ଦଳରେ ରହି ଦଳକୁ ସମାଲୋଚନା କରିବା ସୌମ୍ୟଙ୍କ ପାଇଁ ନୂଆ କଥା ନୁହେଁ, ନିଜସ୍ୱ ମତ ରଖି ସବୁଠି ଦଳୀୟ ଶୃଙ୍ଖଳାକୁ ଭାଙ୍ଗିଛନ୍ତି
ଭୁବନେଶ୍ବର ବିଧାନସଭା ଆସନ ପାଇଁ ବିଜୁ ପଟ୍ଟନାୟକଙ୍କ ବିପକ୍ଷରେ ବିଜେପିରୁ ପ୍ରାର୍ଥୀ ହୋଇ ହାରିଥିଲେ। ପରେ ପଦ୍ମ ପୋଖରୀରୁ ବାହାରି ଆସି ଧରିଥିଲେ କଂଗ୍ରେସ ହାତ। ୧୯୯୬ରେ କଂଗ୍ରେସରୁ ଭୁବନେଶ୍ୱର ଲୋକସଭା ଆସନରୁ ସାଂସଦ ହୋଇଥିଲେ ସୌମ୍ୟରଂଜନ।
କେନ୍ୟୁଜ୍(ବ୍ୟୁରୋ): ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ରାଜନୈତିକ କ୍ୟାରିଅରେ ଅନେକ ଉତ୍ ଥାନ ପତନ ରହିଛି। ନିଜସ୍ୱ ମତକୁ ନେଇ ବିବାଦରେ ଅଛନ୍ତି। ଆରମ୍ଭରୁ ତାଙ୍କ ପରିଚୟ ଥିଲା ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜ୍ୱାଇଁ। ଏ ପରିଚୟ ନେଇ ଆରମ୍ଭ ହୋଇଥିଲା ସୌମ୍ୟଙ୍କ ରାଜନୈତିକ କ୍ୟାରିଅର। ନବେ ଦଶକରେ ବିଜେପିର ଅଭ୍ୟୁଦୟ ସମୟରେ ପଦ୍ମ ମୋହରେ ପଡିଥିଲେ ସୌମ୍ୟ। ୧୯୯୫ରେ ଲଢିଥିଲେ ନିଜର ପ୍ରଥମ ନିର୍ବାଚନ। ଭୁବନେଶ୍ବର ବିଧାନସଭା ଆସନ ପାଇଁ ବିଜୁ ପଟ୍ଟନାୟକଙ୍କ ବିପକ୍ଷରେ ବିଜେପିରୁ ପ୍ରାର୍ଥୀ ହୋଇ ହାରିଥିଲେ। ପରେ ପଦ୍ମ ପୋଖରୀରୁ ବାହାରି ଆସି ଧରିଥିଲେ କଂଗ୍ରେସ ହାତ। ୧୯୯୬ରେ କଂଗ୍ରେସରୁ ଭୁବନେଶ୍ୱର ଲୋକସଭା ଆସନରୁ ସାଂସଦ ହୋଇଥିଲେ ସୌମ୍ୟରଂଜନ।
୧୯୯୮ରେ ପୁଣି ଭୁବନେଶ୍ବରରୁ ଲଢି ହାରିଥିଲେ। ପରାଜୟ ପରେ କଂଗ୍ରେସ ଛାଡି ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିରେ ଯୋଗ ଦେଲେ। କିନ୍ତୁ ୨୦୦୦ ମସିହା ନିର୍ବାଚନ ପୂର୍ବରୁ ଛାଡିଦେଲେ ଏନସିପି। ପୁଣି କଂଗ୍ରସ ମୁହାଁ ହେଲେ ସୌମ୍ୟ। ୨୦୦୪ରେ ଭୁବନେଶ୍ବର ଲୋକସଭା ଆସନ ପାଇଁ ଲଢି ହାରିଗଲେ। ୨୦୦୯ରେ କଂଗ୍ରେସ ଟିକେଟରେ ଖଣ୍ଡପଡ଼ାରେ ଲଢି ହାରିଥିଲେ। ୨୦୧୨ ବେଳକୁ ପିସିସି ସଭାପତି ଥିବା ସୌମ୍ୟଙ୍କ ଭାଇ ନିରଞ୍ଜନ ପଟ୍ଟନାୟଙ୍କୁ ପଦରୁ ହଟାଇ ଦେଲେ ହାଇକମାଣ୍ଡ। ଏହାପରେ କଂଗ୍ରେସ ଉପରେ ବିଭିନ୍ନ ପ୍ରସଙ୍ଗରେ ଆକ୍ଷେପ କରି ଚାଲିଲେ ସୌମ୍ୟରଂଜନ। ଶେଷରେ ୧ ଅକ୍ଟୋବର ୨୦୧୩ରେ କଂଗ୍ରେସ ପାର୍ଟିରୁ ବହିଷ୍କୃତ ହୋଇଥିଲେ।
କଂଗ୍ରେସରୁ ବାହାରିବା ପରେ, ନଭେମ୍ବର ୨୦୧୩ରେ ଗଠନ କରିଥିଲେ ଆମ ଓଡ଼ିଶା ପାର୍ଟି। କିନ୍ତୁ ଦଳ ପ୍ରଭାବଶୂନ୍ୟ ଥିଲା। ଖୋଦ୍ ସୌମ୍ୟ ୨୦୧୪ରେ ଖଣ୍ଡପଡ଼ାରୁ ହାରିଥିଲେ।… ନିର୍ବାଚନ ରାଜନୀତିରେ ବାରମ୍ୱାର ଅସଫଳ ହେବା ପରେ, ୨୦୧୮ରେ ବିଜେଡିରେ ସାମିଲ ହୋଇଗଲେ। ସାଂସଦ ଓ ବିଧାୟକ ହେଲେ। ବିଜେଡି ଦଳରେ ଉପସଭାପତି ଦାୟିତ୍ବରେ ରହିଲେ। ଏବେ ବିଶୃଙ୍ଖଳା ପାଇଁ ଉପସଭାପତି ପଦରୁ ବିଦା ହୋଇଛନ୍ତି। ଆଗକୁ ସୌମ୍ୟଙ୍କ କଣ ପଦକ୍ଷେପ ହେବ ତା ଉପରେ ସମସ୍ତଙ୍କ ନଜର ରହିଛି।