ପୁରୀ (କେନ୍ୟୁଜ): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ । ଏଥିସହ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ବିଭିନ୍ନ ମେଡିକାଲରେ ୨୬ ଗୁରୁତର ଆହତଙ୍କ ଚିକିତ୍ସା ଚାଲିଛି । ଗତକାଲି ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ।
ଅନ୍ୟପଟେ ଗତକାଲି ଘଟଣାରେ ୩ ଜଣଙ୍କ ନାଁରେ କୁମ୍ଭାରପଡ଼ା ଥାନାରେ ଆଇପିସି ଦଫା ୩୦୪ ଓ ଏକ୍ସପ୍ଲୋସିଭ୍ ଆକ୍ଟରେ ମାମଲା ରୁଜୁ ହୋଇଥିଲା । ମାମଲା ରୁଜୁ ହୋଇଥିବା ବ୍ୟକ୍ତି ମଧ୍ୟ ବାଣ ବିସ୍ପୋରଣରେ ଗୁରୁତର ହୋଇଥିବାରୁ ଚିକିତ୍ସା ପରେ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛଥିଲେ ସିଟି ଡିଏସପି ପ୍ରଶାନ୍ତ ସାହୁ ।
କେମିତି ବିସ୍ପୋରଣ ଘଟିଲା ? କାହିଁକି ଘଟିଲା ? ପୋଲିସ ନିଜ ପକ୍ଷରୁ ମାମଲା ରୁଜୁ କରିବା ପରେ ଆରମ୍ଭ କରିଛି ତଦନ୍ତ । ଏସପିଙ୍କ ନିର୍ଦ୍ଦେଶରେ ସାଇଣ୍ଟିଫିକ ଟିମ, ଫୋରେନସିକ ବିଶେଷଜ୍ଞଙ୍କ ସହାୟତାରେ ତଦନ୍ତ କରାଯାଉଛି । ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରାଜୁ ରାଓ ମୃତ୍ୟୁବରଣ କରିଥିବା ବେଳେ ତାଙ୍କ ପୁଅର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି l ବାଣ ଫୁଟାଇବା ଘଟଣାରେ ସାମିଲ ଥିବା ଚନ୍ଦନ ଭୋଇ ମଧ୍ୟ ଗୁରୁତର ଅଛନ୍ତି। ଗତକାଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଘଟଣା ସ୍ଥଳ ପରିଦର୍ଶନ କରି ଘଟଣାର ତଦାରଖ କରିଛନ୍ତି । ମୁଖମନ୍ତ୍ରୀ, ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ତଦନ୍ତ ନିର୍ଦ୍ଦେଶ ଦେବା ପରେ ଆଜିଠାରୁ ତଦନ୍ତ ଆରମ୍ଭ ହେବ । ବିସ୍ଫୋରଣ ବେଳେ କିଛି ଲୋକ ପାଣିକୁ ଡେଇଁ ପଡ଼ିଥିଲେ । ତେଣୁ କାଳେ କେହି ବୁଡ଼ି ଯାଇଥିବେ ଏଇ ସନ୍ଦେହରେ ଗତକାଲି ସ୍କୁବା ଡାଇଭର ଏବଂ ଓଡ୍ରାଫ ଟିମ୍ ଦ୍ୱାରl ପୁଷ୍କରିଣୀରେ ଖୋଜାଖୋଜି କରିବା ପରେ ମଧ୍ୟ କିଛି ମିଳି ନଥିଲା ।