ଜୟପୁର(କେନ୍ୟୁଜ୍): ଦିନ ଥିଲା ସର୍କସ ନା ଶୁଣିଲେ ମନରେ ଉତ୍ସାହ ଭରି ଉଠୁଥିଲା । ପିଲା ଠୁ ଟୋକା, ବୁଢା ସଭିଙ୍କ ମନରେ ଖେଳିଯାଉଥିଲା ଏକ ନୂଆ ଉନ୍ମାଦ । କେତେକଙ୍କ ପାଇଁ ତ ସର୍କସ ଦଖିବାର ମଜା କହିଲେ ନସରେ । ହେଲେ ଏବେ ସେଇ ମଜା କେଉଁଠି ନା କେଉଁଠି ଟିକେ କମିଯାଇଥିଲେ ସୁଦ୍ଧା ଆଜିବି ରହିଛି ତାର ଚାହିଦା । ଆଗ ଭଳି ଶୋ ଦେଖିବାକୁ ମିଳୁ ନଥିଲେ ବି କେଉଁଠି ନା କେଉଁଠି ମୌଳିକତାକୁ ବଜାଇ ରଖିବାରେ ସକ୍ଷମ ହୋଇଛନ୍ତି ସର୍କସ କର୍ତ୍ତୃପକ୍ଷ ।
ତେବେ ସତ କହିବାକୁ ଗଲେ ଜୀବନଟା ଗୋଟେ ସର୍କସ । ଏଠି କିଏ କେତେବେଳେ କୋଉ ଅଭିନୟ କରେ ତ ଆଉ କିଏ ଏଠି ନିଜ ଜୀବନକୁ ବାଜି ଲଗେଇ ପେଟ ପୋଷେ ଯାହାକୁ ଉପଭୋଗ କରନ୍ତି ସଭିଏଁ । ସର୍କସ ନାଟା ଶୁଣିବା ମାତ୍ରକେ ମନକୁ ଆନନ୍ଦ ଦେଇଥାଏ । ସମୟ ଅନୁସାରେ ଏହି ସର୍କସର ପରିଭାଷା ବଦଳିଛି ।
ଏବେ ଆଉ ବାଘ କି ଭାଲୁ କି ପଶୁପକ୍ଷୀ ନାହାନ୍ତି କେବଳ ମନୋରଞ୍ଜନ କରି ସର୍କସକୁ ବଞ୍ଚେଇ ରଖିଛନ୍ତି କିଛି କଳାକାର । ବିଭିନ୍ନ ଷ୍ଟଣ୍ଟ କରି ଲୋକଙ୍କୁ ନିଜ ସହିତ ବାନ୍ଧି ରଖିଛନ୍ତି ତ, ଜୋକର ଅଭିନୟ କରି ହସେଇ ଚାଲିଛନ୍ତି । ସର୍କସରେ ଏବେ ପୋଲ ଖେଳ , ଫାୟାର ଶୋ , ସ୍ପାଇଡର ଶୋ , ଜାଲି ମଧ୍ୟରେ ମୋଟରସାଇକେଲ ଚାଳନାର ଶୋ ସହ , ରିଙ୍ଗ ଡ୍ୟାନ୍ସ ଆଦିର ମଜା ନେଉଛନ୍ତି ଦର୍ଶକ । ଆଉ ଯାହା ଏବେ ଏହି କଳାକାର ମାନଙ୍କର ଜୀବନ ଜୀବିକାର ମାଧ୍ୟମ ପାଲଟିଛି । ତେବେ ଜୟପୁର ସହରରେ ଏବେ ପଡିଛି ଡାଇମଣ୍ଡ ସର୍କସ । ଯାହାକୁ ଦେଖିବାକୁ ଜମିଛି ଦର୍ଶକଙ୍କ ଭିଡ ।
ଛୁଆ ଠାରୁ ବଡ଼ ସବୁ ଲୋକଙ୍କ ଭିଡ଼ ଏବେ ଜମୁଛି ସର୍କସ ଦେଖିବାକୁ । ବହୁ ଦିନ ପରେ ଜୟପୁର ସହରରେ ସର୍କସ ପଡି ଥିବାରୁ ତାର ମଜା ନେବା ପାଇଁ ଲୋକଙ୍କ ଭିତରେ ଉତ୍ସାହ କହିଲେ ନସରେ । ଜୋକରଙ୍କ କମେଡି ସାଙ୍ଗକୁ ଆଫ୍ରିକାନ କଳାକାରଙ୍କ ଶୋ ଲୋକଙ୍କ ମନ ଜିଣୁଛି ।