ଘରେ ପଶି ନଗଦ ଟଙ୍କା ଓ ସୁନା ଅଳଙ୍କାର ଲୁଟ୍, ବୋହୂକୁ ମରଣାନ୍ତକ ଆକ୍ରମଣ

ବାସୁଦେବପୁର: ରାତି ପ୍ରାୟ ୧ ହେବ । ହଠାତ କିଛି ଶବ୍ଦ ହେଲା । ମହିଳା ଜଣକ ଆଖି ଖୋଲି ଦେଖନ୍ତି ତ ତାଙ୍କ ଆଖି ଆଗରେ ଠିଆ ହୋଇଛନ୍ତି କିଛି ମୁଖାପିନ୍ଧା ଦୁର୍ବୃତ୍ତ । ଆଉ ପଚାରିଲେ ସତ ସତ କହ ଘରର ସବୁ ସୁନା ଗହଣା କୋଉଠି ଅଛି । ହେଲେ ସୁନା ଦେବାକୁ ରାଜି ହୋଇନଥିଲେ ଲକ୍ଷ୍ମୀପ୍ରିୟା । ଯାହାପରେ ଦୁର୍ବୃତ୍ତଙ୍କ ମୁଣ୍ଡକୁ ପିତ୍ତ ଚଢ଼ିଥିଲା ଆଉ ଲକ୍ଷ୍ମୀପ୍ରିୟାଙ୍କୁ କରିଥିଲେ ମରଣାନ୍ତକ ଆକ୍ରମଣ । ଆଉ ଲୁଟିନେଲେ ଘରେ ଥିବା ସମସ୍ତ ଅଳଙ୍କାର ଓ ଟଙ୍କା ପଇସା । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନାୟିକାଣଡ଼ିହି ଗାଁରେ ଘଟିଛି ଏଭଳି ଏକ ଛାତିଥରା ଘଟଣା ।

ଯାହାପରେ ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଛି ଭୟର ବାତାବରଣ । ଗତକାଲି ବିଳମ୍ବିତ ରାତିରେ ଘରର କବାଟ ତାଡି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହିତ ନଗଦ ଟଙ୍କା ଓ ଲକ୍ଷାଧିକ ମୂଲ୍ୟର ସୁନା ଅଳଙ୍କାର ଲୁଟିନେଇଛନ୍ତି ଦୁର୍ବୃତ୍ତ । ମହାଶିବରାତ୍ରିରେ ଘରେ କେହି ନଥିବାର ସୁଯୋଗ ନେଇ ଏଭଳି ଭୟଙ୍କର କାଣ୍ଡ ଭିଆଇଛନ୍ତି ଦୁର୍ବୃତ୍ତ । ସୂଚନା ଅନୁସାରେ, ପରମେଶ୍ୱର ସାହୁଙ୍କ ପୁଅ ହୃଷିକେଶ ଗତକାଲି ରାତିରେ ନିକଟରେ ଥିବା ଏକ ଶିବ ମନ୍ଦିରକୁ ପୂଜାପାଇଁ ଯାଇଥିଲେ ।

ଯାହାର ସୁଯୋଗ ନେଇ କିଛି ଦୁର୍ବୁତ୍ତ ଘରର ପଛ ପାଖ କବାଟ ତାଡି ଘର ଭିତରକୁ ପଶି ଥିଲେ । ଘରର ଅନ୍ୟ ପରିବାରର ସଦସ୍ୟଙ୍କ ରୁମର କବାଟ ବନ୍ଦ କରି ଏକା ଥିବା ବୋହୁ ଲକ୍ଷ୍ମୀପ୍ରିୟାଙ୍କ ଶୋଇବା ଘରକୁ ପଶିଥିଲେ । ଶବ୍ଦ ଶୁଣି ନିଦରୁ ଉଠିପଡ଼ିଥିଲେ ଲକ୍ଷ୍ମୀପ୍ରିୟା । ରାତି ଅଧରେ ହଠାତ ଏଭଳି ମୁଖାପିନ୍ଧା ଦୁର୍ବୁତ୍ତଙ୍କୁ ଦେଖି ଭୟଭୀତ ହୋଇଯାଇଥିଲେ । ସେହି ସମୟରେ ଲକ୍ଷ୍ମୀପ୍ରିୟାଙ୍କୁ ମାରଣାସ୍ତ୍ର ଦେଖାଇ ସୁନା ଗହଣା ଦେବାକୁ କହିଥିଲେ । ହେଲେ ସେ ରାଜି ନ ହେବାରୁ ତାଙ୍କୁ ମାରଣାସ୍ତ୍ରରେ ମାରିଥିଲେ ଚୋଟ ଉପରେ ଚୋଟ ।

