୁର ଉପକଣ୍ଠ କନିଷିରେ ଅନେକ ବର୍ଷ ଧରି ଭଡ଼ା ଘରେ ରହୁଥିଲେ ପୋଲସରା ଅଞ୍ଚଳର ଦୁର୍ଗା ପ୍ରସାଦ ମିଶ୍ର ଓ ତାଙ୍କ ପତ୍ନୀ ଚିନ୍ମୟରାଣୀ ଶତପଥି । ତାଙ୍କର ୫ ବର୍ଷର ପୁଅଟିଏ । ଗତକାଲି ସନ୍ଧ୍ୟା ସମୟରେ ଦୁର୍ଗାଙ୍କର ଜଣେ ସମ୍ପର୍କୀୟଙ୍କ ଦେହ ଖରାପ ରହିଥିବା ଯୋଗୁଁ ତାଙ୍କୁ ଦେଖିବା ପାଇଁ ଯାଇଥିଲେ । କୁନି ପୁଅକୁ ଶଳା ପାଖରେ ଛାଡ଼ି ବାଇକରେ ଏମକେସିଜି ମେଡ଼ିକାଲ ଅଭିମୁଖେ ବାହାରିଥିଲେ ସ୍ୱାମୀ ସ୍ତ୍ରୀ । ତେବେ ମେଡ଼ିକାଲକୁ ଯିବା ବାଟରେ ଲାଞ୍ଜିପଲ୍ଲୀ ଛକରେ ଏକ ଟ୍ରକ ଦୁର୍ଗାଙ୍କ ବାଇକକୁ ପଛପଟୁ ଧକ୍କା ଦେଇଥିଲା । ଧକ୍କା ଦେବା ସହିତ ବାଇକକୁ କିଛି ଦୂର ପର୍ଯ୍ୟନ୍ତ ଘୋଷାଡ଼ି ଘୋଷାଡ଼ି ନେଇଥିଲା କାଳ ଭଳି ଯାଉଥିବା ଟ୍ରକଟି । ଘଟଣାସ୍ଥଳରେ ହିଁ ପତ୍ନୀ ଚିନ୍ମୟରାଣୀଙ୍କ ମୃତ୍ୟୁ ହୋଇଯାଇଥିଲା । ଆଉ ଗୁରୁତର ଅବସ୍ଥାରେ ଦୁର୍ଗାଙ୍କୁ ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସା ଚାଲିଥିବା ବେଳେ ଦୁର୍ଗାଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଥିଲା ।
ଘଟଣାକୁ ନେଇ ଗତକାଲି ରାତିରେ ଲାଞ୍ଜିପଲ୍ଲୀ ଜାତୀୟ ରାଜପଥ ଛକରେ ଉତ୍ତେଜନା ଦେଖା ଦେଇଥିଲା । ଦୀର୍ଘ ୪ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ସ୍ଥାନୀୟ ବାସିନ୍ଦା ଓ ମୃତକଙ୍କ ପରିବାର ଲୋକେ ରାସ୍ତାରୋକ କରିଥିଲେ । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ସହ ଲାଞ୍ଜିପଲ୍ଲୀ ଜାତୀୟ ରାଜପଥ ଛକରେ ଓଭରବ୍ରିଜ ନିର୍ମାଣ ଦାବି କରିଥିଲେ । ଆନ୍ଦୋଳନ ଫଳରେ ବହୁ ଗାଡ଼ି ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଥିଲା । ପରେ ବ୍ରହ୍ମପୁର ଉପ-ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ୬୦ ହଜାର ଟଙ୍କା ଆର୍ଥିକ ସହାୟତା ଏବଂ ବ୍ରିଜ ନିର୍ମାଣର ପ୍ରତିଶ୍ରୁତି ଦେଇଥିଲେ । ଏହା ପରେ ରାସ୍ତାରୋକ ହଟିଥିଲା । ଲାଞ୍ଜିପଲ୍ଳୀ ଜାତୀୟ ରାଜପଥ ଛକ ଦେଇ ବ୍ରହ୍ମପୁରକୁ ପ୍ରବେଶ କରିବା ନିମନ୍ତେ ଏହି ଗୋଟିଏ ରାସ୍ତା ରହିଛି । ଏହି ବାଟ ଦେଇ ଭୁବନେଶ୍ବର ଓ କୋଲକତାକୁ ପ୍ରତିଦିନ ଶହ ଶହ ବସ ଯାତାୟାତ କରିଥିଏ । ତେଣୁ ଅନେକ ସମୟରେ ଛୋଟବଡ଼ ଦୁର୍ଘଟଣା ମଧ୍ୟ ଘଟି ଅକାଳରେ ଜୀବନ ଯାଇଥାଏ । ସେଥିପାଇଁ ଏହି ଛକରେ ଅତି ଶୀଘ୍ର ଓଭରବ୍ରିଜ ନିର୍ମାଣ ନେଇ ପଦକ୍ଷେପ ନେବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ଓ କର୍ପୋରେଟର ।