ଅନୁଭବଙ୍କ ନାଁରେ ହେଲା ଚାର୍ଜ ଫ୍ରେମ, JMFC କୋର୍ଟରେ ହାଜର ହେଲେ ଅନୁଭବ

କଟକ : ଅନୁଭବଙ୍କ ନାଁରେ ହେଲା ଚାର୍ଜ ଫ୍ରେମ । ସ୍ୱତନ୍ତ୍ର ଜେଏମଏଫସି କୋର୍ଟରେ ଚାର୍ଜ ଫ୍ରେମ ହୋଇଛି । ଘରୋଇ ହିଂସା ମାମଲାରେ ଆଜି କଟକ ସ୍ବତନ୍ତ୍ର JMFC କୋର୍ଟରେ ହାଜର ହୋଇଛନ୍ତି ଅନୁଭବ । ଅନୁଭବଙ୍କ ଦୁଇ ସହଯୋଗୀ ସୁଜିତ ଦଳେଇ ଓ ଖଗେନ୍ଦ୍ର ପ୍ରସାଦ ସାହୁ ମଧ୍ୟ କୋର୍ଟରେ ହାଜର ହୋଇଛନ୍ତି । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପକ୍ଷରୁ ୨୦୨୦ ମସିହାରେ ରୁଜୁ ହୋଇଥିଲା ଏହି ମାମଲା ।

୨୦୨୦ ମସିହା ଡିସେମ୍ବର ୧୯ ତାରିଖରେ ବର୍ଷାଙ୍କ ପକ୍ଷରୁ ପୁରୀଘାଟ ଥାନାରେ ଏତଲା ହୋଇଥିଲା । ଅନୁଭବ ଏବଂ ତାଙ୍କ ଦୁଇ ଜଣ ସହଯୋଗୀ ସୁଜିତ ଦଳେଇ ଓ ଖଗେନ୍ଦ୍ର ପ୍ରସାଦ ସାହୁଙ୍କ ବିରୁଦ୍ଧରେ ମାନସିକ,ଶାରୀରିକ, ନିର୍ଯାତନା , ଧମକ ଚମକ ଦେବା ଆଦି ଅଭିଯୋଗ ନେଇ ଏତଲା ଦିଆଯାଇଥିଲା । ବର୍ଷାଙ୍କ ଅଭିଯୋଗ ଅନୁଯାୟୀ, ଅନୁଭବ ଆଉ ତାଙ୍କ ଘରେ ରହୁଥିବା ୨ କର୍ମଚାରୀ ଖଗେନ୍ଦ୍ର ଓ ଅଜିତ୍‌ ତାଙ୍କ ରୁମ୍‌ ଭିତରକୁ ପଶି ଆସୁଛନ୍ତି । ରୁମ୍‌ ଭିତରେ ପଶି ଭିଡିଓ କରୁଛନ୍ତି । ଅନୁଭବଙ୍କ ନିର୍ଦ୍ଦେଶରେ ତାଙ୍କର ଦୁଇ କର୍ମଚାରୀ ଏପରି କରୁଥିଲେ ବୋଲି ସେ ଅଭିଯୋଗ କରିଥିଲେ ।

ବର୍ଷାଙ୍କ ଏହି ଅଭିଯୋଗ ଆଧାରରେ ପୁରୀ ଘାଟ ଥାନା ପକ୍ଷରୁ ଅନୁଭବଙ୍କ ନାଁରେ ମାମଲା ରୁଜୁ କରାଯାଇଥିଲା। ଏଥିରେ ଅନୁଭବଙ୍କ ନାଁରେ ବିଭିନ୍ନ ସଙ୍ଗୀନ ଦଫା ଲାଗିଥିଲା। କଟକ ଜେଏମଏଫସି କୋର୍ଟରେ ଏହି ମାମଲାଟି ବିଚାରଧୀନ ଥିଲା। ଏହି ମାମଲା ଉପରେ ଗତ ୮ ତାରିଖରେ ଅନୁଭବଙ୍କୁ କୋର୍ଟରୁ ଡକରା ଆସିଥିଲା। ହେଲେ ଅନୁଭବ କୋର୍ଟରେ ହାଜର ହୋଇ ନଥିଲେ। ନିଜ ଓକିଲଙ୍କ ଜରିଆରେ ଏକ ଡିସଚାର୍ଜ ପିଟିସନ ଦାଖଲ କରିଥିଲେ। ଏହି ପିଟିସନରେ ଉଲ୍ଲେଖ ଥିଲା ଯେ, ଏହି ଘଟଣାଟି ସମ୍ପୂର୍ଣ୍ଣ ମିଛ । ଏହି ମାମଲାରୁ ତାଙ୍କୁ ମୁକ୍ତି କରାଯାଉ। କୋର୍ଟ ଅନୁଭବଙ୍କ ଆବେଦନ ଶୁଣିବା ପରେ ମାମଲା ଚାଲିବ ବୋଲି ନିର୍ଦ୍ଦେଶ ଦେଇଥିଲେ।

ଗତ ୧୦ ତାରିଖରେ ଚାର୍ଜଫ୍ରେମ୍ କରାଯିବ ବୋଲି କୋର୍ଟ କହିଥିଲେ ଓ ଅନୁଭବଙ୍କୁ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ୧୦ ତାରିଖରେ ଅନୁଭବ କୋର୍ଟରେ ହାଜର ହୋଇନଥିଲେ। କୋର୍ଟରେ ହାଜର ହେବା ପାଇଁ ମହଲତ ମାଗିଥିଲେ। କୋର୍ଟ ପୁଣି ମେ’ ୧୩ ତାରିଖ ତଥା ଆଜି ଅନୁଭବଙ୍କ କେସର ଶୁଣାଣି ହେବ ବୋଲି ନିର୍ଦ୍ଦେଶ ଦେଇଥିଲା। ହେଲେ ଆଜି ମଧ୍ୟ ଅନୁଭବ କୋର୍ଟରେ ହାଜର ହୋଇନଥିଲେ। ନିଜ ଓକିଲଙ୍କ ଜରିଆରେ ଏକ ପିଟିସନ ଦାଖଲ କରିଥିଲେ। କୋର୍ଟ ଅନୁଭବଙ୍କ ପିଟିସନକୁ ଖାରଜ କରିବା ସହ ଶୀଘ୍ର ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଓ NBW ଜାରି କରିଥିଲେ। ୨୩ ତାରିଖ ସୁଦ୍ଧା ୱାରେଣ୍ଟ କାର୍ଯ୍ୟକାରୀ କରିବାକୁ କୋର୍ଟ ପୁରୀ ଘାଟ ଥାନା ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.