କରୋନା ଟେଷ୍ଟ ରିପୋର୍ଟ ପାଇଁ ଲ୍ୟାବକୁ ଯିବାକୁ ପଡିବନି , ଆଜିଠାରୁ କୋଭିଡ଼ ଟେଷ୍ଟ ରିପୋର୍ଟ ମିଳିବ ୱେବସାଇଟରେ

କେନ୍ୟୁଜ୍(ବ୍ୟୁରୋ): କରୋନା ଟେଷ୍ଟ ରିପୋର୍ଟ ପାଇଁ ଲ୍ୟାବକୁ ଯିବାକୁ ପଡିବନି କି ଅପେକ୍ଷା କରିବାକୁ ପଡିବନି। ଏଣିକି ୱେବସାଇଟରେ ମିଳିବ ଟେଷ୍ଟିଂ ରିପୋର୍ଟ। ଉଭୟ ଆଣ୍ଟିଜେନ ଓ ଆରଟିପିସିଆର ଟେଷ୍ଟ ରିପୋର୍ଟ ୱେବସାଇଟରେ ଉପଲବ୍ଧ  ହେବ। ଆଜିଠାରୁ ଏହି ଅନଲାଇନ ସୁବିଧା  କରାଯାଇଥିବା କହିଛନ୍ତି ରାଜ୍ୟ ସୂଚନା ଓ ପ୍ରଯୁକ୍ତି ବିଭାଗ ସଚିବ ମନୋଜ ମିଶ୍ର । ଟେଷ୍ଟ କରିଥିବା ବ୍ୟକ୍ତି  www.statedashboard.odisha.gov.in  ପୋର୍ଟାଲ୍ ରେ  ଯାଇ know your covid test statusରେ କ୍ଲିକ କଲେ ନିଜର ମୋବାଲ ନମ୍ବର ଦେବାକୁ ପଡିବ। ପରେ ମୋବାଇଲକୁ ଏକ ଓଟିପି ଆସିବ। ସେହି ଓଟିପିକୁ ୱେବସାଇଟର ନିର୍ଦ୍ଧିଷ୍ଟ ବକ୍ସରେ ଟାଇପ କରି ପଠାଇ ଦେଲେ କିଛି ସମୟ ମଧ୍ୟରେ କୋଭିଡ଼ ଟେଷ୍ଟ ରିପୋର୍ଟ ପାଇପାରିବେ ।

ଏହା ବ୍ୟତିତ ଅନ୍ୟ ଏକ ୱେବସାଇଟ www.covid19.odisha.gov.inରେ ଯାଇ know your covid test statusରେ କ୍ଲିକ କଲେ ରିପୋର୍ଟ ମଧ୍ୟ ମିଳିପାରିବ। କୋଭିଡ଼ ଟେଷ୍ଟ  ରିପୋର୍ଟକୁ ସୁରକ୍ଷା ଦୃଷ୍ଟିରୁ ଏକ କ୍ବୁଆର କୋଡ଼ ଦିଆଯାଇଛି। ଯାହା ଫଳରେ ଏହି ରିପୋର୍ଟକୁ  କେହି ନକଲ କରିପାରିବେ ନାହିଁ ।

ଏହି ଡିଜିଟାଲ୍ ପରୀକ୍ଷା ରିପୋର୍ଟରେ ନମୁନା ପରୀକ୍ଷା କରିଥିବା ବ୍ୟକ୍ତିଙ୍କ ସମସ୍ତ ବିବରଣୀ ରହିବ। ଏଥିସହ ଏହି ରିପୋର୍ଟରେ ଥିବା କ୍ୟୁଆର କୋଡ୍ ଯୋଗେ ପ୍ରାଧିକୃତ ସାଂସ୍ଥ ଯେକୌଣସି ସମୟରେ ରିପୋର୍ଟର ସତ୍ୟାସତ୍ୟ ଯାଞ୍ଚ କରିପାରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, “ମହାମାରୀ ବିରୋଧରେ ଲଢ଼େଇରେ ଟେକ୍ନୋଲୋଜି ଏକ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର ପାଲଟିଛି। ଏହି ଅଭିନବ ବ୍ୟବସ୍ଥା ରିପୋର୍ଟ ସଂଗ୍ରହ ପ୍ରକ୍ରିୟାକୁ ସହଜ କରିବା ଦ୍ୱାରା ଲୋକଙ୍କୁ ସୁବିଧାରେ କୋଭିଡ ରିପୋର୍ଟ ମିଳିବା ସହ ଏହି କଠିନ ସମୟରେ ଜନସାଧାରଣଙ୍କ ପାଇଁ ଯଥେଷ୍ଟ ଉପଯୋଗୀ ହେବ।”

ଏହି ଅବସରରେ ରାଜ୍ୟ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ସଚିବ ଶ୍ରୀ ମନୋଜ କୁମାର ମିଶ୍ର କହିଛନ୍ତି, “ଅନେକ ସମୟରେ ଲୋକମାନେ କୋଭିଡ ରିପୋର୍ଟ ପାଇବା ପାଇଁ ପରୀକ୍ଷା କେନ୍ଦ୍ରରେ ଅପେକ୍ଷା କରୁଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନର କଠିନ ସମୟରେ ନିଜ ନମୁନା ପରୀକ୍ଷା ରିପୋର୍ଟ ଜାଣିବା ନେଇ ଉତ୍କଣ୍ଠା ରହିବା ସ୍ୱାଭାବିକ ଏବଂ ଲୋକମାନେ ନମୁନା ପରୀକ୍ଷା ପାଇଁ ଦେଇ ସଙ୍ଗେସଙ୍ଗେ ରିପୋର୍ଟ ଆଶା କରୁଛନ୍ତି। ତେଣୁ ଏହାକୁ ଦୃଷ୍ଟିରେ ଆମେ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗରେ ସିଧାସଳଖ ଲୋକଙ୍କୁ ନମୁନା ପରୀକ୍ଷା ରିପୋର୍ଟ ପ୍ରଦାନର ବ୍ୟବସ୍ଥା କରିଛୁ। ଏହି ସୁବିଧା ଗ୍ରାମ ପଞ୍ଚାୟତସ୍ତରରେ ‘ମୋ ସେବା କେନ୍ଦ୍ର’ରେ ମଧ୍ୟ ଉପଲବ୍ଧ କରାଯାଇଛି।”

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.