ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀରେ ପ୍ରବାସୀ ଭାରତୀୟଙ୍କ ଭିଡ଼: ସ୍ବାଗତ ପାଇଁ ବେଳାଭୂମି ମହୋତ୍ସବ

ପୁରୀ : ଆଜିଠୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ସମ୍ମିଳନୀରେ ଯୋଗଦେବାକୁ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ପ୍ରବାସୀ ଭାରତୀୟ । ସପରିବାର ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ମହାଲକ୍ଷ୍ମୀ ମନ୍ଦିର, ବିମଳା ମନ୍ଦିର ଏବଂ ପାର୍ଶ୍ଵ ଦେବଦେବୀଙ୍କୁ ଦର୍ଶନ କରି ବେଶ ଖୁସି ବ୍ୟକ୍ତ କରିଛନ୍ତି । ଅନେକ ପ୍ରବାସୀ ଭାରତୀୟ ପ୍ରଥମ ଥର ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ବେଶ ଆନନ୍ଦ ଲାଭ କରିଛନ୍ତି । ପ୍ରବାସୀ ଭାରତୀୟ ଦିବସ ଓଡିଶାରେ ଆୟୋଜିତ ହୋଇଥିବା ଯୋଗୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରବାସୀ ଭାରତୀୟ । ଓଡିଶାକୁ ଆସି ଓଡିଶା ପରମ୍ପରା ଏବଂ ଓଡିଶାର କଳାକୃତିକୁ ପ୍ରଶଂସା କରିଛନ୍ତି । ଶ୍ରୀମନ୍ଦିର ଆସିଥିବା ପ୍ରବାସୀ ଭାରତୀୟଙ୍କୁ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଉଛି ।

ଅନ୍ୟପଟେ ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ପୁରୀର ସ୍ୱର୍ଣ୍ଣାଭ ବେଳାଭୂମିରେ ଆୟୋଜିତ ବେଳାଭୂମି ମହୋତ୍ସବରେ ମତୁଆଲା ହୋଇଛନ୍ତି ପୁରୀ ବାସିନ୍ଦାଙ୍କ ସହ ପର୍ଯ୍ୟଟକ। ପ୍ରବାସୀ ଭାରତୀୟଙ୍କୁ ମନୋରଞ୍ଜନର ସମ୍ପୂର୍ଣ୍ଣ ଖୋରାକ ଯୋଗାଇ ଦେବା ସହ ଓଡ଼ିଶାର ସଂସ୍କୃତି,ପରମ୍ପରା ଓ ଐତିହ୍ୟ ସମ୍ପର୍କରେ ସୁଖଦ ଅନୁଭୂତି ଦେବା ପାଇଁ ଏହି ମହୋତ୍ସବ ଆରମ୍ଭ ହୋଇଛି। ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହାକୁ ଉଦଘାଟନ କରିଥିଲେ।

ପ୍ରଥମ ଦିବସରେ ଚିତାକର୍ଷକ ଡ୍ରୋନ ସୋ ସହ ଓଲିଉଡ ଗାୟକ ସ୍ୱୟଂ ପାଢ଼ୀ ଓ ନାଭ୍ୟା ଜାଇତି ସଙ୍ଗୀତ ପରିବେଷଣ କରିଥିଲେ । ଗୋଟିଏ ପରେ ଗୋଟିଏ ହିଟ ଓଡ଼ିଆ,ସମ୍ବଲପୁରୀ ଓ ହିନ୍ଦୀ ଗୀତରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗ ଦେବାକୁ ଆସୁଥିବା ପ୍ରବାସୀ ଭାରତୀୟମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ବ୍ଲୁ ଫ୍ଲାଗ ବିଚ, ସାତପଡ଼ା , ରାମଚଣ୍ଡୀ, କୋଣାର୍କ, ରଘୁରାଜପୁର ଆଦି ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ସ୍ବର୍ଣ୍ଣାଭ ବେଳାଭୂମିରେ ବାଲୁକା କଳା,ପୁଷ୍ପ ପ୍ରଦର୍ଶନୀ,ଖାଦ୍ୟ ମେଳା, କାଇଟ ଫେଷ୍ଟିଭାଲ,ବିଚ ସ୍ପୋର୍ଟ୍ସ,ପଲ୍ଲିଶ୍ରୀ ମେଳା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି। କାଇଟ ଫେଷ୍ଟିଭାଲ ସହ ଗାନ୍ଧୀ ପାର୍କରେ ଫ୍ଲାୱର ସୋ,ନୀଳାଦ୍ରି ବିଚରେ ଆର୍ଟ ଫେଷ୍ଟିଭାଲ ,ଓରମାସ ପକ୍ଷରୁ ପଲ୍ଲୀଶ୍ରୀ ମେଳା,ବିଚ ସ୍ପୋର୍ଟସର ଆୟୋଜନ କରାଯାଇଛି ।