ଦଂପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୋଲିସ ତଦନ୍ତ ଜାରି

ଉମରକୋଟ :  ଦଂପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର  ।  ଗଛରୁ ସ୍ବାମୀଙ୍କ ମୃତଦେହ ଓ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ପତ୍ନୀଙ୍କ ମୃତଦେହ ଉଦ୍ଧାର କରାଯାଇଛି  ।  ପରିବାର ଲୋକ ଆତ୍ମହତ୍ୟା ସନ୍ଦେହ କରି ଉମରକୋଟ ଥାନାରେ ଏତଲା ଦେଇଛନ୍ତି । ଉମରକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି ।

ଆତ୍ମହତ୍ୟା କରିଥିବା ସ୍ବାମୀ ଓ ସ୍ତ୍ରୀ ହେଲେ ଝରିଗାଁ ବ୍ଲକ ଧୋଡରା ପଞ୍ଚାୟତ ସାନଭୀମାଗୁଡା ଗାଁର ସୁତମ ଭତରା ଓ ତାଙ୍କ ସ୍ତ୍ରୀ ଫୁଲମଣି ଭତରା  । ଗତକାଲି ରାତିରେ ସୁତମ ଓ ଫୁଲମଣି ଖାଇପିଇ ଶୋଇବାକୁ ଯାଇଥିଲେ ।  ଆଜି ଘର ଭିତରେ ଲୁହା ପାଇପରେ ଫୁଲମଣି ବେକରେ ଓଢ଼ଣି ବାନ୍ଧି ଝୁଲିପଡ଼ିଥିବା ଦେଖିବାକୁ ମିଳିଥିଲା  ।

ସେହିପରି ସୁତମ ଘର ନିକଟରେ ଥିବା ଏକ ତେନ୍ତୁଳି ଗଛରେ ବେକରେ ଶାଢ଼ି ଲଗାଇ ଝୁଲି ପଡିଥିଲେ  ।  ଏନେଇ ପରିବାର ଲୋକଙ୍କ ପକ୍ଷରୁ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରାଯାଇଛି  ।  ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି  ।