ରାଜଧାନୀ ରାସ୍ତାରେ ମୃତ ପିଲା ପାଇଁ ବିକଳ ମା, ଦୁର୍ଘଟଣାରେ ବାଛୁରୀର ମୃତ୍ୟୁ ପରେ ଦେଖିବାକୁ ମିଳିଥିଲା ଏମିତି ଦୃଶ୍ୟ

ଭୁବନେଶ୍ୱର (କେନ୍ୟୁଜ୍‌) : ଗତକାଲିର କଥା । ସନ୍ଧ୍ୟା ବେଳକୁ ଗୋଟିଏ ଅଟୋକୁ ଫୁଲରେ ସଜାଉ ଥାନ୍ତି କିଛି ଯୁବକ । ଘଟଣା କଣ ବୁଝୁ ବୁଝୁ ଜଣାପଡ଼ିଲା କି ସକାଳେ ଏକ ଛୋଟ ବାଛୁରୀ ଛୁଆଟିକୁ କେହି ଜଣେ ହୃଦୟହୀନ ମଣିଷ ତା ଗାଡ଼ିରେ ଧକ୍କା ମାରି ଦେଇ ଚାଲିଗଲା । ଆଉ ଯନ୍ତ୍ରଣାରେ ଛଟପଟ ହୋଇ ଭୀଷଣ କଷ୍ଟ ପାଉଥିଲା କୁନି ବାଛୁରୀଟି । ଠିକଣା ସମୟରେ ଚିକିତ୍ସା ନପାଇ ମରିଗଲା । ଆଉ ମା’ ଗାଈଟି ହିଁ ନିଜ ଛୁଆ ପାଖରେ ବସିଥିଲା ଓଦା ଆଖିରେ । ସଞ୍ଜ ଯାଇ ରାତି ଆସିଲା ହେଲେ ସେମିତି ସମାନ ଦୃଶ୍ୟ ଦେଖିବାକୁ ମିଳିଲା ।
ହୁଏତ କୌଣସି ମଣିଷର ଏମିତି ଦୁର୍ଘଟଣା ହୋଇଥିଲେ ଲୋକେ ରାସ୍ତାରେ ନିଆଁ ଜାଳି କ୍ଷତିପୂରଣ ଦାବି କରିଥାନ୍ତେ । ହେଲେ ଇଏତ ପଶୁଟିର କଥା । ନିଜ ହୃଦୟ କୋହ କାହାକୁ କହି ପାରିବନି କି ଦେଖାଇ ପାରିବନି। କେବଳ ନିରବରେ ନିଜ ଆଖିର ଲୁହ ଗଡାଉଥିଲା ।

ସକାଳ ସମୟରେ ଭୁବନେଶ୍ୱର ଇନ୍ଫୋସିସି ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣା ଘଟିଲା । ବାଛୁରୀ ଛୁଆଟିକୁ ଅଜଣା ଗାଡ଼ି ବାଡେଇ ଚାଲି ଯାଇଥିଲା । ବୋଧହୁଏ ପଶୁଟିଏ ବୋଲି ସେ ବାଟେ ଯିବା ଆସିବା କରୁଥିବା ମଣିଷମାନଙ୍କ ହୃଦୟକୁ କିଛି ବାଧିଲାନି । ଏ ଘଟଣା କିଛି ପଶୁପ୍ରେମୀ ଯୁବକଙ୍କ ନଜରରେ ପଡ଼ିଲା । ଦୁର୍ଘଟଣା ପରେ ସେମାନେ ବାଛୁରୀଟିର ଚିକିତ୍ସା ପାଇଁ ହେଲ୍ପ ଲାଇନ୍‌କୁ ଫୋନ୍ କଲେ। କିନ୍ତୁ ସେ ଆସିଲେ ବିଳମ୍ବରେ । ତେଣୁ ଯୁବକମାନେ ବାଛୁରୀ ଛୁଆଟିକୁ ନିଜ ଗାଡ଼ିରେ ଉଠାଇ ଆଣୁଥିଲେ ଚିକିତ୍ସା ପାଇଁ। ଏ ଦୃଶ୍ୟ ଯେତିକି ସମ୍ବେଦନଶୀଳ ଥିଲା ତାଠାରୁ ଅଧିକ ଦୁଃଖଦାୟକ ଥିଲା ଆଉ ଏକ ଦୃଶ୍ୟ । ସେମାନଙ୍କ ଗାଡ଼ି ପଛେ ପଛେ ମାଆ ଗାଈଟି ଦୌଡୁଥାଏ ରାଜଧାନୀର ଗହଳି ରାସ୍ତାରେ । କଣ ପାଇଁ ତା ଛୁଆକୁ ନେଇ ଯାଉଛନ୍ତି ଭାବି ବିକଳ ହେଉଥିଲା। ତେବେ ସେତେବେଳକୁ ପ୍ରାଣବାୟୁ ଉଡ଼ି ଯାଇଥିଲା କୁନି ବାଛୁରୀଟିର ।

