ଭିତରକନିକାରେ କୁମ୍ଭୀର ଗଣନା ଆରମ୍ଭ, ନିୟୋଜିତ ହୋଇଛନ୍ତି ୨୨ଟି ଟିମ୍

ରାଜନଗର : ଆଜିଠୁ ଭିତରକନିକାରେରେ କୁମ୍ଭୀର ଗଣନା ଆରମ୍ଭ । ଜାନୁଆରୀ ୧୯,୨୦ ଓ ୨୧ ତାରିଖ ପର୍ଯ୍ୟନ୍ତ କୁମ୍ଭୀର ଗଣନା ହେବ । କୁମ୍ଭୀର ଗଣନା ପାଇଁ ନିୟୋଜିତ ହୋଇଛନ୍ତି ୨୨ଟି ଟିମ୍ । କୁମ୍ଭୀର ବିଶାରଦ ଡଃ ସୁଧାକର କରଙ୍କ ନେତୃତ୍ବରେ ରାଜନଗର ବନଖଣ୍ଡର କନିକା, ରାଜନଗର, ମହାକାଳପଡ଼ା ଓ ଗହୀରମଥା ୪ଟି ରେଞ୍ଜରେ ଚାଲିଛି କୁମ୍ଭୀର ଗଣନା ।
କୁମ୍ଭୀର ବିଶାରଦ ଡଃ ସୁଧାକର ଆହୁରି ମଧ୍ୟ କହିଛନ୍ତି,” ଭିତରକନିକାକୁ ସଲଗ୍ନ ଥିବା ନଦୀ, ନାଳଗୁଡ଼ିକରେ ବଉଳା କୁମ୍ଭୀରମାନଙ୍କର ଗଣନା କରାଯିବ । କୁମ୍ଭୀର ବିଶାରଦ ଡ଼ା ସୁଧାକର କରଙ୍କ ନେତୃତ୍ୱରେ ବନ କର୍ମଚାରୀମାନେ କୁମ୍ଭୀର ଗଣନା କରିବେ । ସକାଳ ଏବଂ ସଂନ୍ଧ୍ୟା ସମୟରେ ହୁଲି ଡ଼ଙ୍ଗା ସାହାଯ୍ୟରେ କୁମ୍ଭୀର ଗଣନା କରାଯାଇଥାଏ । ଗତବର୍ଷ ଭିତରକନିକାରେ ୧୮୧୧ଟି କୁମ୍ଭୀର ଗଣନା କରାଯାଇଥିବା ବେଳେ ଚଳିତ ବର୍ଷ ମଧ୍ୟ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା ରଖିଛୁ ।
ଭିତରକନିକାର ଶୋଭାବର୍ଦ୍ଧନ କରୁଥିବା ଓଡିଶାର ଏକ ମାତ୍ର କୁମ୍ଭୀର ପ୍ରଜନନ ଓ ଗବେଷଣା କେନ୍ଦ୍ରରେ ଗତ ୫ ବର୍ଷ ମଧ୍ୟରେ କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ପାଇଛି । ୨୦୧୯ ମସିହାରେ ଜାତୀୟ ଉଦ୍ୟାନ ମଧ୍ୟରେ ୧୭୪୨ଟି କୁମ୍ଭୀର ରହିଥିବା ବେଳେ ୨୦୨୦ରେ ୧୭୫୭ଟି, ୨୦୨୧ରେ ୧୭୬୮ଟି, ୨୦୨୨ରେ ୧୭୮୪ଟି, ୨୦୨୩ରେ ୧୭୯୩ଟି କୁମ୍ଭୀର ଠାବ କରାଯାଇଥିବା ବେଳେ ଗତବର୍ଷ ଜାତୀୟ ଉଦ୍ୟାନ ମଧ୍ୟରେ କୁମ୍ଭୀର ସଂଖ୍ୟା ୧୮ଟି ବୃଦ୍ଧି ହୋଇ ଏହି ସଂଖ୍ୟା ୧୮୧୧ରେ ପହଞ୍ଚିଥିଲା ।
Also Read : ଆଜିଠୁ ଚିଲିକା ଓ ଭିତରକନିକାରେ ଆରମ୍ଭ ହୋଇଛି ପକ୍ଷୀ ଗଣନା, ୧୮ଟି ଟିମ୍ ସାମିଲ