କଟକ ଏସ୍ ସି ଵି ସମ୍ପ୍ରସାରଣ ପ୍ରକଳ୍ପ କାମ ବେଳେ କ୍ରେନ ଛିଡି ଅଘଟଣ, ତଦନ୍ତ ନିର୍ଦେଶ ଦେଲେ ଆଇନ,ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ
କଟକ : କଟକ ଏସ୍ ସି ଵି ସମ୍ପ୍ରସାରଣ ପ୍ରକଳ୍ପ କାମ ବେଳେ ଅଘଟଣ । ୧୦ ମହଲା ଉପରକୁ ନିର୍ମାଣ ଜିନିଷ ଉଠାଇଵା ବେଳେ ଛିଡିଲା କ୍ରେନ । କ୍ରେନ ଛିଡିଵା ସ୍ଥାନରେ ପଚାଶରୁ ଅଧିକ ଶ୍ରମିକ କାର୍ଯ୍ୟରତ ଥିଲେ । ୩ ଶ୍ରମିକ ଗୁରୁତର ଥିବା ଜଣାପଡିଛି । ତିନି ଜଣଙ୍କୁ ଚିକିତ୍ସା ପାଇଁ କଟକ ଏସିବିରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣ ଓଡ଼ିଆ ଓ ଜଣେ ବିହାର ବୋଲି ଜଣାପଡିଛି।
ସେମାନଙ୍କ ପରିଚୟ ଅନସାରି ବେଗ ବିହାରର ଓ ଦିନବନ୍ଧୁ ବେହେରା, ବଂଶୀରାଜ ମଲ୍ଲିକ ଓଡିଶାର ବୋଲି ଜଣାପଡିଛି । ଘଟଣା ପରେ ଏସସିବିରେ ଆଇନ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ , ମୟେର ସୁବାସ ସିଂ , ବିଧାୟକ ସୌଭିକ ବିଶ୍ୱାଳ ଓ ଠିକା ସଂସ୍ଥା ପ୍ରୋଜେକ୍ଟ ମ୍ୟାନେଜର ଆହତଙ୍କୁ ଭେଟି ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଆହତଙ୍କୁ ଗୁଣାତ୍ମକ ଚିକିତ୍ସା ସୁବିଧା ସହ ଯୋଗାଇ ଦେବାକୁ ମେଡିକାଲ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି ।
ଏଥିସହ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦେଶ ଦେଇଛନ୍ତି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଆଜିର ଘଟଣାକୁ ମାନ୍ୟବର ମନ୍ତ୍ରୀ ଅତି ଗୁରୁତର ଭାବେ ଗ୍ରହଣ କରିବା ସହ ଖବର ପାଇବା କ୍ଷଣି ସେଠାରେ ପହଂଚି ଏସମ୍ପର୍କରେ ତଥ୍ୟ ନେଇଛନ୍ତି I ଘଟଣାଟି କେଉଁ କାରଣରୁ ଘଟିଲା ଏବଂ ଏଥିରେ କାହାର ସଂପୃକ୍ତି ଅଛିକି ସେ ସମ୍ପର୍କରେ ରିପୋର୍ଟ ଦେବାକୁ ମନ୍ତ୍ରୀ ଓବିସିସିର ପରିଚାଳନା ନିର୍ଦେଶକଙ୍କୁ ନିର୍ଦେଶ ଦେଇଛନ୍ତି I ଦୋଷୀଙ୍କ ବିରୋଧରେ ଆଇନ ଅନୁସାରେ କଠୋର ଦଣ୍ଡ ବିଧାନ କରାଯିବ ବୋଲି ମନ୍ତ୍ରୀ ଉଲ୍ଲେଖ କରିଛନ୍ତି I
ଏଥି ସହିତ ମନ୍ତ୍ରୀ ଆହତ ଶ୍ରମିକମାନଙ୍କୁ ମେଡିକାଲରେ ଭେଟିବା ସହ ସେମାନଙ୍କର ଆସୁ ଆରୋଗ୍ୟ କାମନା କରିଛନ୍ତି I ଏହି ପରିଦର୍ଶନ ସମୟରେ ସ୍ଥାନୀୟ ବିଜେପି ନେତା ନୟନ କିଶୋର ମହାନ୍ତି, ଲଲାଟେନ୍ଦୁ ବଡୁ, ସିକନ୍ଦର ଅଲ୍ଲୀଙ୍କ ସମେତ ଓବିସିସି ଏମଡି ଜେ. କେ ଦାସ, ଏସସିବି ସୁପରିଟେଡେଣ୍ଟ ପ୍ରମୁଖ ଉପସ୍ଥିତ ଥିଲେ I