ସରିଆସୁଛି ଯାଜପୁରର ଗଣପର୍ବ କାଳୀପୂଜା । କାଳୀପୂଜା ଯେମିତି ସରିଆସୁଛି ଦର୍ଶକଙ୍କ ଭିଡ ସେମିତି ବଢ଼ୁଛି । କାଳୀପୂଜାକୁ ଉପଭୋଗ କରିବାକୁ ଲକ୍ଷାଧିକ ଲୋକଙ୍କ ଭିଡ ହୋଇଛି । ପୂଜା ମଣ୍ଡପର ବିଭିନ୍ନ ସାଜସଜା ଦେଖିବାକୁ ଦର୍ଶକଙ୍କ ଯେତିକି ଭିଡ ହୋଇଥିଲା ବିଭିନ୍ନ ମଣ୍ଡପ ପକ୍ଷରୁ ଆୟୋଜିତ ମେଲୋଡି କାର୍ଯ୍ୟକ୍ରମ ଓ ସିନେ ତାରକାଙ୍କୁ ଦେଖିବାକୁ ପ୍ରବଳ ଭିଡ ହୋଇଥିଲା । ହ୍ୟୁମାନ ସାଗର, ଲିପ୍ସା ମହାପାତ୍ର, ନାଭୟା ଜୟତିଙ୍କ ଭଳି ଅନେକ ନାମିଦାମୀ କଳକାରଙ୍କ ସଂଗୀତ ସହ ଅନୁଭବ, ବର୍ଷା, ଅର୍ଚ୍ଚିତା, ସବ୍ୟସାଚୀ ପ୍ରମୁଖ ସିନେ ତାରକାଙ୍କୁ ଦେଖିବା ପାଇଁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଦର୍ଶକ ଭିଡ ଜମାଇଥିଲେ । ଅନ୍ୟପଟେ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ଠାରୁ ଆରମ୍ଭ କରି ଜିଲାପାଳ ଏସପି ସହର ର ବିଭିନ୍ନ ପୂଜାମଣ୍ଡପ ପରିଦର୍ଶନ କରିଥିଲେ।
ଯାଜପୁରରେ ବଡ ଧୁମଧାମରେ ପାଳିତ ହେଉଛି କାଳୀପୂଜା । ସହରର ୪୩ ଗୋଟି ପୂଜାମଣ୍ଡପରେ ମା କାଳୀ ଓ ଲକ୍ଷ୍ମୀନାରାୟଣ ପୂଜା ପାଉଥିବା ବେଳେ ସମସ୍ତେ ପୂଜାରେ ମସଗୁଲ । କିଏ ଘରକରଣା ସାମଗ୍ରୀ କିଣୁଛି ତ ଆଉ କିଏ ମଣ୍ଡପଠୁ ମଣ୍ଡପ ବୁଲି ପୂଜାକୁ ଉପଭୋଗ କରୁଛି । ସବୁଠାରୁ ଅଧିକ ଭିଡ ମେଲୋଡି ମଣ୍ଡପରେ ଦେଖିବାକୁ ମିଳିଛି । ଚଳିତ ବର୍ଷ ବିରଜାଶ୍ରୀ ବାଣିଜ୍ୟ ମେଳା ବନ୍ଦ ଥିବାରୁ ସହର ମଧ୍ୟରେ ପ୍ରାୟ ଲକ୍ଷାଧିକ ଲୋକଙ୍କ ଜନସମାଗମ ହୋଇଥିଲା । ଜୁଆଡେ ଦେଖିବ ସିଆଡେ ହଜାର ହଜାର ଲୋକଙ୍କ ଜନସ୍ରୋତ । ବିଭିନ୍ନ ପୂଜା କମିଟି ଆୟୋଜନ କରିଥିଲେ ରଂଗାରଂଗ ସାଂସ୍କୃତିକ କାର୍ଯ୍ୟକ୍ରମ । ଯାହାକୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଭରପୁର ଉପଭୋଗ କରିଥିଲେ ଦର୍ଶକ । ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ଠାରୁ ଆରମ୍ଭ କରି ଜିଲା ପ୍ରଶାସନ ଓ ଶାନ୍ତି କମିଟି ସଦସ୍ୟ ସହରର ସମସ୍ତ ପୂଜାମଣ୍ଡପ ପରିଦର୍ଶନ କରିଥିଲେ।
କାଳୀପୂଜା ପାଳନ ନେଇ ଯାଜପୁର ରହିଛି ସ୍ୱତନ୍ତ୍ରତା । ଯାହାକୁ ଉପଭୋଗ କରିବାକୁ ଜିଲ୍ଲା ତଥା ଜିଲ୍ଳା ବାହାରୁ ହଜାର ହଜାର ଦର୍ଶକ ଆସିଥାନ୍ତି । ଦର୍ଶକ ମାନଙ୍କର ଭିଡକୁ ଦେଖି କଳାକାର ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥାନ୍ତି । ରାଜ୍ୟର ଅନ୍ୟସ୍ଥାନ ମାନଙ୍କ ଅପେକ୍ଷା ଯାଜପୁରରେ ଦର୍ଶକଙ୍କ ଭଲ ପାଇବା ବାନ୍ଧି ରଖେ କଳାକାରଙ୍କୁ । ଗତକାଲି ବିଭିନ୍ନ ପୂଜା ମଣ୍ଡପରେ ଓଲିଉଡ ଗାୟକ ହ୍ୟୁମାନ ସାଗର,ଅସୀମା ପଣ୍ଡାଙ୍କ ଭଳି ଅନେକ କଳାକାର ସେମାନଙ୍କ କଣ୍ଠର ଯାଦୁ ଦେଖାଇଥିଲେ । ସେହିପରି ଅନୁଭବ, ବର୍ଷା, ଅର୍ଚ୍ଚିତା, ସବ୍ୟସାଚୀ ପ୍ରମୁଖ ସିନେ ତାରକାଙ୍କୁ ଦେଖି ଦର୍ଶକ ହୋଇଥିଲେ ମତୁଆଲା । ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଓଲିଉଡ ତାରକାଙ୍କ ଉଭୟ ଗୀତ ଓ ନୃତ୍ୟୁକୁ ଉପଭୋଗ କରିଥିଲେ ଦର୍ଶକ । ଦୁଇ ଦିନ ଧରି ମାଙ୍କ ଭସାଣ ଉତ୍ସବ ହେବ । ଭସାଣ ଉତ୍ସବ ଶାନ୍ତିର ସହ ସମାପନ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ସୁବନ୍ଦୋବସ୍ତ କରାଯାଇଛି ।