ବ୍ୟାଙ୍କ ଖାତାକୁ ଆସିଛି କୋଟି କୋଟି ଟଙ୍କା, ହେଲେ ଆକାଉଣ୍ଟଧାରୀଙ୍କୁ ଏକଥା ଜଣାନାହିଁ

ଢେଙ୍କାନାଳ: ବ୍ୟାଙ୍କ ଖାତାକୁ ଆସିଛି ୧ କୋଟି ୭୫ ଲକ୍ଷ ୮୮ ହଜାର ୪୨୮ ଟଙ୍କା । ହେଲେ ଆକାଉଣ୍ଟଧାରୀ ସାଗର ନାୟକଙ୍କୁ ଏକଥା ଜଣା ନାହିଁ । ସେହିପରି ଗରିବ ମହିଳା ମୀନା ରାୟଙ୍କ ଆକାଉଣ୍ଟରେ ରହିଛି ବିପୁଳ ପରିମାଣର ଟଙ୍କା । ସେ ମଧ୍ୟ ଜାଣି ନାହାନ୍ତି । ଗରିବ ଲୋକଙ୍କ ଆକାଉଣ୍ଟକୁ ଆସିଛି କୋଟି କୋଟି ଟଙ୍କା । ସୁଭଦ୍ରା ଯୋଜନାରେ ଟଙ୍କା ମିଳିବ କହି ଖାତା ଖୋଲାଇ ଥିଲେ । ଏବେ ଜଣାପଡୁଛି ହୋଇଛି ବଡ଼ ଠକେଇ । ଏ ନେଇ ଢେଙ୍କାନାଳ ଟାଉନ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଦୁଇଜଣ ଅଭିଯୋଗକାରୀ । ଘଟଣାର ଖୋଳତାଡ଼ କରୁଛି ଦିଲ୍ଲୀ ସାଇବର ଥାନା ପୋଲିସ୍‌ । ଆକାଉଣ୍ଟ ଫ୍ରିଜ୍ କରିବା ପାଇଁ ବ୍ୟାଙ୍କକୁ ନୋଟିସ୍ ଜାରି କରିଛି ସାଇବର ପୋଲିସ୍‌ ।

ବ୍ୟାଙ୍କଠାରୁ ନୋଟିସ୍‌ ପାଇବା ପରେ ଶନିବାର ମଧ୍ୟାହ୍ନରେ ଟାଉନ ଥାନାରେ ପହଞ୍ଚିଥିଲେ ଅଭିଯୋଗକାରୀ । ଦୁଇ ଅଭିଯୋଗକାରୀ ହେଲେ ଢେଙ୍କାନାଳ ସହରସ୍ଥିତ ରାମେଶ୍ୱରପୁର ଅଂଚଳର ମହିଳା ମୀନା ରାୟ ଓ ସାଗର ନାୟକ । ଉଭୟଙ୍କ ଅଭିଯୋଗରୁ ଜଣାପଡିଛି ଯେ, ଭଗବାନପୁର ଅଂଚଳର ବାପପୁଅ ସୌମ୍ୟରଞ୍ଜନ ପୁହାଣ ଓରଫ ଚିଙ୍କୁ ଓ ତାଙ୍କ ବାପା ବୁବୁ ପୁହାଣ ଦୁ ସେମାନଙ୍କୁ ସୁଭଦ୍ରା ଯୋଜନାରେ ଆକାଉଣ୍ଟ ଖୋଲିଲେ ଟଙ୍କା ମିଳିବ ବୋଲି ପ୍ରଲୋଭନ ଦେଖାଇ ଥିଲେ । ଫଳରେ ସେମାନେ କିଛି ନବୁଝି ଢେଙ୍କାନାଳ ସହର ଚନ୍ଦନ ବଜାର ଠାରେ ଥିବା ଏକ ବ୍ୟାଙ୍କରେ ଆକାଉଣ୍ଟ ଖୋଲିଥିଲେ ।