ଯାହାଫଳରେ ଗୁରୁତର ଆହତ ହୋଇଥିଲେ ଲକ୍ଷ୍ମୀପ୍ରିୟା । ଆଉ ଏହାର ସୁଯୋଗ ନେଇ ଗଡ଼ରେଜ ଭାଙ୍ଗି ସବୁ ସୁନା ଅଳଙ୍କାର ସମେତ ନଗଦ ଟଙ୍କା ନେଇ ପଳାଇ ଯାଇଥିଲେ । ଗୁରୁତର ଅବସ୍ଥାରେ ଲକ୍ଷ୍ମୀପ୍ରିୟା ଚିତ୍କାର କରିବା ସହିତ ବଡ଼ କଷ୍ଟରେ ଅନ୍ୟ ରୁମରେ ଶୋଇଥିବା ପରିବାରର ସଦସ୍ୟଙ୍କ କବାଟ ଖୋଲି ଥିଲା । ଏହି ସମୟ ମଧ୍ୟରେ ଲୁଟେରାମାନେ ବାଡ଼ି ପଛ କବାଟ ଦେଇ ପଳାଇ ଯାଇଥିଲେ । ଯାହାପରେ ଲକ୍ଷ୍ମୀପ୍ରିୟା ଚେତାଶୂନ୍ୟ ହୋଇ ତଳେ ପଡି ଯାଇଥିଲେ ।

ବୋହୂର ଏଭଳି ଅବସ୍ଥା ଦେଖି ଶାଶୁ ଶ୍ୱଶୁର ତୁରନ୍ତ ନିଜ ପୁଅକୁ ଫୋନ କରିବା ସହ ବୋହୂକୁ ନିକଟସ୍ତ ବାସୁଦେବପୁର ଡାକ୍ତରଖାନାକୁ ନେଇ ଯାଇଥିଲେ । କିନ୍ତୁ ସେଠାରେ ଲକ୍ଷ୍ମୀପ୍ରିୟାଙ୍କ ଅବସ୍ଥା ଗୁରୁତର ହେବାରୁ ତାକୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ନେଇଯାଇଛନ୍ତି । ସେହିପରି ନାୟିକାଣଡ଼ିହି ପଞ୍ଚାୟତ ପାଖ ରହିମପୁର ଗାଁର ରବୀନ୍ଦ୍ର ମହାନ୍ତି ଓ ବ୍ରହ୍ମାନନ୍ଦ ଦାସଙ୍କ ଘରର କବାଟ ଭାଙ୍ଗି ସୁନା ରୁପା ଅଳଙ୍କାର ଓ ନଗଦ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।

ଭଦ୍ରକ ଭଣ୍ଡାରିପୋଖରୀରେ ଆକ୍ରମଣ ଘଟଣାକୁ କିଛି ଦିନ ନପୂରୁଣୁ ପୁଣିଥରେ ଏଭଳି ଘଟଣା ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି । ସେଠାରେ ମଧ୍ୟ ଘରେ କେହି ପୁରୁଷ ନଥିବାର ସୁଯୋଗ ନେଇ କିଛି ଦୁର୍ବୃତ୍ତ ଶାଶୁ ବୋହୁଙ୍କ ଉପରେ ଆକ୍ରମଣ କରିଥିଲେ । ଯେଉଁଥିରେ ବଡ଼ ବୋହୁଙ୍କ ଜୀବନ ଚାଲିଯାଇଥିଲା । ଏପଟେ ଶାଶୁ ଓ ସାନ ବୋହୂ ଗୁରୁତର ହୋଇ ଏବେ ବି ଚିକିତ୍ସିତ ହେଉଛନ୍ତି । ତେବେ ବାରମ୍ବାର ଭଦ୍ରକରେ ଏଭଳି ଅଘଟଣ ସାମ୍ନାକୁ ଆସୁଥିବାବେଳେ ପୋଲିସର ନିଷ୍କ୍ରିୟତାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

Also read: ଭଦ୍ରକ ଭଣ୍ଡାରି ପୋଖରୀ ଆକ୍ରମଣ ଘଟଣା, ସନ୍ଦେହ ଘେରରେ ୪ ଯୁବକ