ସିରିଜ ଦୁର୍ଘଟଣାରେ ଦମ୍ପତି ଗୁରୁତର, ରାଜପଥ ଉପରେ ଝୁଲି ରହିଲା ଟ୍ରକ୍

ଏକା ସାଙ୍ଗେ ହେଲା ସିରିଜ୍ ଦୁର୍ଘଟଣା। ଆଇଚରକୁ ପିଟିଲା ଟ୍ରକ। ଟ୍ରକ ପଛ ପଟେ ପିଟି ହେଲା ବାଇକ । ଫଳରେ ବାଇକରେ ଥିବା ଦମ୍ପତି ହୋଇଛନ୍ତି ଗୁରୁତର । ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ଜାରକା ଛକ ନିକଟରେ ଘଟିଛି ଏହି ସିରିଜ ଦୁର୍ଘଟଣା । ଆଜି ଭୋର ସମୟରେ ପ୍ରଥମେ ଏକ ଆଇଚରକୁ ୧୪ ଚକିଆ ଟ୍ରକ ପଛ ପଟୁ ଧକ୍କା ଦେଇଥିଲା । ଫଳରେ ଆଇଚରଟି ଭାରସାମ୍ୟ ହରାଇ ଜାତୀୟ ରାଜପଥ ଉପରେ ଝୁଲି ରହିଥିଲା । ଦୁର୍ଘଟଣାଗ୍ରସ୍ତ ଟ୍ରକଟି ଜାତୀୟ ରାଜପଥ ଉପରେ ଛିଡା ହୋଇ ରହିଥିବା ବେଳେ ପରେ ଏକ ବାଇକ ଟ୍ରକ ପଛ ପଟେ ଜୋରରେ ଧକ୍କା ଦେବାରୁ ବାଇକରେ ଥିବା ସ୍ୱାମୀ ଓ ସ୍ତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଉଭୟଙ୍କୁ ପ୍ରଥମେ ଧର୍ମଶାଳା ଓ ପରେ କଟକ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି । ଗୁରୁତର ଦମ୍ପତି ବିଂଝାରପୁର ଅଞ୍ଚଳର ବୋଲି ସୂଚନା ମିଳିଛି । ଏପଟେ ଖବର ପାଇ ଧର୍ମଶାଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

ସମାନ ଭାବେ ଭଂଜନଗର – କଳିଙ୍ଗା ଘାଟିରେ ଓଲଟି ପଡ଼ିଥିଲା ଏକ ଯାତ୍ରୀବାହୀ ବସ୍ । ବସରେ ସମସ୍ତ ଯାତ୍ରୀ ନିଘୋଡ଼ ନିଦରେ ଶୋଇଥିବା ସମୟରେ ହଠାତ ବସଟି ଓଲଟି ପଡ଼ିଥିଲା । ବହୁ କଷ୍ଟରେ ଯାତ୍ରୀମାନେ ବସ୍ ଭିତରୁ ଉଦ୍ଧାର ହୋଇଛନ୍ତି । ଏହି ଦୁର୍ଘଟଣାରେ ୭ରୁ ଅଧିକ ଯାତ୍ରୀ ଆହତ ହୋଇଥିବାବେଳେ ଜଣେ ଗୁରୁତର ହୋଇଛି । ଗଞ୍ଜାମ ଜିଲ୍ଲା କଳିଙ୍ଗା ଘାଟିରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ବସ୍ । ଖମ୍ବେଶ୍ବରୀ ନାମକ ଘରୋଇ ବସଟି ରାୟପୁରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା । ବସରେ ମୋଟ ୧୭ ଜଣ ଯାତ୍ରୀ ଥିଲେ । କିନ୍ତୁ ହଠାତ ଭାରସାମ୍ୟ ହରାଇ ବସଟି ଓଲଟି ପଡ଼ିଥିଲା । ଆଉ ବସ୍ ଭିତରେ ଥିବା ଯାତ୍ରୀ ଆହତ ହୋଇଥିଲେ । ଆହତଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି ।  ତେବେ ସେଥିରୁ କିଛିଜଣକ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ଭଞ୍ଜନଗର ଏବଂ ଜି. ଉଦୟଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଦିନକୁ ଦିନ ବଢ଼ିଚାଲିଛି ଦୁର୍ଘଟଣା । ଦୁର୍ଘଟଣାରେ ଅନେକ ଲୋକଙ୍କ ପ୍ରାଣ ଅକାରଣରେ ଚାଲି ଯାଉଛି । ଗାଡ଼ି ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁ ଘଟୁଛି ଏମିତି ଭୟାବହ ଦୁର୍ଘଟଣା । ଯଦି ଡ୍ରାଇଭରମାନେ ସତର୍କତାର ସହ ଗାଡ଼ି ଚଳାଇବେ ହୁଏତ ଏମିତି ଦୁର୍ଘଟଣା ଘଟିବ ନାହିଁ ।

Also Read: ପୁରୀ ଭୁବନେଶ୍ୱର ଜାତୀୟ ରାଜପଥ ନିକଟରେ ସିରିଜ ଦୁର୍ଘଟଣା, ଖୋର୍ଦ୍ଧା ବିଧାୟକଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