ରାତ୍ରିକାଳିନ କର୍ଫ୍ୟୁ ଉଠିଯିବା ପରେ ଦେଖିବାକୁ ମିଳିଛି ଜନଗହଳିପୂର୍ଣ୍ଣ ରାସ୍ତାଘାଟ, ଏବେ ଟ୍ରାଫିକ୍‌ ନିୟମ କଡାକଡି

ଭୁବନେଶ୍ବର: କେନ୍ଦ୍ର ସରକାର ଅନଲକ-୪ ଲାଗି ଗାଇଡଲାଇନ ଜାରି କରିବାର ଦିନକ ପରେ ରାଜ୍ୟ ସରକାର ଅନଲକ ୪ ପାଇଁ ଗାଇଡଲାଇନ ଜାରି କରିଛନ୍ତି । କଣ୍ଟେନମେଣ୍ଟ ଜୋନଗୁଡ଼ିକରେ ଲକଡାଉନକୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କିନ୍ତୁ କଣ୍ଟେନମେଣ୍ଟ ଜୋନ ବାହାରେ ଥିବା ଜିଲ୍ଲା ଓ ସବଡିଭିଜନରେ ଲକଡାଉନ ଲାଗୁ ହେବ ନାହିଁ । ଆହୁରି ମଧ୍ୟ ରାତ୍ରିକାଳିନ କର୍ଫ୍ୟୁକୁ ଉଠାଇ ଦିଆଯାଇଛି । କହିବାକୁ ଗଲେ ଦୀର୍ଘ ୬ମାସ ପରେ ଏହି କଟକଣା କୋହଳ କରାଯାଇଛି। ଯାହାର ପ୍ରଭାବ ଗତକାଲିଠୁ ରାଜଧାନୀରେ ଦେଖିବାକୁ ମିଳିଛି ।

ସବୁଦିନ ଅପେକ୍ଷା ଗତକାଲି ରାତିରେ ଦେଖିବାକୁ ମିଳିଥିଲା ଜନଗହଳି । ରାତି ୯ଟା ପରେ ଅସଂଖ୍ଯ ଗାଡି ମଟର ଯାତାୟତ କରୁଥିଲା । ଦୋକାନ ବଜାର ମାନଙ୍କରେ ମଧ୍ଯ ଗହଳି ଲାଗି ରହିଥିଲା । ତବେ ରାତ୍ରିକାଳିନ କର୍ଫ୍ୟୁ ଉଠିଯାଇଛି ସତ କିନ୍ତୁ ସମସ୍ତଙ୍କ ଭିତରେ କରୋନାକୁ ନେଇ ସଚେତନତା ରହିବା ନିହାତି ଜରୁରୀ । ସବୁ କିଛି କଟକଣା କୋହଳ ହୋଇଗଲା ମାନେ ନୁହେଁକି ରାଜଧାନୀ ସମ୍ପୂର୍ଣ୍ଣ କରୋନା ମୁକ୍ତ ହୋଇଗଲା । ତେଣୁ ଅସାବଧନତା ଜମାରୁ ବି ଅବଲମ୍ବନ କରନ୍ତୁ ନାହିଁ । ନହେଲେ ପୂର୍ବାବସ୍ଥାକୁ ଫେରିବାକୁ ଟିକେ ବି ସମୟ ଲାଗିବ ନାହିଁ ।

trafficଅନ୍ଯପଟେ କରୋନା କଟକଣା କୋହଳ ହେବାପରେ ଏବେ ଟ୍ରାଫିକ୍‌ ନିୟମକୁ କଡାକଡି କରିଛି କମିଶନରେଟ୍‌ ପୋଲିସ । ଗତକାଲି ଭୁବନେଶ୍ୱରର ୧୩ଟି ସ୍ଥାନରେ ଚେକିଂ କରିଛି ପୋଲିସ । ଚେକିଂ ବେଳେ ସାମାଜିକ ଦୂରତା ରକ୍ଷା କରିବା ସହ ହେଲମେଟ୍‌ ଓ ମାସ୍କ ଚେକିଂକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏଭଳି ଭାବେ ପ୍ରତିଦିନ ଚେକିଂ ପ୍ରକ୍ରିୟା କଡାକଡି କରାଯିବ ବୋଲି ସୂଚନା ମିଳିଛି।

 

Leave A Reply

Your email address will not be published.