ବାବାଟୀରେ ଟିକେଟ ପାଇଁ କାଉଣ୍ଟର ଆଗରେ ଦଳାଚକଟା ସ୍ଥିତି, ଭିଡ଼ ନିୟନ୍ତ୍ରଣ ପାଇଁ ଡିସିପି ନାକେଦମ

କଟକ : ବାବାଟୀରେ ଟିକେଟ ପାଇଁ ଠେଲାପେଲା । ଟିକେଟ କାଉଣ୍ଟର ଆଗରେ ଦଳାଚକଟା ସ୍ଥିତି ଉପୁଜୁଛି । ବାରିକେଡ ଉପରେ ଚଢ଼ିଲେ ଟିକେଟ ଆଶାୟୀ । ଭିଡ଼ ନିୟନ୍ତ୍ରଣ କରିବା ପାଇଁ ନିଜେ କଟକ ଡିସିପି ଜଗମୋହନ ମୀନା ଧାଡ଼ି ବାଟରେ ରହି ଭିଡ କରୁଥିବା ଜନସାଧାରଣଙ୍କୁ ବାହାରକୁ ନେଇ ଯାଉଛନ୍ତି ।  ତେବେ ସାଧାରଣ ଦର୍ଶକଙ୍କ କାଉଣ୍ଟରରେ ବିକ୍ରି ହେବ ୧୧ ହଜାର ୮୦ ଟିକେଟ ।  କିନ୍ତୁ ଟିକେଟ ହାତେଇବାକୁ ପ୍ରାୟ ୫୦ ହଜାର ଦର୍ଶକ ଭିଡ଼ ଲଗାଇଛନ୍ତି ।

ଏଥିପାଇଁ ରାତିଠୁ ବାରବାଟୀ ଷ୍ଟାଡିୟମ ନିକଟରେ ଲାଗିଛି ଲମ୍ବା ଲାଇନ। କେମିତି ଟିକେଟ ଗୋଟିଏ ମିଳିବ, ସେଇ ଆଶାରେ କ୍ରିକେଟପ୍ରେମୀ । ଅଫଲାଇନ ଟିକେଟ ବିକ୍ରି ହେଉଥିବା ବେଳେ ୧୨ ଘଣ୍ଟା ପୂର୍ବରୁ ଶହ ଶହ ଲୋକ ଲାଇନରେ ଛିଡା ହେଲେଣି। ଅନଲାଇନ ଟିକେଟରୁ ବଞ୍ଚିତ କ୍ରିକେଟପ୍ରେମୀ ଅଫଲାଇନରେ ଟିକେଟ କରିବାକୁ ବିଭିନ୍ନ ସ୍ଥାନରୁ ଧାଇଁ ଆସିଛନ୍ତି। ଓଡ଼ିଶା କ୍ରିକେଟ୍‌ ଆସୋସିଏସ୍‌ ପକ୍ଷରୁ ପୂର୍ବରୁ ଦିଆଯାଇଥିବା ସୂଚନା ଅନୁସାରେ ସାଧାରଣ ଦର୍ଶକମାନଙ୍କ ପାଇଁ କାଉଣ୍ଟରରେ ପ୍ରାୟ ୧୨ ହଜାର ଟିକଟ ବିକ୍ରି ହେଉଛି। ସହଜରେ ଟିକେଟ ବିକ୍ରି ପାଇଁ ଏଥର ୪ଟି ଟିକେଟ୍‌ କାଉଣ୍ଟର କରାଯାଇଛି । ସେହିପରି ଟିକେଟ କଳା ବଜାରୀ ଉପରେ ନଜର ରଖାଯାଇଛି। ଆଜି ଓ କାଲି ଦୁଇଦିନ କାଉଣ୍ଟରରେ ଟିକେଟ ବିକ୍ରି ପାଇଁ ଦିନ ଧାର୍ଯ୍ୟ ହୋଇଥିଲେ ମଧ୍ୟ ଆଜି ସୁଦ୍ଧା ଟିକେଟ ଶେଷ ହୋଇଯିବ ବୋଲି ଅନୁମାନ କରାଯାଉଛି ।

ଅନ୍ୟପଟେ ଅଧିକାଂଶ ମହିଳା ଟିକେଟ ପାଇଁ ଲାଇନରେ ଠିଆ ହୋଇଥିଲେ ବି ଜାଣୁନାହାନ୍ତି କାହା ସହ କାହାର ମ୍ୟାଚ ରହିଛି। ତଥାପି ଲାଇନରେ ଠିଆ ହୋଇଛନ୍ତି। ସେମାନଙ୍କ ମଧ୍ଯରୁ କେତେଜଣ ପ୍ରକୃତ କ୍ରିକେଟପ୍ରେମୀ ବା ଖେଳ ଦେଖିବାକୁ ଆଗ୍ରହୀ ତାହାକୁ ନେଇ ପ୍ରଶ୍ନ ଉଠିଛି । ଠିଆ ହୋଇଥିବା ମହିଳା ଯଦି ଟିକେଟ ପାଆନ୍ତି ତେବେ ସବୁ ଟିକେଟ ସରିବା ଆଶଙ୍କା ସୃଷ୍ଟି ହୋଇଛି । ଯୋଜନବଦ୍ଧ ଭାବେ ଟିକେଟ ହାତେଇବା ଲାଗି ଉଦ୍ୟମ ହୋଇଥିବା ଅଭିଯୋଗ ଉଠୁଛି ।

 

 

ଆହୁରି ପଢନ୍ତୁ : ବାରବାଟୀ ପାଇଁ ଆଜିଠୁ ମିଳିବ କାଉଣ୍ଟର ଟିକେଟ, ରାତି ଅନିଦ୍ରା ହୋଇ ଲାଇନ ଲଗାଇଛନ୍ତି କ୍ରିକେଟ ପ୍ରେମୀ

You might also like