ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ପାଇଁ ଭକ୍ତଙ୍କ ଭିଡ଼, ଚଳଚଞ୍ଚଳ ହୋଇପଡିଛି ସହର

ଛତ୍ରପୁର(କେନ୍ୟୁଜ)-ଛତ୍ରପୁର ସହରର ଆରାଧ୍ୟ ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଅବସରରେ ଛତ୍ରପୁର ସହର ଚଳଚଞ୍ଚଳ ହୋଇପଡିଛି । ମା’ଙ୍କ ଯାତ୍ରା ଲାଗି ଭକ୍ତଙ୍କ ମନରେ ଭରିଯାଇଛି ଉତ୍ସାହ । ଆଲୋକ ସଜ୍ଜା ସାଙ୍ଗକୁ ସୁନ୍ଦର ତୋରଣ ମାଳାରେ ଝଲସୁଛି ସାରା ସହର ।
ଛତ୍ରପୁର ସହରର ଆରାଧ୍ୟ ଦେବୀ ହେଉଛନ୍ତି ମା’ ରାମାୟାଣାମ୍ମା । ପ୍ରତି ଦୁଇ ବର୍ଷକୁ ଥରେ ଛତ୍ରପୁର ସହରରେ ଧୁମଧାମରେ ପାଳିତ ହେଉଛି ମା’ଙ୍କ ଯାତ୍ରା । ଗତ ମେ ମାସ ୨୭ ତାରିଖ ଦିନ ପାରମ୍ପରିକ ରୀତିନୀତି ଅନୁଯାୟୀ ମା’ଙ୍କୁ ପୂଜାର୍ଚ୍ଚନା ପରେ ମା’ଙ୍କ ମଥାରେ ଇଟଳା ଫୁଲର ପେନ୍ଥା ରଖାଯାଇଥିଲା । ପରେ ମା’ଙ୍କୁ ଆବାହନ କରାଯାଇଥିଲା । ମା’ଙ୍କ ମଥାରୁ ଇଟଳା ଫୁଲ ଖସିବା ପରେ ମା’ ପ୍ରସନ୍ନ ହୋଇଛନ୍ତି ବୋଲି ବିଶ୍ୱାସ କରି ମାଙ୍କୁ ନିଜ ମନ୍ଦିରରୁ ଅସ୍ଥାୟୀ ମଣ୍ଡପକୁ ନିଆଯାଇଥିଲା । ଏକ ବିରାଟ ପଟୁଆରରେ ମା’ଙ୍କୁ ସହର ପରିକ୍ରମା କରାଯାଇ ଅସ୍ଥାୟୀ ମଣ୍ଡପକୁ ନିଆଯାଇଥିଲା । ସେଠାରେ ଗୋଟାଏ ଦିନ ମା’ ବିଶ୍ରାମ ନେବା ପରେ ସହରର ବିଭିନ୍ନ ଗଳି କନ୍ଦିରେ ବୁଲି ଭକ୍ତଙ୍କ ଠାରୁ ଭୋଗ ଗ୍ରହଣ କରିଥିଲେ ମା’ । ପ୍ରତ୍ୟେକ ଦିନ ସକାଳୁ ସକାଳୁ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିବା ପରେ ମା’ଙ୍କ ନିକଟରେ ଦହିଭାତ ଭୋଗ ହୁଏ । ପରେ ମଧ୍ୟାହ୍ନରେ ଅନ୍ନ ଭୋଗ ସନ୍ଧ୍ୟାରେ ସନ୍ଧ୍ୟା ଆଳତି ଓ ତା ପରେ ମା’ ଅସ୍ଥାୟୀ ମଣ୍ଡପରୁ ବିରାଟ ପଟୁଆରରେ ସହରର ବିଭିନ୍ନ ଗଳି କନ୍ଦି ବୁଲି ଭୋଗ ଗ୍ରହଣ କରନ୍ତି ।
ଶନିବାର ମା’ଙ୍କ ଯାତ୍ରା ର ୨୭ ଦିନରେ ମା’ ସହରର ପୁରୁଣା ପୋଲିସ ଲାଇନ ଯାଇ ସେଠାରେ ଯାତ୍ରା କର୍ତ୍ତା ଟି. ଚନ୍ଦ୍ର ଶେଖର ରାଓ ଙ୍କ ଘରୁ ଭୋଗ ଗ୍ରହଣ କରିବା ସହିତ ସାହିର ସମସ୍ତ ଭକ୍ତଙ୍କ ଠାରୁ ଭୋଗ ଗ୍ରହଣ କରିଥିଲେ । ଅନ୍ୟପଟେ ଛତ୍ରପୁର ସହରରେ ମା’ ଠାକୁରାଣୀ ଯାତ୍ରା ଲାଗି ରାମଦୋଳି ଓ ମୀନା ବଜାରର ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ କରିବା ସହିତ ରାମଦୋଳି ଓ ମୀନା ବଜାରର ମଜା ଉଠାଉଥିବା ଦେଖିବାକୁ ମିଳିଛି । ଏହା ସହିତ ସହରରେ ଯାତ୍ରା କମିଟି ପକ୍ଷରୁ କରାଯାଇଥିବା ସୁନ୍ଦର ଆଲୋକ ସଜ୍ଜା ସାଙ୍ଗକୁ ବିଭିନ୍ନ ଦେବାଦେବୀଙ୍କ ମେଢ଼ ଲୋକଙ୍କୁ ଅଧିକ ଆକର୍ଷିତ କରିଛି ।