କେନ୍ୟୁଜ୍(ବ୍ୟୁରୋ): କରୋନା କାୟା କମୁଛି । ହଟୁଛି କଟକଣା । ଦୁଇ ବର୍ଷ ପରେ ରାଜ୍ୟରୁ ହଟିଲା ମହାମାରୀ ଆଇନ୍ । କୋଭିଡ ସ୍ଥିତି ସୁଧୁରିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି ସରକାର । ତେବେ ଲୋକ ସତର୍କତା ଅବଲମ୍ବନ କରିବେ । ସର୍ବାସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ଜରୁରୀ । ହାତ ଧୋଇବା ପ୍ରକ୍ରିୟା ଜାରି ରଖିବାକୁ ପରାମର୍ଶ ଦିଆଯାଇଛି । ଏବେ ରାଜ୍ୟରେ ଦୈନିକ ସଂକ୍ରମଣ ୫୦ ଭିତରେ ରହୁଛି । ଅଧାରୁ ଅଧିକ ଜିଲ୍ଲାରୁ କେହି ନୂଆ ଆକ୍ରାନ୍ତ ଚିହ୍ନଟ ହେଉ ନାହାନ୍ତି । ପୂର୍ବରୁ କେନ୍ଦ୍ର ସରକାର ମହାମାରୀ ଆଇନ ପ୍ରତ୍ୟାହାର କରିବା ପାଇଁ ସବୁ ରାଜ୍ୟକୁ କହିଥିଲେ ।
୨୦୨୨ରେ ସରିବ କି କୋଭିଡ୍ ପ୍ରକୋପ? କୋଭିଡ୍ ମୁକାବିଲା ନେଇ ତୃତୀୟ ରଣନୀତି ପ୍ରସ୍ତୁତ କରିଛି ଡବ୍ଲୁଏଚ୍ଓ। ଆଶା କରାଯାଉଛି ଏହା ଶେଷ କୋଭିଡ୍ ମୁକାବିଲା ପ୍ରସ୍ତୁତି ବୋଲି ଡବ୍ଲୁଏଚ୍ଓ ମୁଖ୍ୟ କହିଛନ୍ତି । ବର୍ତ୍ତମାନ ସ୍ଥିତିକୁ ଦେଖିଲେ ତିନିଟି ଦୃଶ୍ୟପଟ୍ଟ ଆଗକୁ ଦେଖିବାକୁ ମିଳିପାରେ । ଭାଇସର ବିବର୍ତ୍ତନ ଜାରି ରହିବ । କିନ୍ତୁ ମାରତ୍ମକତା କମିଯିବ । କାରଣ ଟିକା ଓ ସଂକ୍ରମଣ ଯୋଗୁଁ ଶରୀରରେ ପ୍ରତିରୋଧକ ଶକ୍ତି ବଢିଯାଇଥିବ । କିଛି ସ୍ଥାନରେ ରହି ରହି ସଂକ୍ରମଣ ଦେଖାଯିବ । ତେଣୁ ବୁଷ୍ଟର ଡୋଜ୍ ଆବଶ୍ୟକ ପଡିବ । ଆଉ ଏକ ସମ୍ଭାବନା ହେଉଛି, କମ୍ ମାରାତ୍ମକ ଓ ସଂକ୍ରାମକ ଭାରିଆଣ୍ଟ ଦେଖିବାକୁ ମିଳିବ । ବୁଷ୍ଟର ଡୋଜ୍ କିମ୍ବା ନୂଆପ୍ରକାର ଟିକା ଆବଶ୍ୟକ ପଡିବ ନାହିଁ ।
WHOର ତୃତୀୟ ଆକଳନ କହୁଛି, ଅଧିକ ମାରାତ୍ମକ ଓ ସଂକ୍ରାମକ ଭାରିଆଣ୍ଟ ଆସିବ । ସଂକ୍ରମଣ ଓ ମୃତ୍ୟୁ ସହ ଲଢୁଥିବା ଲୋକଙ୍କ ପ୍ରତିରୋଧକ ଶକ୍ତି କମିଯିବ । ଏବେ ବିଭିନ୍ନ ଦେଶରେ ସଂକ୍ରମଣ ବଢୁଛି । ଚୀନରେ କିଛି ସହରରେ ସ୍ଥିତି ସଙ୍ଗୀନ ହେଉଛି । ଫ୍ରାନ୍ସରେ ବି କରୋନା କେସ୍ ବଢୁଛି ।