ତେବେ ଆକାଉଣ୍ଟ ଖୋଲାଇବା ପରେ ବାପ ପୁଅ ଦୁଇ ଜଣ ଯାକ ଏମାନଙ୍କ ଠାରୁ ଚେକ୍ ବହି, ଏଟିଏମ୍‌ କାର୍ଡ଼ ଓ ବ୍ୟାଙ୍କ ପାସ୍‌ ବୁକ୍‌ ନେଇ ଯାଇ ଏସବୁକୁ ଘରେ ନେଇ ଦେଇ ଆସିବେ ବୋଲି କହିଥିଲେ । କିଛିଦିନ ତଳେ ମୀନା ରାୟଙ୍କ ଆକାଉଣ୍ଟକୁ କିଭଳି ବିପୁଳ ପରିମାଣର ଟଙ୍କା ଆସିଛି ବୋଲି ବ୍ୟାଙ୍କରୁ ନୋଟିସ ଆସିଲା । ସେହିପରି ସାଗର ନାୟକଙ୍କ ଆକାଉଣ୍ଟକୁ ଆସିଲା ୧ କୋଟି ୭୫ଲକ୍ଷ ୮୮ହଜାର ୪୨୮ଟଙ୍କା । ଏନେଇ ବ୍ୟାଙ୍କ କର୍ତୃପକ୍ଷ ନୋଟିସ୍ ଜାରି କରିଛନ୍ତି । ଏହି ଘଟଣାରେ ଢେଙ୍କାନାଳ ଚନ୍ଦନବଜାର ଠାରେ ଥିବା ଫେଡେରାଲ ବ୍ୟାଙ୍କ କର୍ତୃପକ୍ଷ ଉଭୟଙ୍କୁ ଦିଲ୍ଲୀ ଏସିପି ସାଇବର ସେଲ୍ ଙ୍କ ଚିଠି ଅନୁଯାୟୀ ନୋଟିସ କରିବା ସହିତ ବ୍ୟାଙ୍କ ଟ୍ରାଞ୍ଜାକ୍ସନ ଓ ଆକାଉଣ୍ଟକୁ ବନ୍ଦ କରାଯିବ ବୋଲି ଜଣାଇଥିଲେ।

money

ମୀନା ଓ ସାଗର ନୋଟିସ୍ ପାଇବା ପରେ ଘଟଣା ପଦାକୁ ଆସିଥିଲା । ନୋଟିସ୍ ପାଇବା ପରେ ଉଭୟ ଏ ସଂକ୍ରାନ୍ତରେ ବ୍ୟାଙ୍କରେ ପଚରା ଉଚରା କରିଥିଲେ । ଜଣାପଡ଼ିଲା କି ସେମାନଙ୍କ ଆକାଉଣ୍ଟକୁ ଆସିଥିବା ଟଙ୍କାରୁ ୧୦ ଲକ୍ଷ ଟଙ୍କା ଉଠା ଯାଇଛି । ସେହିପରି ଏତେବଡ ପରିମାଣର ଟଙ୍କା କେଉଁଠୁ ଆସିଲା ବୋଲି ଉଭୟ ଜାଣି ନଥିବା କହିଛନ୍ତି । ଘଟଣା ସମ୍ପର୍କରେ ଫେଡେରାଲ ବ୍ୟାଙ୍କ ଶାଖା ପରିଚାଳକଙ୍କୁ ଆମେ ଯୋଗଯୋଗ କରିଥିଲୁ । ସେ କହିଛନ୍ତି, ଆକାଉଣ୍ଟ ଖୋଲିଥିବା ବ୍ୟକ୍ତି କିମ୍ବା ପୋଲିସ ଆମକୁ ମାଗିଲେ ଆମେ ସେମାନଙ୍କୁ ଷ୍ଟେଟମେଣ୍ଟ ଦେବୁ ।

ଏ ସଂକ୍ରାନ୍ତରେ ଟାଉନ ଥାନା ଅଧିକାରୀ ପ୍ରଭାତ କୁମାର ସାହୁ କହିଛନ୍ତି ଯେ, ଅଭିଯୋଗ ପାଇଛୁ । ଯେହେତୁ ସେଥିରେ କୌଣସି ଆକାଉଣ୍ଟ ନମ୍ବର କିମ୍ବା ସବିଶେଷ ତଥ୍ୟ ନାହିଁ, ତେଣୁ ମାମଲା ରୁଜୁ ହୋଇ ପାରିନାହିଁ । ଯାହାଙ୍କ ନାମରେ ଅଭିଯୋଗ ହୋଇଛି ତାଙ୍କୁ ଆଣି ପଚରା ଉଚରା କରିବୁ । ଆକାଉଣ୍ଟ ନମ୍ବର ମିଳିଲେ ବ୍ୟାଙ୍କ ଷ୍ଟେଟମେଣ୍ଟ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଇଏ ସାଇବର ଫ୍ରଡର ଏକ ବଡ଼ ଧରଣ ସ୍କାମ୍‌ ବୋଲି ଜଣାପଡୁଛି । ସାଗର ଓ ମୀନାଙ୍କୁ ଆକାଉଣ୍ଟ ଖୋଲାଇ ଥିବା ବ୍ୟକ୍ତି ହିଁ ଏହାର ସଠିକ୍‌ ଉତ୍ତର ଦେଇ ପାରିବେ । କାରଣ ଏଭଳି ଗରିବ ଲୋକଙ୍କ ଆକାଉଣ୍ଟକୁ କୋଟି କୋଟି ଟଙ୍କା ଆସିଲା କେମିତି ? ତାର ଉତ୍ତର କେବଳ ସେଇମାନଙ୍କ ପାଖରେ ।
ଢେଙ୍କାନାଳ