ରଖିବ ହରି ତ ମାରିବ କିଏ? କ୍ରେନ୍‌ ଚକା ତଳେ ଚାପି ହୋଇ ଅଳ୍ପକେ ବର୍ତ୍ତିଲେ ଦୁଇ ବାଇକ୍‌ ଆରୋହୀ

ନୂଆପଡା(କେନ୍ଯଜ୍): କଥାରେ ଅଛି ରଖିବ ହରି ତ ମାରିବ କିଏ? ଜୀବନର ବା ଭରଷା କେତେ, ଏବେ ଅଛି କିଛି ସମୟ ଭିତରେ କଣ ହୋଇଯିବ କହିବା ମୁସ୍କିଲ୍। ହେଲେ ଭଗବାନ ଯାହାକୁ ରଖିବେ ସେ ମରଣ ମୁହଁରୁ ବି ଫେରିକି ଆସିବ । ଏମିତି ଅନେକ ଉଦାହରଣ ରହିଛି । ତେବେ ଆଜି ଏମିତି ଏକ ଘଟଣା ଘଟିଛି ଯାହାକୁ ଜାଣିଲେ ଆପଣ ନିଜେ କହିବେ ସତରେ ରଖିବ ହରି ତ ମାରିବ କିଏ?

ଏକ କ୍ରେନ୍‌ ଚକା ତଳେ ଚାପି ହୋଇ ଅଳ୍ପକେ ବର୍ତ୍ତିଯାଇଛନ୍ତି ଦୁଇ ବାଇକ୍‌ ଆରୋହୀ । ଏଭଳି ଏକ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବୋଡେନ୍‌ ଛକ ନିକଟରେ। ଏହି ଘଟଣା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ମୁତାବକ, ଦୁଇ ବାଇକ୍‌ ଆରୋହୀ ହେଉଛନ୍ତି, ଖଡିଆଳର ରୋମାଞ୍ଚଲ ସାହୁ ଓ ମଣ୍ଡୋସିଲ ଗାଁର କାହ୍ନ ସାହୁ।

ତେବେ ଉଭୟ ଏକ ବାଇକ୍‌ରେ ଖଡିଆଳ ପଟୁ ଆସୁଥିବା ବେଳେ ବୋଡେନ୍‌ ପଟକୁ ଯାଉଥିବା ଏକ କ୍ରେନ୍‌ ସେମାନଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ଦୁଇ ଜଣ ବାଇକରୁ ଖସି ସିଧା କ୍ରେନ୍‌ ତଳେ ପଡି ଯାଇଥିଲେ। ଦୁଇ ମୋଟର ସାଇକେଲ ଆରୋହୀ ପ୍ରାୟ ଏକ ଘଣ୍ଟା ଯାଏ କ୍ରେନ୍‌ ତଳେ ଚାପି ହୋଇ ରହିଥିଲେ। ଏନେଇ ଜାଣିବାପରେ ପାଖରେ ଥିବା ଲୋକ ତୁରନ୍ତ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

ଖଡିଆଳ ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ଏହାପରେ ଉଭୟଙ୍କୁ ପରେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଉଭୟ ଆହତ ହୋଇଥିବାବେଳେ, ସୌଭାଗ୍ଯ ବଶତଃ ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଯାଇଛନ୍ତି । ଦ୍ରୁତ ଗତି ମହା ବିପତ୍ତି। ତେଣୁ ବାଟରେ ଯିବା ସମୟରେ ସାବଧାନତାର ସହ ଗାଡି ଚଳାଇବା ନିହାତୀ ଆବଶ୍ଯକ।

Leave A Reply

Your email address will not be published.