ଇଣ୍ଡିଆ ହାରିଗଲା ମୋ ପୁଅ ମରିଗଲା
ଦେବ ଖେଳକୁ ଭାରି ଭଲ ପାଉଥିଲା । ଇଣ୍ଡିଆ ବିଶ୍ୱକପ୍ ଜିତିବ ସମସ୍ତଙ୍କୁ କହିବୁଲୁଥିଲା ଦେବ । କିନ୍ତୁ ଯେତେବେଳେ ଇଣ୍ଡିଆ ହାରିଗଲା ସେ କଷ୍ଟକୁ ଦେବ ସହିପାରିଲାନି । ଗାଁରେ ଯେଉଁଠି ବି ଖେଳ ହେଉ ପଛେ ଦେବ ସେଠାରେ ଯାଇ ପହଁଚିଯାଏ । କିନ୍ତୁ ଭାରତ ହାରିବା କଷ୍ଟକୁ ସହଜରେ ଗ୍ରହଣ କରିପାରିଲାନି ସେ ।

ଯାଜପୁର ଟାଉନ୍ (କେନ୍ୟୁଜ) : ଇଣ୍ଡିଆ ହାରିଲା ମୋ ପୁଅ ଚାଲିଗଲା । ମା ମୁଣ୍ଡରେ ହାତ ରଖି କାନ୍ଦୁଛି, ଦେବରେ ତୁ କାହିଁକି ଏମିତି କଲୁ । ତୁ ଏ ମାଆଟାକୁ ଛାଡି କେମିତି ଚାଲିଗଲୁରେ ଦେବ। ତୋ ମାଆ ଠାରୁ ଖେଳ ଏତେ ବଡ ହେଇଗଲା, ଶେଷରେ ତୁ ତୋ ଜୀବନ ନେଇଗଲୁରେ ଦେବ । ଦେବ ଖେଳକୁ ଭାରି ଭଲ ପାଉଥିଲା । ଇଣ୍ଡିଆ ବିଶ୍ୱକପ୍ ଜିତିବ ସମସ୍ତଙ୍କୁ କହିବୁଲୁଥିଲା ଦେବ । କିନ୍ତୁ ଯେତେବେଳେ ଇଣ୍ଡିଆ ହାରିଗଲା ସେ କଷ୍ଟକୁ ଦେବ ସହିପାରିଲାନି । ଗାଁରେ ଯେଉଁଠି ବି ଖେଳ ହେଉ ପଛେ ଦେବ ସେଠାରେ ଯାଇ ପହଁଚିଯାଏ । କିନ୍ତୁ ଭାରତ ହାରିବା କଷ୍ଟକୁ ସହଜରେ ଗ୍ରହଣ କରିପାରିଲାନି ସେ ।
୨୩ ବର୍ଷର ଭେଣ୍ଡିଆ ଟୋକାଟା । ଛଅ ଫୁଟ୍ ହାଇଟ୍ ହେବ । ଡଉଲ ଡାଉଲ ଚେହେରା । ମୋ ପୁଅ ଭାରି ଭଲ, ସମସ୍ତେ ତାକୁ ଭଲ ପାଉଥିଲେ । କିନ୍ତୁ ଆଜି ମୋ ଦେବ ଇଣ୍ଡିଆ ହାରିଲା ବୋଲି ମରିଗଲା । କ୍ରିକେଟକୁ ଲୋକମାନେ କେତେ ଯେ ଭଲ ପାଆନ୍ତି ଦେବକୁ ଦେଖିଲେ ତାହା ଜଣାପଡୁଛି । କାଲି ଥିଲା ୨୦୨୩ ଓ୍ଵାଲର୍ଡ କପର ଫାଇନାଲ ମ୍ୟାଚ୍ । ମଇଦାନରେ ମୁହାଁମୁହିଁ ହୋଇଥିଲେ ବାଘ ଓ କଙ୍ଗାରୁ ଦଳ । ଆଉ ଠିକ୍ ଏତିକିବେଳେ କ୍ରିକେଟକୁ ବହୁତ ଭଲ ପାଉଥିବା ଦେବବି ଟିଭି ଆଗରେ ବସି ଏକ ଲୟରେ ଖେଳ ଦେଖୁଥିଲା । ଆଉ ଯେତେବେଳେ ଭାରତ ହାତରୁ ମ୍ୟାଚ୍ ଖସିବାକୁ ଲାଗିଲା ସେତେବେଳେ ଦେବ ଟିିଭି ଆଗରୁ ଉଠିକି ଚାଲିଗଲା ।
ମନେ ମନେ ଭାରି ବିରକ୍ତି ହେଉଥିଲା । ଆଉ ବାରମ୍ବାର କହି ହେଉଥିଲା ବିଶ୍ୱକପ୍ ଚାଲିଗଲା । ବିରାଟ ରୋହିତଙ୍କ ସେ ଶୁଖିଲା ମୁହଁ ଦେଖି ହବନି । ଗ୍ୟାଲେରୀରେ ଦର୍ଶକଙ୍କ କାନ୍ଦ କାନ୍ଦ ମୁହଁକୁ ଚାହିଁହବନି । ଏମିତି ବିରକ୍ତି ହୋଇ ରାତିରେ ବାହାରକୁ ଚାଲିଗଲା ଦେବ । କିନ୍ତୁ ରାତିରେ ଆଉ ଘରକୁ ଫେରିଲାନି ଦେବ । ଘରେ ଭାବିଲେ ବୋଧହୁଏ ଦେବ ତାର କୋଉ ସାଙ୍ଗ ପାଖରେ ରହିଯାଇଛି । କିନ୍ତୁ ସକାଳୁ ଦେଖିଲାବେଳକୁ ଦେବ ମରି ଶୋଇଛି ପଡିଶା ଘର ଛାତ ଉପରେ ।
ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଆମ ଓଡିଶାରେ । ଯାହା ଏବେ ରହିଛି ଭାରି ଚର୍ଚ୍ଚାରେ । ଭାରତର ପରାଜୟ କୁ ସହିନପାରି ଜୀବନ ହାରିଲେ ୨୩ବର୍ଷୀୟ ଯୁବକ। ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଜରୀ ପଞ୍ଚାୟତ କୁଳ ସାହି ଗାଁ । ଗାଁର ନୀଳମଣି ଦାସଙ୍କ ସାନ ପୁଅ ଦେବ ଓରଫ୍ ଦେବରଞ୍ଜନ ଦାସଙ୍କ ମୃତ ଶରୀର ପଡୋଶୀ ଛାତରେ ଥିବା ଏକ ରଡ଼ରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା।
ପରିବାର ବର୍ଗ ଜରି ବିଟ ହାଉସକୁ ଖବର ଦେଇଥିଲେ । ଖବର ପାଇ ଜରୀ ବିଟ ହାଉସର ଅଧିକାରୀ ପଂହଁଚି ଶବ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। କୁହାଯାଉଛି ଦେବ କୁଆଡେ ମାନସିକ ବିକାରଗ୍ରସ୍ଥ ଥିଲେ । କିନ୍ତୁ ଖେଳକୁ ସେ ଭାରି ଭଲ ପାଉଥିଲେ । ସେଥିପାଇଁ ତ କଙ୍ଗାରୁ ପାଖରୁ ବାଘକୁ ହାରିଥିବା ଦେଖି ସହିପାରିଲାନି ଦେବ ।