ମୃତ କଇଁଛକୁ ଝୁଣି ଖାଉଛନ୍ତି କାଉ ଓ କୁକୁର, ଗନ୍ଧରେ ଫାଟି ପଡ଼ୁଛି ପରିବେଶ

ପାରାଦୀପ: ପ୍ରକୃତିର ଅନନ୍ୟ ବରଦାନ ହେଉଛି ବିରଳ ଅଲିଭ ରିଡଲେ ସାମୁଦ୍ରିକ କଇଁଛ । ଶୀତଦିନ ଆରମ୍ଭ ହେଲେ ହଜାର ହଜାର ମାଇଲ ଦୂରରୁ ଓଡିଶା ଉପକୂଳକୁ ଛୁଟି ଆସିଥାନ୍ତି । ବିଶେଷକରି ଓଡିଶା ଉପକୂଳର ଗହୀରମଥା, ରୂଷିକୂଲ୍ୟା ମୁହାଣ, ଦେବୀନଦୀ ମୁହାଣ, ଜଟାଧାରୀ ତଣ୍ଡା ଓ ପାରାଦୀପ ଉପକୂଳକୁ ଅଣ୍ଡାଦାନ କରିବାକୁ ଅଲିଭ ରିଡଲେ ସୁରକ୍ଷିତ ମଣିଥାନ୍ତି । ଅଣ୍ଡାଦାନ ଠାରୁ ଅଲିଭ ରିଡଲେ ଶାବକ ମାନେ ଯିବା ଆସିବା କରିବାର ଦୃଶ୍ୟ ଅତି ମନୋରମ। କିନ୍ତୁ ଦୂର୍ଭାଗ୍ୟର ବିଷୟ ହଜାର ହଜାର ମାଇଲ ଦୂରରୁ ଓଡିଶା ଉପକୂଳକୁ ଛୁଟି ଆସୁଥିବା ଅଲିଭ ରିଡଲେ କଇଁଛଙ୍କ ପାଇଁ ଓଡିଶା ଉପକୂଳ ଆଶୀର୍ବାଦ ହେବା ପରିବର୍ତ୍ତେ ପାଲଟିଛି ଅଭିଶାପ ।
ଜଳବାୟୁ ପରିବର୍ତନ, ବିଭିନ୍ନ ଶିଳ୍ପସଂସ୍ଥା ମାନଙ୍କରୁ ନିର୍ଗତ ରାସାୟନିକ ବର୍ଜ୍ୟଜଳ ମାନଙ୍କ ସହ ଏହି ବିରଳ ଅଲିଭ ରିଡଲେ କଇଁଛ ଅଣନିଶ୍ଵାସୀ ହୋଇ ମୃତ୍ୟୁମୁଖରେ ପଡୁଥିବା ନେଇ ପରିବେଶବିତ୍ ମାନେ ଅଭିଯୋଗ ଆଣିଛନ୍ତି । ସେହିପରି ନଭେମ୍ୱର ମାସରୁ ମେ ପର୍ଯ୍ୟନ୍ତ କଇଁଛ ମାନଙ୍କ ପ୍ରଜନନ ପାଇଁ ସମୁଦ୍ର କୂଳ ଠାରୁ ୨୦କିଲୋମିଟର ମଧ୍ୟରେ ମାଛ ଧରିବା ଉପରେ କଟକଣା ଲାଗିଥିଲେ ମଧ୍ୟ ଏହାକୁ ମାନୁନାହାନ୍ତି ବୋଟ କର୍ମଚାରୀ । ତେବେ ମୃତ ଅଲିଭ ରିଡଲେ କଇଁଛ କୁ ସମୁଦ୍ର କୂଳରେ କାଉ, କୁକୁର ଝୁଣି ଖାଉଥିବା ବେଳେ ବନବିଭାଗ କର୍ମଚାରୀ ଓୗପରାଚିକତା ସୂରୁପ ଅଳ୍ପ କିଛି ବାଲି ଖୋଳି ପୋତି ଦେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଯାହାକୁ ବୁଲା କୁକୁର ଓ କାଉ ଖାଇବା ସହିତ ସ୍ଥାନୀୟ ଅଞ୍ଚଳରେ ପୁତି ଗନ୍ଧମୟ ପରିବେଶ ସୃଷ୍ଟି କରୁଛି ।
ବିରଳ ଅଲିଭ ରିଡଲେ କଇଁଛଙ୍କ ମୃତ୍ୟୁ ଉପରେ ବନବିଭାଗ ଓ ମତ୍ସ୍ୟ ବିଭାଗର ଉଦାସୀନତାକୁ ନେଇ ଆସୁଥିବା ଅଭିଯୋଗର ଉତ୍ତର ରଖିଛି ଓଡିଶା ସାମୁଦ୍ରିକ ମତ୍ସ୍ୟ ଉପାଦକ ସଂଘ । କଟକଣା ଅବଧିକୁ ମତ୍ସ୍ୟଜୀବୀ ଓ ସଂଘ ତରଫରୁ ସ୍ଵାଗତ କରିବା ସହ ଅଲିଭ ରିଡଲେକୁ ପୂଜା କରିଥାନ୍ତି ମତ୍ସ୍ୟଜୀବି । ସମୁଦ୍ରରେ ମାଛ ମାନଙ୍କୁ ଖାଇ ଯାଉଥିବା ଜେଲି ଫିସ୍ କୁ ଆହାର ଭାବରେ ଗ୍ରହଣ କରିଥାନ୍ତି ଅଲିଭ ରିଡଲେ । ଯାହା ଫଳରେ ସମୁଦ୍ରରେ ମାଛବଂଶ ବୃଦ୍ଧିରେ ସହାୟକ ହୋଇଥାନ୍ତି ଏହି ବିରଳ ଅଲିଭ ରିଡଲେ ।
ଅଲିଭ ରିଡଲେ ଯାତାୟତ କରୁଥିବାର ଦେଖିଲେ ମତ୍ସ୍ୟଜୀବୀ ମାନେ ରାସ୍ତା ଛାଡି ଦେଇଥାନ୍ତି । ତେଣୁ ବୋଟ ର ଫ୍ୟାନ ରେ ପିଟି ହୋଇ ଅଲିଭ ରିଡଲେଙ୍କ ମୃତ୍ୟୁ ଅଭିଯୋଗ କୁ ସିଧାସଳଖ ଖଣ୍ଡନ କରିବା ସହିତ ମୃତ ଅଲିଭ ରିଡଲେ କଇଁଛର ମୃତଦେହକୁ ବ୍ୟବଛେଦ କରାଗଲେ ମୃତ୍ୟୁ ର ପ୍ରକୃତ କାରଣ ସାମ୍ନାକୁ ଆସିପାରନ୍ତା ବୋଲି ଓଡିଶା ସାମୁଦ୍ରିକ ମତ୍ସ୍ୟ ଉପାଦକ ସଘଂର ସଭାପତି ଶ୍ରୀକାନ୍ତ ପରିଡା କହିଛନ୍ତି । କେବଳ କଇଁଛ ମୃତଦେହକୁ ବାଲିରେ ପୋତିଦେଇ ନିଜ କାର୍ଯ୍ୟ ଶେଷ କରୁଛି ବନବିଭାଗ ।
Also Read:ସ୍ତ୍ରୀ ପାଇଁ ଷଡଯନ୍ତ୍ର ରଚିଥିଲା ସ୍ୱାମୀ, ହେଲେ ମଝିକୁ ଆସିଗଲା କୁନି ଝିଅ