ଭୁବନେଶ୍ବର: ପୁଣି ଭୁବନେଶ୍ବର ବିମାନବନ୍ଦରରୁ ସୁନା ଜବତ । ୨୦ କେଜି ସୁନା ଜବତ କଲା CT GST । ଏହି ମାମଲାରେ ୧୭ ଜଣ ବ୍ୟବସାୟୀଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ସେମାନଙ୍କ ମଧ୍ୟରୁ କିଛି ଗ୍ରହଣା ବ୍ୟବସାୟୀ ମୋଟେ ନଥିବା ସନ୍ଦେହ ସୃଷ୍ଟି ହୋଇଛି । ବେନାମୀ ମାଲିକଙ୍କ ନାଁରେ ସୁନା ଚାଲାଣ ହୋଇଥିବା ଆପାତତଃ ସ୍ପଷ୍ଟ ହୋଇଛି । ଏନେଇ ଅଧିକ ଖୋଳତାଡ଼ ଚାଲିଛି ଏବଂ ପରେ ସବିଶେଷ ବିବରଣୀ ଦିଆଯିବ ବୋଲି ବିଭାଗୀୟ ଅଧିକାରୀମାନେ କହିଛନ୍ତି।
ମୁମ୍ବାଇରୁ ଆସୁଥିବା ଇଣ୍ଡିଗୋ ବିମାନରୁ ସୁନା ଜବତ ହୋଇଛି । ଜବତ ୩୨୦ କେଜି ସୁନାରୁ ୧୬ କେଜିର ହିସାବ ମିଳିଥିବାବେଳେ ୪ କେଜିର ହିସାବ ମେଳ ଖାଉନାହିଁ । ରାଜସ୍ଥାନରୁ ସୁନା ଅଣାଯାଇଥିବାବେଳେ ତଦନ୍ତ ଜାରି ରହିଥିବା CT GST ସୂତ୍ରରୁ ଜଣାପଡିଛି । ଏସବୁ ସୁନାକୁ କଳାହାଣ୍ଡି ଓ ଅନୁଗୋଳ ଅଞ୍ଚଳର ବ୍ୟବସାୟୀଙ୍କ ପାଖକୁ ପଠାଯାଉଥିଲା ।
ସୂଚନାଯୋଗ୍ୟ ଯେ ଅଗଷ୍ଟ ୨୬ ତାରିଖରେ ଅନୁରୂପ ଭାବେ ଜିଏସ୍ଟି ବିଭାଗ ଭୁବନେଶ୍ବର ବିମାନବନ୍ଦର ବାହାରୁ ୨ଟି ଘରୋଇ ପରିବହନ ସଂସ୍ଥାର ଗାଡ଼ିରୁ ୩୦ କେଜି ସୁନା ଓ ରୁପା ୨୦୦ କେଜି ଜବତ କରାଯାଇଥିଲା । କିନ୍ତୁ ଛାନ୍ଭିନରୁ ଜଣାପଡ଼ିଥିଲା ଯେ ୪ କେଜି ସୁନା ଓ ୧୨୦ କେଜି ରୁପାର ଚାଲାଣ ରେକର୍ଡ ମେଳ ଖାଇନଥିଲା । ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନାନୁସାରେ ଚାଲାଣ ରେକର୍ଡ ଠିକ୍ ନଥିବା ସୁନା ଓ ରୁପାକୁ ଏବେ ବି କାହାକୁ ହସ୍ତାନ୍ତର କରାଯାଇନାହିଁ। ପାର୍ବଣ ଋତୁ ଥିବାରୁ ବ୍ୟବସାୟୀମାନେ ଅଧିକ ସୁନା ବ୍ୟବସାୟ ପାଇଁ ଆଣୁଛନ୍ତି।