ବାହାବଳପୁର ଗାଁ ବାଣ ବିସ୍ଫୋରଣ ଘଟଣାକୁ ବିତିଯାଇଛି ବର୍ଷେ, ଏଯାଏଁ ଆଖିରୁ ଲିଭିନି ସେଦିନର ଭୟଙ୍କର ଦୃଶ୍ୟ

ବାଲେଶ୍ୱର(କେନ୍ଯୁଜ୍) : ୨୦୧୭ ମସିହା ଅକ୍ଟୋବର ୧୮ ତାରିଖ । ସମୟ ଅପରାହ୍ନ ୩ଟା । ବାଲେଶ୍ୱର ଜିଲ୍ଲା ବାହାବଳପୁର ଗାଁର ବାଣ ବ୍ୟବସାୟୀ ଗୋଲକ ବିହାରୀ ପ୍ରଧାନଙ୍କ କାରଖାନାରେ ହଠାତ ଲାଗିଗଲା ନିଆଁ । ପ୍ରଚଣ୍ଡ ଶବ୍ଦରେ ଥରି ଉଠିଥିଲା ଗାଁ । ଏହି ବିସ୍ଫୋରଣରେ ଚାଲିଗଲା ୧୧ଟି ଜୀବନ । ମୃତକଙ୍କ ମଧ୍ୟରେ ଥିଲେ ବ୍ୟବସାୟୀ ଗୋଲକ ପ୍ରଧାନଙ୍କ ୩ ପୁଅ ଓ ଦୁଇ ନାତି ନାତୁଣି । କାରିଗର ଓ ଗ୍ରାହକ ସମସ୍ତଙ୍କୁ ମିଶାଇ ୧୧ ଜଣଙ୍କର ମୃତ୍ୟୁ ଘଟିଥିଲା । ଘଟଣାକୁ ବର୍ଷେ ବିତିଯାଇଥିଲେ ବି ପରିବାରର ୫ ଜଣଙ୍କୁ ହରାଇ ବାପା ମାଆଙ୍କ ଆଖିରୁ ଲୁହ ଶୁଖୁନି ।
ଗୋଲକ ପ୍ରଧାନ ନିଜେ ମଧ୍ୟ ଏ ଭୟଙ୍କର ବିଷ୍ଫୋରଣରେ ଗୁରୁତର ହୋଇଥିଲେ । ଆଉ ଜୀବନ ସହ ସଂଗ୍ରାମ କରି ବଞ୍ଚି ଯାଇଥିଲେ । ହେଲେ ଆଜିବି ଭୁଲି ପାରିନାହାନ୍ତି ସେଦିନର ଭୟଙ୍କର ଦୃଶ୍ୟ । ଏବେ ଗୋଲକ ନିଜକୁ ଭଗବାନଙ୍କ ପାଖରେ ସମର୍ପି ଦେଇ ହାରମୋନିୟକ ବଜାଇ ଭଜନ ଓ ଜଣାଣ ମାଧ୍ୟମରେ ନିଜ ଦୁଃଖକୁ ଲାଘବ କରୁଛନ୍ତି ।
ସେପଟେ ବେଆଇନ ବାଣ କାରବାର ପାଇଁ ପ୍ରଶାସନ କେତେ ତତ୍ପର ସେ ସଂପର୍କରେ ବାଲେଶ୍ୱର ଜିଲ୍ଲାପାଳ ଓ ସ୍ଥାନୀୟ ଏସ୍.ଡି.ପି.ଓ. ଙ୍କୁ ପଚାରିଥିଲୁ । ଏନେଇ ପ୍ରଶାସନ ସଜାଗ ରହିଥିବାବେଳେ ପୋଲିସ ନିଜ କାର୍ଯ୍ଯରେ ତତ୍ପରତା ଜାରି ରଖିଥିବା ସେ କହିଛନ୍ତି ।