ମାନସ ସ୍ୱାଇଁ ହତ୍ୟା ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ନିର୍ଦ୍ଦେଶ ଦେଲେ ଡିଜିପି

ଭୁବନେଶ୍ବର(କେନ୍ୟୁଜ୍):  ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ଡିଜିପିଙ୍କ ନିର୍ଦ୍ଦେଶ କ୍ରମେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ଘଟଣାର ଗୁରୁତ୍ୱ ଓ ଏକାଧିକ ଜିଲ୍ଲାର ସଂପୃକ୍ତି ଥିବାରୁ କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଦିଆଯାଇଛି। ଚିପ୍‌ ପାଇଁ ମାନସଙ୍କୁ ଚାନ୍ଦବାଲିରୁ ଅପହରଣ କରି ଭୁବନେଶ୍ୱର ଆଣିଥିଲେ ଶର୍ମିଷ୍ଠା। ଦୟାଲ ଆଶ୍ରମରେ ମାନସଙ୍କୁ ନିସ୍ତୁକ ମାଡ଼ ମାରି ହତ୍ୟା କରିବା ପରେ ମୃତଦେହକୁ ନଷ୍ଟ କରିବାକୁ ପୋତି ଦେଇଥିଲେ।

ମାନସ ନିଖୋଜ ନେଇ ଫେବୃଆରୀ ୧୪ତାରିଖରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନାରେ ମାମଲା ରୁଜୁ କରିଥିଲେ। ଏହି ଘଟଣାରେ ସୂଚନା ଓ ଲୋକସଂପର୍କ ବିଭାଗର ପୂର୍ବତନ ବୈଷୟିକ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ପୂର୍ବରୁ ଗିରଫ ହୋଇ ଜେଲରେ ଅଛନ୍ତି। ଶର୍ମିଷ୍ଠା ଏବେ ବି ଫେରାର ଅଛନ୍ତି। ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିବା ବେଳେ ଉଚ୍ଚ ନ୍ୟାୟାଳୟ ଏହାକୁ ଅଗ୍ରାହ୍ୟ କରିଛନ୍ତି। ୪ସପ୍ତାହ ମଧ୍ୟରେ ନିମ୍ନ ଅଦାଲତରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେପଟେ ମିଳିଛି ଶର୍ମିଷ୍ଠାଙ୍କ କାର । ରାଜଧାନୀ ଭୁବନେଶ୍ୱରର ଏକ ଆପାର୍ଟମେଣ୍ଟ ପାର୍କିଂରୁ ଗାଡିକୁ ଠାବ କରାଯାଇଛି। ମାନସ ସ୍ୱାଇଁଙ୍କୁ ଅପହରଣ ପରେ ପୋଲିସର ନଜର ହଟାଇବାକୁ ଗାଡି ଲୁଚାଇ ଦେଇଥିଲେ ଶର୍ମିଷ୍ଠା। କ୍ୟାମେରାମ୍ୟାନ୍‌ ମାନସଙ୍କୁ ଏହି ଗାଡ଼ିରେ ଅପହରଣ ଓ ପରେ ମୃତଦେହ ନଷ୍ଟ କରିବାରେ ବ୍ୟବହାର କରାଯାଇଥିଲା । ପୂର୍ବରୁ ଗିରଫ ହୋଇଥିବା ଭାଗ୍ୟଧନ ନାୟକ ପୋଲିସକୁ ଏହି ସୂଚନା ଦେଇଛନ୍ତି। ଗାଡି ଯାଞ୍ଚ ପାଇଁ ଚାନ୍ଦବାଲି ପୋଲିସର ଏକ ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରେ ଆସି ଛାନଭିନ ଚଳାଇଛି।

ଗାଡ଼ିର କାଚ ଭାଙ୍ଗି ଗାଡ଼ିର କାଗଜପତ୍ର ଜବତ କରିଛି ପୋଲିସ। କାରକୁ ଫାଇନାନ୍‌ସରେ କିଣାଯାଇଥିଲା। ଜାନୁଆରୀ ୬ରୁ ଗାଡିର ଇନ୍‌ସ୍ୟୁରାନ୍‌ସ ଅବଧି ଶେଷ ହୋଇଯାଇଛି । ସେପଟେ ଏବେବି ଫେରାର ଅଛନ୍ତି ହତ୍ୟା ଘଟଣାର ମାଷ୍ଟରମାଇଣ୍ଡ ଶର୍ମିଷ୍ଠା । ଶର୍ମିଷ୍ଠା ଓ ତାଙ୍କ ସହଯୋଗୀଙ୍କୁ ଧରିବା ପାଇଁ ତନାଘନା ତଦନ୍ତ ଚଳାଇଛି ଭଦ୍ରକ ପୋଲିସର ୪ଟି ଟିମ୍‌। ସେପଟେ ଗତକାଲି ଗିରଫ ହୋଇଥିବା ଶର୍ମିଷ୍ଠାଙ୍କ ଭାଇ ପରମେଶ୍ୱରକୁ ଚାନ୍ଦବାଲି ଥାନାକୁ ନିଆଯାଇଛି। ଭଉଣୀ ଆକାଉଣ୍ଟକୁ ଟଙ୍କା ପଠାଇବା ସହ ତାକୁ ଖସାଇବାରେ ସହଯୋଗ କରୁଥିବା ଅଭିଯୋଗରେ ପରମେଶ୍ୱରକୁ ବିଜୟୱାଡାରୁ ଗିରଫ କରିଛି ପୋଲିସ।

Leave A Reply

Your email address will not be published.