ଯାଜପୁରରେ ବଢ଼ିଚାଲିଛି ଅପରାଧ: ମାସକ ଭିତରେ ତିନି ତିନୋଟି ଡକାୟତି ଓ ରାହାଜାନି ଘଟଣା

ଯାଜପୁର ଟାଉନ: କ୍ରାଇମ କ୍ରାଇମ କ୍ରାଇମ । ଗୋଟାକ ପରେ ଗୋଟିଏ କ୍ରାଇମ କରି ଚାଲିଛନ୍ତି ଅପରାଧୀ । ଜାନୁଆରୀ ୪ ତାରିଖରେ ସ୍ପଷ୍ଟ ଦିବାଲୋକରେ ପାଣିକୋଇଲି ପଣ୍ଡା ଅଳଙ୍କାର ଦୋକାନରେ ପଶି ବନ୍ଧୁକ ଦେଖାଇ ସୁନା ଅଳଙ୍କାର ଲୁଟ କଲେ ଦୁର୍ବୃତ୍ତ । ବନ୍ଧୁକ ଫୁଟାଇ ଦୁଇ ଜଣଙ୍କର ଜୀବନ ବି ନେଇଗଲେ । ଏହା ପରେ ପରେ ନିକଟରେ ବାରବାଟୀରେ ଜଣେ ଆଳୁ ବ୍ୟବସାୟୀଙ୍କୁ ବନ୍ଧୁକ ଫୁଟାଇ ଭୟଭୀତ କରିବା ସହ ୫ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଲେ ।
ଏହାପରେ ଗତକାଲି ସନ୍ଧ୍ୟାରେ ଧର୍ମଶାଳା ଥାନା ଇମାମନଗର ଠାରେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଜଣେ ମେଡିସିନ କମ୍ପାନୀ କର୍ମଚାରୀଙ୍କ ଠାରୁ ୭୦ ହଜାର ଟଙ୍କା ଲୁଟି ନେଇଥିବା ଘଟଣା ସାମ୍ନାକୁ ଆସିଛି । ଏ ସବୁ ଘଟଣାରେ କିନ୍ତୁ ଗୋଟିଏ ଜିନିଷ ଦେଖିବାକୁ ମିଳିଛି । ପ୍ରତ୍ୟେକ ଟି ଘଟଣାରେ ଅପରାଧୀ ମାନଙ୍କ ଦ୍ଵାରା ବନ୍ଧୁକ ବ୍ୟବହାର ହୋଇଛି । କେତେବେଳେ ରାଜପଥରେ ଘଟିଛି ତ ଆଉ କେତେବେଳେ ସାଧାରଣ ରାସ୍ତାରେ ବାଇକ ଛଡାଇ ବା କାର୍ ଭଙ୍ଗାରୁଜା କରି ଆତଙ୍କ ଖେଲାଇଛନ୍ତି ଦୁର୍ବୃତ୍ତ । ଫଳରେ ସାଧାରଣ ଯାତ୍ରୀ ହୁଅନ୍ତୁ ଅବା ବ୍ୟବସାୟୀ କେହି ବି ନିଜକୁ ସୁରକ୍ଷିତ ମଣୁନାହାନ୍ତି । ଅପରାଧ ନିୟନ୍ତ୍ରଣ ପାଇଁ ସବୁ ମହଲରୁ ଉଠୁଛି ଦାବି।
ଅପରାଧୀ ମାନେ କେବଳ ଡକାୟତି ବା ରାହାଜାନ କାଣ୍ଡ ଘଟାଇ ନାହାନ୍ତି । ଏମାନେ ଲୋକଙ୍କ ଦୁର୍ମୂଲ୍ୟ ଜୀବନ ମଧ୍ୟ ନେବାକୁ ପଛାଇ ନାହାନ୍ତି । କାରଣ ଆପଣ ଦେଖିଲେ ପାଣିକୋଇଲିରେ କିଭଳି ଲୁଟ କାଣ୍ଡ ଘଟାଇବା ସହିତ ସର୍ବ ସମ୍ମୁଖରେ ଗୁଳି ଫୁଟାଇ ଦୁଇ ଜଣଙ୍କ ଜୀବନ ମଧ୍ୟ ନେଇଗଲେ । ତେଣୁ ଲୁଟ୍ କାଣ୍ଡ ତ ଘଟୁଛି, ତାସହିତ କେତେବେଳେ ଯେ କାହାର ଜୀବନ ଚାଲିଯିବ ତାହା ବି ଜାଣିବା ମୁସ୍କିଲ ହୋଇପଡିଛି । ତେଣୁ ଚାରିଆଡେ ଲୋକଙ୍କ ଭିତରେ ଭୟର ଆତଙ୍କ ଖେଳିଯାଇଛି ।
ସେପଟେ ଗୋଟେ ପରେ ଗୋଟେ ବଡ଼ ବଡ଼ ଘଟଣା ଘଟି ଚାଲିଥିବା ବେଳେ ଅପରାଧ ନିୟନ୍ତ୍ରଣ କରିବା କିମ୍ବା ଅପରାଧୀଙ୍କୁ ଧରିବା ପୋଲିସ ପାଇଁ ବଡ଼ ଚାଲେଞ୍ଜ ସୃଷ୍ଟି କରିଛି । ବରିଷ୍ଠ ନାଗରିକ ମାନେ ମାନେ ଏଥିପାଇଁ ପୋଲିସର ଅପାରଗତାକୁ ଦାୟୀ କରୁଥିବା ବେଳେ କେନ୍ଦ୍ରାଞ୍ଚଳ ଡିଆଇଜି କହିଲେ ଏଥିପାଇଁ ଉଦ୍ୟମ ଜାରି ରହିଛି । ଖୁବ୍ ଶୀଘ୍ର ଅପରାଧୀ ମାନେ ପୋଲିସ ହାତରେ ଘରପଡ଼ିବେ । ଅପରାଧୀଙ୍କୁ ଧରିବା ଏବଂ ଅପରାଧ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବା ପୋଲିସ ପାଇଁ ଯେତେ ବଡ଼ ଚାଲେଞ୍ଜ, ଲୋକଙ୍କ ମନରୁ ଭୟ ଦୂର କରିବା ସହ ଯାତାୟାତ ବେଳେ ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ପଦକ୍ଷେପ ନେବା ସେତିକି ଜରୁରୀ ହୋଇପଡିଛି ।