ତିନି ଫୁଟିଆ ପାଇଖାନାରେ ବିତୁଛି ସ୍ୱାମୀ ସ୍ତ୍ରୀଙ୍କ ଜୀବନ, ଦିନେ କି ଦୁଇ ଦିନ ନୁହେଁ ବର୍ଷ ବର୍ଷ ଧରି ରହୁଛନ୍ତି

ହିନ୍ଦୋଳ : କେହି କଣ କେବେ ପାଇଖାନା ଭିତରେ ରହିପାରେ ଏତିକି ଦିନ । ଆପଣ ଥରେ ଭାବିଲେ, କେମିତି ଗୋଟେ ତିନି ଫୁଟିଆ ପାଇଖାନାରେ ରହୁଥିବେ ବସୁଥିବେ ଶୋଉଥିବେ ଲୋକେ । ହଁ ଜୀବନ ତ କଟୁଛି, ଦେଖୁନାହାଁନ୍ତି କେମିତି ଶୋଇଛନ୍ତି ଏ ମହିଳା । ପାଇଖାନାରେ କଟୁଛି ଜୀବନ । ଦେଖନ୍ତୁ କେତେ ଛୋଟିଆ ଯାଗା । ଗୋଡ ଜାକି ବସିବା ଛଡା, ଗୋଡ ଲମ୍ବାଇ ଶୋଇବି ହେବନି । ହେଲେ ଏଠି ଜଣେ ମହିଳା କେମିତି ଜାକି ଜୁକି ହୋଇ ଶୋଇଛନ୍ତି ଦେଖନ୍ତୁ । କଣ ବା ଆଉ କରିବେ, ଏଇ ପାଇଖାନା ପରା ଏବେ ତାଙ୍କ ମୁଣ୍ଡ ଗୁଞ୍ଜିବାର ସାହାରା ପାଲଟିଛି । ଝଡ ବର୍ଷା ଖରାରେ ଟିକେ ଆରାମ ଦେଉଛି ଏଇ ତିନି ଫୁଟିଆ ପାଇଖାନା । ଏଇ ପାଇଖାନା ନଥିଲେ ବୋଧହୁଏ ଆଜି କୋଉ ଗଛତଳେ ରହିଥାନ୍ତେ ଏ ମହିଳା ଜଣଙ୍କ । ସତରେ ୟାଙ୍କୁ ଦେଖିଲେ ଭାରି ଦୁଃଖ ଲାଗୁଛି । ଜୀବନରେ ବଞ୍ଚିବାକୁ ହେଲେ ଲୋକମାନେ କେତେ ଯେ ସଂଘର୍ଷ କରୁଛନ୍ତି ତାହାର ଏ ହେଉଛି ଜ୍ୱଳନ୍ତ ଉଦାହରଣ । ଏଇ ପାଇଖାନା ହିଁ ତାଙ୍କର ବାସଗୃହ, ରୋଷେଇ ଘର ସବୁକିଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦିନେ କି ମାସେ କି ବର୍ଷେ ବି ନୁହେଁ, ଆଜକୁ ତିନି ବର୍ଷ ହେବ ସ୍ୱାମୀ ସ୍ତ୍ରୀ ଦୁଇଜଣ ରହୁଛନ୍ତି ଏଇ ତିନି ଫୁଟିଆ ପାଇଖାନା ଭିତରେ ।
ସ୍ୱଚ୍ଛ ଭାରତ ଯୋଜନାରେ ନିର୍ମିତ ପାଇଖାନାରେ ବିତୁଛି ଦମ୍ପତ୍ତିଙ୍କ ଜୀବନ । ଆଜକୁ ତିନିବର୍ଷ ହେବ ଏହି ପାଇଖାନାରେ ଜୀବନ ଅତିବାହିତ କରୁଛନ୍ତି ହିନ୍ଦୋଳ ବ୍ଲକ ଗିରିଧର ପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଭିଙ୍ଗିରା ଗ୍ରାମର ମଙ୍ଗୁଳୁ ପ୍ରଧାନ ଏବଂ ତାଙ୍କ ସ୍ତ୍ରୀ କୁମ ପ୍ରଧାନ । ଉଭୟେ ଦିନ ମଜୁରିଆ ଭାବେ ଜୀବିକା ନିର୍ବାହ କରନ୍ତି । ଦିନେ ଖାଇଲେ ଦୁଇଦିନ ଓପାସ । ଭିଙ୍ଗିରା ଗାଁର ଜୁଆଙ୍ଗ ସାହିର ମଙ୍ଗୁଳୁ ପ୍ରଧାନ ଓ ତାଙ୍କ ସ୍ତ୍ରୀ କୁମ ପ୍ରଧାନ ସ୍ୱଚ୍ଛ ଭାରତ ଯୋଜନାରେ ନିର୍ମିତ ଶୌଚାଳୟରେ ଜୀବନ କାଟୁଛନ୍ତି । ଗିରିଧରପ୍ରସାଦ ଗ୍ରାମ ପଞ୍ଚାୟତରେ ବହୁ ଅଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରେ ଘର ହାତେଇ ଥିବାବେଳେ ମଙ୍ଗୁଳୁଙ୍କ ପାଇଁ ଆବାସ ଯୋଜନା ହୋଇଛି ସାତ ସପନ । ମଙ୍ଗୁଳୁ ଓ କୁମର କୌଣସି ସନ୍ତାନ ସନ୍ତନ୍ତି ନଥିବା ବେଳେ ଦିନ ମଜୁରୀ କରି ପେଟ ପୋଷନ୍ତି ।
ଗ୍ରାମାଞ୍ଚଳରେ ପ୍ରତିଦିନ କାମ ମିଳୁନଥିବାରୁ ବହୁ ଅଭାବ ଅନାଟନ ଭିତରେ ଜୀବନ କାଟୁଛନ୍ତି ଦମ୍ପତି । ଜଙ୍ଗଲ ଘେରା ପରିବେଶ ମଧ୍ୟରେ ଥିବା ଜୁଆଙ୍ଗ ସାହିକୁ ସବୁବେଳେ ରହୁଥାଏ ହାତୀର ଭୟ । ଏହିଭଳି ପରିସ୍ଥିତିରେ ଜୀବନକୁ ବାଜି ଲଗେଇ ପାଇଖାନାରେ କଟୁଛି ଦମ୍ପତ୍ତିଙ୍କ ଜୀବନ । ଶୌଚାଳୟଟି ପାଲଟିଛି ବାସଗୃହ ଏବଂ ରୋଷେଇ ଘର । ଅରକ୍ଷିତକୁ ଦଇବ ସାହା ଭଳି ମଙ୍ଗଳୁ ଓ କୁମକୁ ଭଗବାନ ସାହା ବୋଲି କୁହନ୍ତି ପାଖ ପୋଡ଼ଶୀ। ଦେଖିବାକୁ ବାକି ରହିଲା ପ୍ରଶାସନର ଦୃଷ୍ଟି କେବେ ପଡୁଛି ଉକ୍ତ ପରିବାର ଉପରେ।