OSRTC କାର୍ଯ୍ୟାଳୟରେ ସମ୍ପତ୍ତି ଆଟାଚ୍, ବସ୍ ମାଲିକଙ୍କୁ ବକେୟା ଫେରସ୍ତ ନକରିବା ମାମଲାରେ ନିର୍ଦ୍ଦେଶ

ସମ୍ବଲପୁର: ସମ୍ବଲପୁର ସ୍ଥିତ ଓଡ଼ିଶା ପରିବହନ ନିଗମର ମୁଖ୍ୟ କାର୍ଯ୍ଯାଳୟର ସମ୍ପତ୍ତି ଆଟାଚ୍ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ । ଅସ୍ଥାବର ସମ୍ପତ୍ତି ଜବତ ନେଇ ସିନିୟର ସିଭିଲ୍ ଜଜ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବସ୍ ପରିବହନ ପାଇଁ ପୂର୍ବରୁ ରଖିଥିବା ଜମା ଟଙ୍କା ନ ଫେରାଇବାରୁ ହୋଇଥିଲା ମାମଲା । ୧୯୯୯ ମସିହାରେ ସରୋଜ ତ୍ରିପାଠୀ ନାମକ ବ୍ଯକ୍ତି ପରିବହନ ନିଗମକୁ ୫୦ ହଜାର ଟଙ୍କା ସିକ୍ଯୁରିଟି ଦେଇ ଏକ ବସ ଲିଜରେ ନେଇଥିଲେ । ହେଲେ ପରିବହନ ବିଭାଗ ତାଙ୍କୁ ଏକ ଖରାପ ବସ ଲିଜରେ ଦେଇଥିଲେ ।
ଯେହେତୁ ଏକ ବର୍ଷ ପାଇଁ ଚୁକ୍ତି ଥିଲା ତେଣୁ ବସ କୁ ଚଲାଇ ଦୁଇ ପଇସା ଲାଭ କରିବା ଲାଗି ନିଜ ହାତରୁ ଟଙ୍କା ଖର୍ଚ୍ଚ କରିଥିଲେ ଲିଜ ନେଇଥିବା ବ୍ୟକ୍ତି । ହେଲେ ପରିବହନ ବିଭାଗ ୬ମାସ ପରେ ଆଉ ବସ ଚଳାଇବା ପାଇଁ ଅନୁମତି ଦେଲେ ନାହିଁ । ଯାହା ଫଳରେ ଲିଜ ନେଇଥିବା ବ୍ୟକ୍ତି ପରିବହନ ବିଭାଗକୁ ଦେଇଥିବା ସିକ୍ୟୁରିଟି ଟଙ୍କା ମାଗିଥିଲେ । କିନ୍ତୁ ବିଭାଗ ଟଙ୍କା ଫେରାଇ ନଥିଲା । ଏହାକୁ ନେଇ ଗତ ୨୦୦୦ ମସିହାରେ ସମ୍ବଲପୁର ସିଭିଲ କୋର୍ଟରେ ମାମଲା ଦାୟର କରିଥିଲେ । ଦୁଇଥର ଡିଗ୍ରୀ ପାଇଥିଲେ ମଧ୍ୟ ବିଭାଗ ଟଙ୍କା ଫେରାଇ ନଥିଲେ । ଶେଷରେ କୋର୍ଟ ସୁଧ ମୂଳ ମିଶି ୩ ଲକ୍ଷ ଟଙ୍କା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ଟଙ୍କା ପଇଠ ନକରିବା ଫଳରେ ଆଜି ସମ୍ପତ୍ତି ଆଟାଚ କରାଯାଉଛି ।
ଆହୁରି ପଢ଼ନ୍ତୁ : ଔଷଧ ଦୋକାନରେ ରୋଗୀଙ୍କୁ ଇଞ୍ଜେକ୍ସନ ଫୋଡ଼ିବା ମନା, ଧରାପଡ଼ିଲେ ଦୃଢ କାର୍ଯ୍ୟାନୁଷ୍ଠାନ