ଉଜୁଡା ଫସଲ ଦେଖି ସହିପାରିଲେନି ଚାଷୀ, ବିଲ ମଝିରେ ଚାଲିଗଲା ପ୍ରାଣବାୟୁ
ଯାଜପୁର ଟାଉନ: ହାତରେ ସ୍ୱାମୀଙ୍କର ପାସପୋର୍ଟ ଫଟୋଟିଏ ଧରି ଚାହିଁଛନ୍ତି ପତ୍ନୀ । ଛଳ ଛଳ ଆଖିରେ ଏକ ଲୟରେ ଚାହିଁରହିଛନ୍ତି । ଦଇଦ ଏତେ ବଡ ଦୁଃଖ ଦେଲା ପୁଣି ବୟସର ଏହି ପାହାଚରେ । କଥାରେ ଅଛି କାହାର ପୁଷ ମାସ ତ କାହାର ସର୍ବନାଶ । ଠିକ୍ ସେମିତି ହିଁ ଘଟିଛି । ପୁଷ ମାସର ଅଦିନିଆ ବର୍ଷା କାଳ ସାଜିଛି ଚାଷୀଙ୍କ ପାଇଁ । ଯାହାର ପୁଣି ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି ।
ଉଜୁଡା ଫସଲ ଦେଖି ସହିପାରିଲେନି ଚାଷୀ । ଶେଷରେ ଜୀବନ ହାରିଦେଲେ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ । ଫସଲ ନଷ୍ଟ ପାଇଁ ଗଲା ଚାଷୀଙ୍କ ଜୀବନ । ଫସଲ ନଷ୍ଟ ହୋଇଥିବା ଦେଖି ଚାଷ ଜମିରେ ଟଳି ପଡିଲେ ଚାଷୀ । ମୃତକ ଚାଷୀ ହେଲେ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଚିକଣା ପଞ୍ଚାୟତ ଅନ୍ତର୍ଗତ ମଣିତାପୁର ଗ୍ରାମର ମଣିରାମ ମହାନ୍ତି ।
ପରିବାର ଲୋକଙ୍କ କହିବା ଅନୁଯାୟୀ ମଣିରାମ କୃଷି ଋଣ ସହ ବିଭିନ୍ନ ଜାଗାରୁ ଧାର କରଜ କରି ଏକର ଏକର ଜମିରେ ଚାଷ କରିଥିଲେ । କିନ୍ତୁ ଅଦିନିଆ ଲଗାଣ ବର୍ଷା କାରଣରୁ ତାଙ୍କ ଫସଲ ସମ୍ପୂର୍ଣ ନଷ୍ଟ ହୋଇଯାଇଛି । ଗତକାଲି ମଣିରାମ ବିଲକୁ ତାଙ୍କ ଧାନ ଦେଖିବାକୁ ଯାଇଥିବା ବେଳେ ଧାନର ଅବସ୍ଥା ଦେଖି ସହ୍ୟ ନକରିପାରି ସେହିଠାରେ ହିଁ ଟଳି ପଡିଥିଲେ । ସ୍ଥାନୀୟ ଲୋକେ ଓ ପରିବାର ବର୍ଗଙ୍କ ସହାୟତାରେ ତାଙ୍କୁ ଯାଜପୁର ଜିଲ୍ଲା ଚିକିତ୍ସାଳୟକୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।
ମଣିରାମଙ୍କ ପରିବାର ସମ୍ପୂର୍ଣ ଚାଷ ଉପରେ ନିର୍ଭର କରୁଥିବାରୁ ବର୍ତ୍ତମାନ ତାଙ୍କ ପରିବାର ଲୋକେ ସମ୍ପୂର୍ଣ ଭାଙ୍ଗି ପଡିଛନ୍ତି । ଅନ୍ୟପଟେ ମଣିରାମଙ୍କ ମୃତ୍ୟୁ ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୌଣସି ସରକାରୀ ଅଧିକାରୀ ତାଙ୍କ ପରିବାର ପାଖରେ ପହଁଚି ନାହାଁନ୍ତି । ଉଜୁଡିଗଲା ଫସଲ । ଉଜୁଡିଗଲା ସଂସାର । ଋଣ ଭାର ସହି ନ ପାରି ଜୀବନ ହାରିଲେ ଚାଷୀ । ତେଣୁ ତୁରନ୍ତ ଏଦିଗରେ ତଦନ୍ତ କରାଯାଇ ଯଥାଶୀଘ୍ର ଏହି ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।