COW-2

ବାଛୁରୀଟିକୁ ବଞ୍ଚାଇ ପାରିନଥିବାରୁ ଖୁବ୍‌ ଦୁଃଖୀ ଥିଲେ ପଶୁପ୍ରେମୀ ଯୁବକମାନେ । ତଥାପି ବାଛୁରୀଟିର ସତ୍କାର ପାଇଁ ବ୍ୟବସ୍ଥା କରିଥିଲେ । ମୃତ ବାଛୁରୀଟିକୁ ଫୁଲରେ ସଜାଇ ଥିଲେ ଗୋଟିଏ ଅଟୋ ଭିତରେ ଥୋଇଲେ । ସେହି ଅଟୋ ପାଖରେ ବୁଲୁଥାଏ ମା ଗାଈ । ଯେମିତି ସେ ଏବେବି ଆଶା କରୁଛି ପିଲା ତାର ଉଠି ଆସିବ ଆଉ ହମ୍ବା ରଡ଼ି ଦେଇ ତା ଦେହରେ ଘସି ହେବ ଓ କ୍ଷୀର ଖାଇବ । ତେବେ ବାଛୁରୀ ଶବକୁ ଧରି ଅଟୋ ଗଡ଼ି ଚାଲିଲା । ତାପରର ଦୃଶ୍ୟ ଥିଲା ଆହୁରି କରୁଣ । ମାଆ ଗାଈଟି ଗାଡ଼ି ପଛରେ ପ୍ରଥମେ ଧୀରେ ଯାଉଥାଏ । ପୁଣି ଅଟୋ ଆଗକୁ ଯାଇ ତାକୁ ଅଟକାଇବାକୁ ଚେଷ୍ଟା କରୁଥାଏ । ଏଭଳି ଘଟଣା ଦେଖି ଅଟୋ ଡ୍ରାଇଭର ଜୋରରେ ଗାଡ଼ି ଚଳାଇଲେ । ତଥାପି ମା ଗାଈ ତା ପଛରେ ଦୌଡୁଥାଏ । କିଛି ସମୟ ପରେ ଗାଡ଼ିଟି ବାଟ ଭାଙ୍ଗି ଚାଲିଗଲା । ଆଉ ମାଆ ଗାଈ ସେହି ରାସ୍ତାରେ ଠିଆ ହୋଇ ରହିଗଲା । ସେଇଠି ଏପଟ ସେପଟ ହେଉଥାଏ । ଛୁଆକୁ ଖୋଜୁ ଥାଏ । ଅତି ବିକଳ ଥିଲା ସେ ଦୃଶ୍ୟ ।

ଏ ଘଟଣା ହୁଏତ ସମସ୍ତଙ୍କୁ କଷ୍ଟ ଦେଇ ପାରେ ହେଲେ ଏହା ସତ ଯେ ଜଣେ ମଣିଷର ଭୁଲ ଯୋଗୁଁ ଚାଲିଗଲା ଏ ନିରୀହ ବାଛୁରୀଟିର ଜୀବନ । ଆଉ ତା ମା’କୁ ଦେଇଗଲା ଅସହ୍ୟ ଯନ୍ତ୍ରଣା । ଆଉ ଏକ ବାର୍ତ୍ତା ରାଜଧାନୀରେ ଗାଈ ରଖୁଥିବା ଲୋକଙ୍କ ପାଇଁ । ଯେଉଁମାନେ ନିଜ ଆୟତ୍ତରେ ନରଖି ସେମାନଙ୍କୁ ରାସ୍ତା ଉପରେ ଛାଡ଼ି ଦେଉଛନ୍ତି । ଏକଥା ଆମ ଟ୍ରାଫିକ୍‌ ପୋଲିସ୍‌ ମଧ୍ୟ ଦୃଷ୍ଟି ଦେବା କଥା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.