ଦୀପାବଳିରେ ବାଣ ବିକ୍ରି ଓ ଫୁଟାଇବା ପାଇଁ ଅନୁମତି ଦିଆଯାଉ, ହାଇକୋର୍ଟରେ ମାମଲା ରୁଜୁ କଲା ଫାୟାର ୱାର୍କସ୍ ଡିଲର ଆସୋସିଏସନ୍

କଟକ(କେନ୍ୟୁଜ୍): ଚଳିତ ବର୍ଷ ଦୀପାବଳୀରେ ବାଣ ଫୁଟାଇବା ଓ ବିକ୍ରି ଉପରେ ରାଜ୍ୟ ସରକାର ଜାରି କରିଥିବା କଟକଣାକୁ ବିରୋଧ‌ କରି ଉଚ୍ଚ ନ୍ୟାୟାଳୟରେ ମାମଲା ରୁଜୁ ହୋଇଛି। ଅଲ୍ ଓଡ଼ିଶା ଫାୟାର ୱାର୍କସ୍ ଡିଲର ଆସୋସିଏସନ୍ ପକ୍ଷରୁ ଦାୟର ଏ ସଂପର୍କିତ ଆବେଦନରେ ଉଲ୍ଲେଖ କରାଯାଇଛି ଯେ ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତିରେ ସୁଧାର ଆସିଛି ବୋଲି ସରକାର ସ୍ବୀକାର କରିବା ସହିତ ବିଭିନ୍ନ କ୍ଷେତ୍ରରେ କଟକଣା ମୁକ୍ତ କରିଛନ୍ତି। ବିଭାଘର, ବ୍ରତଘର, ଅନ୍ତିମ ସଂସ୍କାର ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକ୍ରମ ପାଇଁ କଟକଣା କୋହଳ କରାଯାଇଛି। କିନ୍ତୁ ସବୁ କଟକଣା କୋହଳ କରାଯାଉଥିବା ବେଳେ ବାଣ ଉପରେ ଏଭଳି ନିଷେଧାଦେଶ ଜାରି କରାଯାଇଛି। ଏଭଳି କରାଯିବା ଗ୍ରହଣୀୟ ନୁହେଁ।

ଦୀପାବଳିରେ ବାଣ ଫୁଟାଇବା ବହୁ ପୁରାତନ ପରମ୍ପରା ଓ ଲୋକଙ୍କ ଭାବନା ସହିତ ଜଡିତ। ବାଣ ପ୍ରସ୍ତୁତି ଠାରୁ ଆରମ୍ଭ କରି ବିକ୍ରିୟ କରି ଶହ ଶହ ଲୋକ ପରିବାର ଚଳାଇଥାନ୍ତି। ବାଣ ରାଜ୍ୟ ବାହାରରୁ ମଧ୍ୟ ଆସିଥାଏ। ଏଥି ପାଇଁ ବହୁ ଆଗରୁ ବ୍ୟବସାୟୀମାନେ ଅଗ୍ରିମ ଦେଇଥାନ୍ତି। ବର୍ତ୍ତମାନ ହଠାତ ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଜାରି ଦ୍ବାରା  ଛୋଟ ବଡ଼ ବ୍ୟବସାୟୀମାନେ ବ୍ୟାପକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥିତିରେ ବାଣ ବିକ୍ରି ଓ ଫୁଟାଇବା ପାଇଁ ଦୀପାବଳିରେ ଅନୁମତି ଦିଆଯାଉ ବୋଲି ଆବେଦନରେ ଦର୍ଶାଯାଇଛି। ମାମଲାରେ କେନ୍ଦ୍ର ସରକାରଙ୍କ ସହିତ ରାଜ୍ୟ ସ୍ବତନ୍ତ୍ର ରିଲିଫ କମିସନର, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ପକ୍ଷଭୁକ୍ତ କରାଯାଇଛି।

ଗତ ସେପ୍ଟେମ୍ବର ୩୦ରେ ସରକାର ନୂଆ ନିୟମାବଳୀ ଜାରି କରି  ଚଳିତ ବର୍ଷ ଦୀପାବଳି ଓ ପାର୍ବଣରେ ବାଣ ବିକ୍ରି ହେବନାହିଁ କିମ୍ବା ଫୁଟା ଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ଜନସାଧାରଣଙ୍କ ସ୍ବାସ୍ଥ୍ୟର ସୁରକ୍ଷା ଓ କରୋନା ସଂକ୍ରମଣ ଉପରେ ଅଙ୍କୁଶ ପାଇଁ ଏପରି କଟକଣା ଜାରି କରାଯାଇଥିବା କୁହାଯାଇଥିଲା। କିନ୍ତୁ ବିଭିନ୍ନ କ୍ଷେତ୍ରକୁ କଟକଣାମୁକ୍ତ କରାଯାଇଥିବା ବେଳେ ବାଣ ଉପରେ କଟକଣାକୁ ନେଇ ପ୍ରଶ୍ନ ଉଠିଥିଲା। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୌତମ ମୁଖାର୍ଜୀ ମାମଲା ପରିଚାଳନା କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.