ଯାଜପୁର: ବୈତରଣୀରେ ପୁଣି କୁମ୍ଭୀର ଆତଙ୍କ, ମଇଁଷିକୁ ଟାଣି ନେଇ ମାରିଦେଲା

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ବୈତରଣୀ ନଦୀ ତଟବର୍ତ୍ତି ଅଂଚଳରେ ପୁଣି ଥରେ କୁମ୍ଭୀର ଆତଙ୍କ ଦେଖାଦେଇଛି । ଚଳିତ ମାସ ୨୬ ତାରିଖ ଦିନ ଦତ୍ତପୁର ପଞ୍ଚାୟତ ନରଣପୁର ଠାରେ ଏକ ବିଶାଳକାୟ କୁମ୍ଭୀର ନଦୀ ପଠାରୁ ଗୋଟିଏ ଘୁଷୁରୀକୁ ଟାଣିନେଇଥିବା ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଥିବା ବେଳେ ଆଜି କୟାଁ ପଞ୍ଚାୟତ ଇଚ୍ଛାପୁର ଗ୍ରାମଦେଇ ପ୍ରବାହିତ ବୈତରଣୀ ନଦୀରେ ଏକ କୁମ୍ଭୀର ଆକ୍ରମଣରେ ଗୋଟିଏ ଅଣ୍ଡିରା ମଇଁଷି ମୃତ୍ୟୁବରଣ କରିଥିବା ଦେଖିବାକୁ ମିଳିଛି ।

ଇଚ୍ଛାପୁର ଗ୍ରାମର ଶତ୍ରୁଘ୍ନ ଦାସ, ଜୟିରାମ ସାହାଣି, ଚଗୁଲୁ ଦାସ, ଧୁଣ୍ଡିଆ ସାହାଣି ଓ ତୁଣ୍ଡୁରି ସାହାଣି ପ୍ରମୁଖ ପାଞ୍ଚୋଟି ପରିବାର କିଛି ମଇଁଷି ରଖି ପରିବାର ପ୍ରତିପୋଷଣ କରିଥାଆନ୍ତି । ମଇଁଷିର ପ୍ରଜନନ ପାଇଁ ଏହି ପାଞ୍ଚଟି ପରିବାର ମିଳିତ ଭାବେ ଏକ ଅଣ୍ଡିରା ମଇଁଷି କ୍ରୟ କରିଥିବା ବେଳେ କୁମ୍ଭୀର ଆକ୍ରମଣରେ ମଇଁଷିଟିର ମୃତ୍ୟୁ ଯୋଗୁ ଏବେ ଆର୍ଥିକ କ୍ଷତିରେ ପଡିଛନ୍ତି ।

crocodile scar

ସୂଚନା ଥାଉକି ବୈତରଣୀ ନଦୀ ଦୀର୍ଘ ୫ ବର୍ଷ ହେବ କୁମ୍ଭୀର ଆତଙ୍କ ଲାଗିରହିଥିଲେ ମଧ୍ୟ ପ୍ରଶାସନ ଏ ନେଇ କୌଣସି ପଦକ୍ଷେପ ନେଉନଥିବା ହେତୁ ନଦୀରେ ଚଳପ୍ରଚଳ କରୁଥିବା କୁମ୍ଭୀରଙ୍କ ଯୋଗୁ ସ୍ଥାନୀୟ ଜନସାଧାରଣ ଭୟଭୀତ ହୋଇପଡିବା ସହିତ ଗୃହପଳିତ ପଶୁ ଅସୁରକ୍ଷିତ ହୋଇପଡିଛନ୍ତି । ପୂର୍ବରୁ ବୈତରଣୀ ନଦୀ ଅବବାହିକା ଅଞ୍ଚଳରେ ବସବାସ କରୁଥିବା ବାସିନ୍ଦା ନଦୀ ପାଣିରେ ଗାଧୁଆପାଧୁଆ ଠାରୁ ଆରମ୍ଭ କରି ଆନୁସଂଗିକ କାର୍ଯ୍ୟ କରୁଥିବା ବେଳେ ଏବେ ନଦୀ ପାଣି ବିଷାପ ପାଲଟିଛି ।

କୁମ୍ଭୀର ଘଉଡାଇବା ପାଇଁ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି । ଅଳ୍ପ ଦିନ ବ୍ୟବଧାନରେ କୁମ୍ଭୀର ଆକ୍ରମଣରେ ଗୃହପାଳିତ ପଶୁଙ୍କୁ ହରାଇଥିବା କ୍ଷତିଗ୍ରସ୍ତ ପରିବାରକୁ ଖୁବ୍‌ଶୀଘ୍ର ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.